Onn 3

ଓଡିଶାରେ ପିଏମ୍ ଶ୍ରୀ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

State

 

Capture-12-750x430

ଭୁବନେଶ୍ଵର: ପୁଣିଥରେ ଓଡିଶାରେ ପିଏମ୍ ଶ୍ରୀ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ଦୁଇ ଦୁଇ ଥର ପତ୍ର ଲେଖିବା ପରେ ମଧ୍ୟ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସହ ବୁଝାମଣା ପତ୍ର ସ୍ଵାକ୍ଷରିତ କରିନାହାନ୍ତି । ତେଣୁ ଆଜି  ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ରାଜ୍ୟରେ ପିଏମ୍ ଶ୍ରୀ ଯୋଜନା ଲାଗୁ କରିବା ତଥା ଏମଓୟୁ ସ୍ଵାକ୍ଷରିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ  ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ପତ୍ରରେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ସମଗ୍ର ଦେଶରେ ୧୦ହଜାର ୫୦୦ରୁ ଅଧିକ ପିଏମ୍ ଶ୍ରୀ ସ୍କୁଲ ପ୍ରତିଷ୍ଠାର ଲକ୍ଷ ନେଇ ୨୦୨୨ ସେପ୍ଟେମ୍ବର ୭ରେ ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ହୋଇଥିଲା । ଏହି ସ୍କୁଲ ଗୁଡିକ ଜାତୀୟ ଶିକ୍ଷା ନୀତିର ପୂର୍ଣ୍ଣ ଭାବନାକୁ ନେଇ କାର୍ଯ୍ୟ କରିବ ତଥା ସମସ୍ତ ମୌଳିକ ଉପାଦାନକୁ ପ୍ରଦର୍ଶିତ କରିବ । ଏହା ସବୁ ବିଦ୍ୟାଳୟ ପାଇଁ ଏକ ଉଦାହରଣ ଭାବରେ କାର୍ଯ୍ୟ କରିବ । ପିଏମ୍ ଶ୍ରୀ ସ୍କୁଲ ଗୁଡିକ ଉତ୍ସାହଭରା ପରିବେଶରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ କରିବ ।

ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସହ ଏମଓୟୁ ସ୍ଵାକ୍ଷର କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁରୋଧ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାୟ ଅଧିକାଂଶ ରାଜ୍ୟ ଓ କେନ୍ଦ୍‌ ଶାସିତ ଅଞ୍ଚଳ ଉହି ଏମଓୟୁ ସ୍ଵାକ୍ଷରିତ କରିସାରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସ୍କୁଲ ଚୟନ ଶେଷ ହୋଇଛି । ପିଏମ୍ ଶ୍ରୀ ସ୍କୁଲ ଯୋଜନାର କ୍ରିୟାନ୍ଵୟନ ପାଇଁ ପ୍ରଥମ କିସ୍ତି ମଧ୍ୟ ଜାରି ହୋଇଛି । ଦ୍ଵିତୀୟ ପର୍ଯ୍ୟାୟରେ ପିଏମ୍ ଶ୍ରୀ ସ୍କୁଲ ପାଇଁ ଚୟନ ପ୍ରକ୍ରିୟା ଜାରି ରହିଥିବା ବେଳେ ଓଡିଶା ଏଯାବତ୍ ଏହି ବୁଝାମଣା ପତ୍ର ସ୍ଵାକ୍ଷରିତ କରିନାହିଁ । ଏଥିପାଇଁ ପୂର୍ବରୁ ଗତ ଅକ୍ଟୋବର ୯, ୨୦୨୨ ଏବଂ  ମାର୍ଚ୍ଚ ୧୩, ୨୦୨୩ରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିବା ସତ୍ତ୍ଵେ ଏମଓୟୁ ସ୍ଵାକ୍ଷରିତ ହୋଇନାହିଁ ।

ତେଣୁ ଓଡିଶାରେ ପିଏମ୍ ଶ୍ରୀ ଯୋଜନା ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ସ୍କୁଲ ଗୁଡିକ କେବଳ ଜ୍ଞାନର ବିକାଶ ଉପରେ ଗୁରୁତ୍ଵ ଦେବ ନାହିଁ ବରଂ ଏକବିଂଶ ଶତାବ୍ଦୀର ପ୍ରମୁଖ ଦକ୍ଷତା ସହିତ ସାମଗ୍ରିକ ବ୍ୟକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ । ପିଏମ୍ ଶ୍ରୀ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ଯତ୍ନ ନିଆଯିବା ସହ ସେମାନଙ୍କ ପାଠପଢା ପାଇଁ ଭିତ୍ତିଭୂମି ଏବଂ ଉପଯୁକ୍ତ ସମ୍ବଳ ସହିତ ଅନେକ ଅଭିଜ୍ଞତା ଆଧାରିତ ଶିକ୍ଷା ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ।