Onn 3

ମୟୂରଭଞ୍ଜରେ ଆରମ୍ଭ ହେବ ବିକଶିତ ଭାରତ ସଂକଳ୍ପ ଯାତ୍ରା

State

ବାରିପଦା: ମୟୂରଭଞ୍ଜରେ ଆରମ୍ଭ ହେବାକୁ ଯାଉଛି କେନ୍ଦ୍ର ସରକାରଙ୍କର ବିକଶିତ ଭାରତ ସଂକଳ୍ପ ଯାତ୍ରା। ଏହି ପରିପ୍ରେକ୍ଷୀରେ ଆଜି ତା ୦୯.୧୧.୨୦୨୩ ରିଖ ଗୁରୁବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମସ୍ତ ବିଭାଗୀୟ ଜିଲ୍ଲା ଅଧିକାରୀ ମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ର ଆଭିମୁଖ୍ୟ ଏହା ଯେ ସମଗ୍ର ଭାରତରେ ଆଦିବାସୀ ବହୁଳ ୭୫ ଜିଲ୍ଲାରେ ଏହି ସଂକଳ୍ପ ଯାତ୍ରା ଅନୁଷ୍ଠିତ ହେବ ଏବଂ ଏହାକୁ ପଞ୍ଚାୟତ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଜନ ମାନସ ରେ ଆଦୃତ କରାଇବା। ଭାରତ ସରକାରଙ୍କର ସମସ୍ତ ଜନହିତକର ଯୋଜନା ସବୁ ଲୋକସମ୍ପର୍କ ମାଧ୍ୟମରେ ପ୍ରଚାର ଓ ପ୍ରସାର ହେବା ହେଉଛି ଏହାର ମୂଳ ଲକ୍ଷ୍ୟ। ଏହି ବୈଠକରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଜିଲ୍ଲା ପ୍ରଭାରୀ ତଥା ନିର୍ଦ୍ଦେଶକ, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ, ଶ୍ରୀ ରବି ଶଙ୍କର ସଭାପତିତ୍ବ କରିଥିଲାବେଳେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ୱାଜ ଉପସ୍ଥିତ ସମସ୍ତ ଜିଲ୍ଲା ଅଧିକାରୀ ମାନଙ୍କୁ ଏହି ସଂକଳ୍ପ ଯାତ୍ରାରେ ହେବାକୁ ଥିବା ସମସ୍ତ କାର୍ଯ୍ୟାବଳୀ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ସିକେଲ ସେଲ ଅନେମିଆ ମିଶନ, ଏକଲବ୍ୟ ସ୍କୁଲ, ବିଭିନ୍ନ ଛାତ୍ର ବୃତ୍ତି, ଜଙ୍ଗଲ ଜମି ଅଧିକାର, ବନ ଧନ ବିକାଶ କେନ୍ଦ୍ର ବିଷୟରେ ମୁଖ୍ୟତଃ ଏହି ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ପ୍ରତିଟି ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ଲୋକକଳା ଓ ଆଦିବାସୀ ସଂସ୍କୃତି କଳା ମାଧ୍ୟମରେ ଏହି ଯାତ୍ରାର ଆୟୋଜନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଗଲା। ସୂଚନା ଥାଉକି, ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରାର ଆରମ୍ଭ ମୟୂରଭଞ୍ଜ ଜିଲ୍ଲାରେ ନଭେମ୍ବର ୧୫ ଠାରୁ ଆରମ୍ଭ ହେବ। ଏହି ବୈଠକରେ ଶ୍ରୀଯୁକ୍ତ ଅକ୍ଷୟ ପିଲ୍ଲାଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା , ଅତିରିକ୍ତ ଜିଲ୍ଲାପାଳ, ଶ୍ରୀଯୁକ୍ତ ଦୌଲତ ଚନ୍ଦ୍ରକାର, ମୟୂରଭଞ୍ଜ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀ ରଜନୀକାନ୍ତ ସ୍ୱାଇଁଙ୍କ ସମେତ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ଆଇ.ଟି.ଡି. ଏ, ପ୍ରକଳ୍ପ ନିର୍ଦ୍ଦେଶକ, ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଏବଂ ଅନ୍ୟାନ୍ୟ ଜିଲ୍ଲା ଅଧିକାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସାରା ଜିଲ୍ଲାରେ ଲୋକାଭିମୁଖୀ କରିବେ ବୋଲି ମତ ବ୍ୟକ୍ତ କରି ଥିବାର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।