Onn 3

ONN ପ୍ରଭାବ, ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ମରାମତି

State

ଆଗରପଡ଼ା: ଶେଷରେ ରକ୍ଷଣାବେକ୍ଷଣର ସମୟସୀମା ସରିବାର ୧୪ ମାସ ପରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ମରାମତି କାର୍ଯ୍ୟ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା-ଭଦ୍ରକ ପୂର୍ତ୍ତବିଭାଗ ରାସ୍ତାର କାଦବରାଙ୍ଗ ପଂଚାୟତ ଅର୍ନ୍ତଗତ କାଦବରାଙ୍ଗ ଠାରୁ ଆଡ଼ିଆ ପର୍ଯ୍ୟନ୍ତ ଲମ୍ବିଥିବା ୬.୫କି.ମି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ମରମତି ଅଭାବରୁ ମରଣଯନ୍ତା ପାଲଟିଥିଲା । ଏ ନେଇ ଗତ ୧୫ ତାରିଖରେ ‘ଫଳକରେ ସୀମିତ ରହିଗଲା ମରାମତି;ମରଣଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ’ ଶୀର୍ଷକ ଖବର ‘ONN’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ବୁଧବାର ବିଭାଗ ତରଫରୁ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଏଠାରେ ପ୍ରକାଶ ଥାଉକି; କାଦବରାଙ୍ଗ ଠାରୁ ଆଡ଼ିଅ।। ପର୍ଯ୍ୟନ୍ତ ଲମ୍ବିଥିବା ୬.୫କି.ମି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କଟିର ରକ୍ଷଣାବେକ୍ଷଣ ଦାୟିତ୍ୱ ୨୦୧୭ ଅଗଷ୍ଟ ୪ ତାରିଖ ଠାରୁ ଆରମ୍ଭ ହୋଇ ୨୦୨୨ ଅଗଷ୍ଟ ୩ ତାରିଖରେ ଶେଷ ହେବାକୁ ଧାର୍ଯ୍ୟ ହୋଇଥିଲା ।

ଏହି ୫ବର୍ଷ ମଧ୍ୟରେ ବାର୍ଷିକ ଥରେ ବର୍ଷାଋତୁ ପରେ ଘାସ ଡାଳପତ୍ର କାଟି ସଫା କରିବା,ପାଣି କଟାଧାର ପୁନଃ ମରାମତି କରିବା,ବର୍ଷକୁ ୨ଥର ରାସ୍ତା ପାଶ୍ୱର୍ ନିର୍ମିତ ନାଳ ମରାମତି ଓ ତିଆରି ହୋଇଥିବା ଶଂଖ ଓ ପୋଲ ମରାମତି କରିବା,ବର୍ଷକୁ ୧ଥର ଶଂଖ ପୋଲ ଧଳା ରଙ୍ଗ ମାରିବା ସହ ଦରକାର ଅନୁସାରେ ପିଚୁ ରାସ୍ତାର ଉଭୟ ପାଶ୍ୱର୍ର ମାଟି ସେକ୍ଟର ମରାମତି ,ରାସ୍ତା ପାଶ୍ୱର୍ ନିର୍ମିତ ନାଳ ମରାମତି ଏବଂ ରାସ୍ତାରେ ଲଗା ଯାଇଥିବା କି.ମି. ଖୁଣ୍ଟ ଓ ସାଇନ୍‌ବୋର୍ଡ଼ ମରାମତି ଆଦି ଦାଇତ୍ୱ କାର୍ଯ୍ୟ ନିର୍ବାହ କରିଥିବା ଠିକାଦାରଙ୍କ ଥିଲେ ସୁଦ୍ଧା ଏହା ଏହି ରାସ୍ତାରେ କାର୍ଯ୍ୟକ୍ଷମ ହୋଇନଥିବା ପରିଲକ୍ଷିତ ହୋଇଥିଲା । ସମୟ ଅବଧି ମଧ୍ୟରେ ଏଥିନେଇ ଅଭିଯୋଗ ହୋଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କିମ୍ବା ଠିକାଦାର କେହିବି କର୍ଣ୍ଣପାତ କରିନଥିଲେ । କେବଳ ଫଳକରେ ସୀମିତ ରହିଯାଇଥିଲା ମରାମତି । ପରେ ଅବଧି ସରିଯିବା ପରେ ରାସ୍ତା ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ଯାତାୟତ ଅନୁପଯୋଗୀ ହେବାସହ ମରଣଯନ୍ତା ପାଲଟିଥିଲା । ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହୁଥିଲା । ଏହି ରାସ୍ତା ଉପରେ କାଦବରାଙ୍ଗ, ଆଡ଼ିଆ , ବଡ଼ବର୍ଚ୍ଚିକୟାଁ ,ଅଣିଜୋ, କାଉପୁର ଆଦି ପଂଚାୟତର ଗ୍ରାମବାସୀମାନେ ନିର୍ଭର କରିଥାନ୍ତି । ତେଣୁ ରାସ୍ତାଟିର ତୁରନ୍ତ ମରାମତି କରିବା ପାଇଁ ସ୍ଥାନୀୟ ବାସୀନ୍ଦା ବିଭାଗୀୟ ଅଧିକାରୀଙ୍କ ଠାରେ ଦାବି କରିଆସୁଥିଲେ ।

ଫଳକରେ ସୀମିତ ରହିଗଲା ମରାମତି, ମରଣଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ