Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ଉଦ୍‌ଘାଟିତ

sports State

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖେଳାଳୀମାନଙ୍କ ପ୍ୟାରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ପୋଲିସ୍‌ ଦ୍ୱାରା ବ୍ୟାଣ୍ଡ ପରିବେଷଣ କରାଯାଇଥିଲା । ନିଜ ଅଭିଭାଷଣରେ ପ୍ରଫେସର ତ୍ରିପାଠୀ ଦ୍ୱିତୀୟଥର ପାଇଁ ଏଭଳି ପ୍ରତିଯୋଗିତାର ଆୟୋଜନ ପାଇଁ ଗର୍ବ ଅନୁଭବ କରିବା ସହିତ ପୂର୍ବ ଭାରତରୁ ଯୋଗ ଦେଇଥିବା ସମସ୍ତ ଖେଳାଳୀ ଓ କ୍ରୀଡ଼ା ଅଧିକାରୀଙ୍କୁ ଏହି କ୍ରୀଡ଼ା ମହାକୁମ୍ଭରେ ଯୋଗଦାନ କରିଥିବା ହେତୁ ଧନ୍ୟବାଦ ଦେଇଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଶୃଙ୍ଖଳା ହିଁ ଖେଳାଳୀର ଭୁଷଣ ବୋଲି ମତପୋଷଣ କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏହି ସମାରୋହରେ ଅଧ୍ୟକ୍ଷତା କରିଥିଲେ । ବିତ୍ତ ନିୟନ୍ତ୍ରକ ଶ୍ରୀ ଶୁକଦେବ ତରେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କ୍ରୀଡ଼ା ପରିଷଦର ସଂପାଦକ ଡ. ପ୍ରଭଞ୍ଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ସହଯୋଗୀ ପ୍ରଫେସର ଡ. ପୁଷ୍ପାଞ୍ଜଳି ପରିଡ଼ା ମଞ୍ଚ ପରିଚାଳନା କରିଥିଲେ ।

ପ୍ରଥମ ଦିନର ଖେଳରେ ଖବର ହସ୍ତଗତ ହେବା ପର୍ଯ୍ୟନ୍ତ ଗୃପ୍‌ ଏ ରେ କଲିକତା ବିଶ୍ୱବିଦ୍ୟାଳୟ ୬୮-୩୨ରେ ଗୁରୁଘାସିଦାସ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ୍ ୱାକ୍‌ଓଭର ପାଇଥିଲେ । ଗୃପ୍‌ ବି ରେ ବିନୋଦ ବିହାରୀ ମାହ୍‌ତ କୋୟଲାଞ୍ଚଳ ବିଶ୍ୱବିଦ୍ୟାଳୟ, ଯାଦବପୁର ବିଶ୍ୱବିଦ୍ୟାଳୟ ୱାକ୍‌ଓଭର ପାଇଥିଲେ । ଗୃପ୍‌ ସି ବିଭାଗରେ ପଣ୍ଡିତ ରବିଶଙ୍କର ଶୁକ୍ଲା ବିଶ୍ୱବିଦ୍ୟାଳୟ ୪୩-୧୬ରେ ପଶ୍ଚିମ ବଙ୍ଗ ରାଜ୍ୟ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟ ଓ ବିନୋବା ଭାବେ ବିଶ୍ୱବିଦ୍ୟାଳୟ ୱାକ୍‌ଓଭର ପାଇଥିଲେ । ଗୃପ୍‌ ଡି ରେ ହେମଚାନ୍ଦ ଯାଦବ ବିଶ୍ୱବିଦ୍ୟାଳୟ ଦୁର୍ଗ୍‌ ୪୧-୧୯ରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟକୁ, ଏମ୍‌.ଜି. କାଶୀ ବିଦ୍ୟାପୀଠ ୪୮-୧୫ରେ ମଗଧ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ଦୀନଦୟାଲ ଉପାଧ୍ୟାୟ ଗୋରଖପୁର ବିଶ୍ୱବିଦ୍ୟାଳୟ ଓ ସିଦୋ କାହ୍ନୁ ମୁର୍ମୁ ବିଶ୍ୱବିଦ୍ୟାଳୟ ୱାକ୍‌ଓଭର ପାଇଥିଲେ ।

ବାରିପଦା ତଥା ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ଥର ପାଇଁ ଏଭଳି ଏକ କ୍ରୀଡ଼ା ମହାକୁମ୍ଭର ଆୟୋଜନ କରିଥିବାରୁ ଛାତ୍ରଛାତ୍ରୀଗଣ ଓ ମୟୂରଭଞ୍ଜର କ୍ରୀଡ଼ାପ୍ରେମୀଗଣଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା । କ୍ରୀଡ଼ା ଶିକ୍ଷକ ଶ୍ରୀ ପ୍ରଦୀପ୍ତ ରଞ୍ଜନ ଦାସ ଓ ଓଡ଼ିଶା ରାଜ୍ୟର ସ୍ୱୀକୃତିପ୍ରାପ୍ତ ବିଭିନ୍ନ କ୍ରୀଡ଼ା ଅଧିକାରୀ, ବିଶ୍ୱବିଦ୍ୟାଳୟର ଅନୁବନ୍ଧିତ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକଗଣ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତାଗଣ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।