କଟକ/ ଭୁବନେଶ୍ବର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ସନ୍ଧ୍ୟା ସମୟରେ ରାଜଧାନୀର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ତେଣୁ ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସଂଧ୍ୟାରେ ଭୁବନେଶ୍ବର ଓ କଟକ ମଧ୍ୟକୁ ଟ୍ରକ ମନା। ୬ ଚକିଆ କିମ୍ବା ତଦୁର୍ଦ୍ଧ ଚକିଆ ଗାଡ଼ି ସହର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ସେ ଜାତୀୟ ରାଜପଥ ହେଉ କିମ୍ବା ରାଜ୍ୟ ରାତପଥ ସହର ମଧ୍ୟରେ ଭାରିଯାନ ଚଳାଚଳ ଉପରେ ନିୟନ୍ତ୍ରଣ ଆଣିବା ଉଦ୍ଦେଶ୍ୟରେ ଭୁବନେଶ୍ବର କଟକ କମିଶନରେଟ ପୋଲିସ ଏହି ନିଷ୍ପତ୍ତି ନେଇଛି। ଜନସାଧାରଣଙ୍କ ସୁରକ୍ଷା ଓ ସୁଗମନାଗମନ ନିମନ୍ତେ ଓଡ଼ିଶା ସହରାଞ୍ଚଳ ଆଇନ୍ ୨୦୦୩ ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ପୋଲିସ୍ କମିସନରେଟ୍ ଭୁବନେଶ୍ବର-କଟକ ଟ୍ରାଫିକ୍ ଓ ପବ୍ଲିକ ଅର୍ଡର ୨୦୦୮ ଧାରା ୩୪(୧) ଅନୁସାରେ ଏହି ନିୟମ ଲାଗୁ କରାଯାଇଛି।
ଟ୍ୱିନ ସିଟିରେ ସକାଳ ୯ଟାରୁ ୧୧ଟା ଓ ଅପରାହ୍ଣ ୪ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ତେବେ ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ମାଲବାହୀ ଗାଡ଼ିଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି । କିନ୍ତୁ ସେହି ଗାଡ଼ିଗୁଡ଼ିକୁ କମିଶନରେଟ ପୋଲିସ କାର୍ଯ୍ୟାଳୟରୁ ଆବଶ୍ୟକ ପ୍ରମାଣପତ୍ର ନେବାକୁ ପଡ଼ିବ ବୋଲି କୁହାଯାଇଛି। ତେଣୁ ଭାରି ଯାନ ଉପରେ କଟକଣା ଲାଗୁ କରାଯିବା ସହ ଏନେଇ ପୋଲିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।