Onn 3

ଆଜି ପ୍ରସିଦ୍ଧ ‘ଲକ୍ଷ୍ମୀନାରାୟଣ’ ପୂଜା, ୧୫୦ବର୍ଷ ପୁରାତନ ପୂଜା ପାଇଁ ଚଳଚଂଚଳ ତୁମ୍ଭାପଦୀ

Religion and Cult State

ଆଗରପଡ଼ା:ଆଜି ପ୍ରସିଦ୍ଧ ‘ଲକ୍ଷ୍ମୀନାରାୟଣ’ ପୂଜା । ପ୍ରାୟ ୧୫୦ବର୍ଷ ତଳେ ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ତୁମ୍ଭାପଦୀ ଗ୍ରାମରେ ଆରମ୍ଭ ହୋଇଥିବା ‘ଲକ୍ଷ୍ମୀନାରାୟଣ’ ପୂଜା ପାଇଁ ଉକ୍ତ ଅଂଚଳ ଚଳଚଂଚଳ ହୋଇଉଠିଛି । ସୂଚନା ଅନୁଯାୟୀ;ଗୋଲା ସଂପ୍ରଦାୟର କୂଳ ଦେବାଦେବୀ ‘ଲକ୍ଷ୍ମୀନାରାୟଣ’ । ଆଜକୁ ପ୍ରାୟ ୧୫୦ବର୍ଷ ପୂର୍ବେ ବନ୍ତ ବ୍ଲକ ଛୟାଳସିଂହ ପଂଚାୟତ ଅନ୍ତର୍ଗତ ପଳସା ଗ୍ରାମରେ ଏହି ସଂପ୍ରଦାୟର ଲୋକେ ଉକ୍ତ ପୂଜା ଆରମ୍ଭ କରିଥିଲେ । ସମୟାନୁକ୍ରମେ କିଛି ଲୋକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ତୁମ୍ଭାପଦୀ ଗ୍ରାମରେ ନିଜର ବସତି ସ୍ଥାପନ କରିବା ପରେ ସେଠାରେ କଳସ ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କଲେ । ପରବର୍ତ୍ତୀ ମୂହୂର୍ତ୍ତରେ ପରିବାର ସଂଖ୍ୟା ବୃତ୍ତି ପାଇବାରୁ ସମସ୍ତଙ୍କର ମିଳିତ ସହଯୋଗରେ ମେଢ ପୂଜା ଆରମ୍ଭ କରାଯାଇଥିଲା । ଆଜକୁ ଉକ୍ତ ତୂମ୍ଭାପଦୀ ଗ୍ରାମରେ ୭୫ ବର୍ଷ ହେବ ‘ଲକ୍ଷ୍ମୀନାରାୟଣ’ ଙ୍କ ମେଢ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଅଛି । ଏହାକୁ ନକୂଳ ଚନ୍ଦ୍ର ଗିରି, ଯୁଧିଷ୍ଠିର ଗିରି, କ୍ଷେତ୍ର ଗିରି, ଚୈତନ୍ୟ ଗିରି, ମଧୂସୂଦନ ଜେନା, ମଣିଭଦ୍ର ଜେନା ଏବଂ ବହ୍ଲବ ଦାସ ପ୍ରମୁଖ ଆରମ୍ଭ କରିଥିଲେ ।

ପ୍ରଥମେ ଖୋଲା ଆକାଶ ତଳେ ଦେବାଦେବୀ ପୂଜା ପାଇବା ପରେ କଂଗ୍ରେସ ଦଳ ବରିଷ୍ଠ ନେତା ଅନନ୍ତ ସେଠୀଙ୍କ ସହଯୋଗ ଓ ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ଏକ ଗୃହ ନିର୍ମାଣ କରାଯାଇ ଉକ୍ତ ଗୃହରେ ମେଢ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ବର୍ତ୍ତମାନ ଲକ୍ଷ୍ମୀନାରାୟଣ ଗୋଲା ନାମରେ ଏକ ସଂଗଠନ କରାଯାଇ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ ପ୍ରତିବର୍ଷ ଉକ୍ତ ପୂଜା ଧୂମଧାମରେ କରାଯାଉଛି । ଦୀର୍ଘ ବର୍ଷ ଧରି ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତରା ପଂଚାୟତ ଅନ୍ତର୍ଗତ କନ୍ଦଡ଼ା ଗ୍ରାମ ଅଧିବାସୀ ଦାମୋଦର ବେହେରା ଓ ତାଙ୍କ ପୂର୍ବ ପୁରୁଷ ଏଠାରେ ମୃଣ୍ମୟ ମୂର୍ତ୍ତୀ ନିର୍ମାଣ କରୁଛନ୍ତି । ଏହି ପୂଜା ଏଠାରେ ୫ ଦିନ ଧରି ଚାଲିଥାଏ । ଭଦ୍ରକ ଜିଲାର ପ୍ରାୟ ୧୦ଟି ପଂଚାୟତର ଲୋକଙ୍କର ଏଠାରେ ସମାଗମ ହୋଇଥାଏ । ପ୍ରତିଦିନ ସଂଧ୍ୟାରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ ।