Photo For The News Of Road

ଫଳକରେ ସୀମିତ ରହିଗଲା ମରାମତି, ମରଣଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

State

ଆଗରପଡ଼ା: ରାସ୍ତାର ସ୍ଥାୟିତ୍ୱକୁ ଆଖି ଆଗରେ ରଖି ବିଭାଗ ତରଫରୁ ରାସ୍ତା ନିର୍ମାଣ କରିଥିବା ଠିକାଦାରକୁ ଏହାର ମରାମତି ଦାଇତ୍ୱ ଦିଆଯିବା ସହ ଏକ ସମୟ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଥାଏ । କିନ୍ତୁ ଉକ୍ତ ସମୟ ସୀମା ମଧ୍ୟରେ ରାସ୍ତାର ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଏହା ଏକ ପ୍ରହସନରେ ପରିଣତ ହେବାକୁ ଯାଉଛି । କେବଳ ଫଳକରେ ଏହା ସୀମିତ ରହିଯାଉଥିବା ଜଣାପଡ଼ିଛି । ଏହି ପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା-ଭଦ୍ରକ ପୂର୍ତ୍ତବିଭାଗ ରାସ୍ତାର କାଦବରାଙ୍ଗ ପଂଚାୟତ ଅର୍ନ୍ତଗତ କାଦବରାଙ୍ଗ ଠାରୁ ଆଡ଼ିଆ ପର୍ଯ୍ୟନ୍ତ ଲମ୍ବିଥିବା ୬.୫କି.ମି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ । ଗାଁ କୁ ଗାଁ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ତେବେ ରାସ୍ତାର ସ୍ଥାୟିତ୍ୱ ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ନଦେଇ କେବଳ ରାସ୍ତା ନିର୍ମାଣ କରୁଥିବାରୁ ରାସ୍ତା ନିର୍ମାଣର କିଛି ମାସ ପରେ ତାହା ଶୋଚନୀୟ ହୋଇ ପଡୁଥିବାରୁ ଜନସାଧାରଣ ଯାତାୟତ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅର୍ନ୍ତଗତ ଆଗରପଡ଼ା-ଭଦ୍ରକ ପୂର୍ତ୍ତବିଭାଗ ରାସ୍ତାର କାଦବରାଙ୍ଗ ଠାରୁ ଆଡ଼ିଅ।। ପର୍ଯ୍ୟନ୍ତ ଲମ୍ବିଥିବା ୬.୫କି.ମି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କଟିର ରକ୍ଷଣାବେକ୍ଷଣ ଦାୟିତ୍ୱ ୨୦୧୭ ଅଗଷ୍ଟ ୪ ତାରିଖ ଠାରୁ ଆରମ୍ଭ ହୋଇ ୨୦୨୨ ଅଗଷ୍ଟ ୩ ତାରିଖରେ ଶେଷ ହେବାକୁ ଧାର୍ଯ୍ୟ ହୋଇଥିଲା ।

ଏହି ୫ବର୍ଷ ମଧ୍ୟରେ ବାର୍ଷିକ ଥରେ ବର୍ଷାଋତୁ ପରେ ଘାସ ଡ଼ାଳପତ୍ର କାଟି ସଫା କରିବା,ପାଣି କଟାଧାର ପୁନଃ ମରାମତି କରିବା,ବର୍ଷକୁ ୨ଥର ରାସ୍ତା ପାଶ୍ୱର୍ ନିର୍ମିତ ନାଳ ମରାମତି ଓ ତିଆରି ହୋଇଥିବା ଶଂଖ ଓ ପୋଲ ମରାମତି କରିବା,ବର୍ଷକୁ ୧ଥର ଶଂଖ ପୋଲ ଧଳା ରଙ୍ଗ ମାରିବା ସହ ଦରକାର ଅନୁସାରେ ପିଚୁ ରାସ୍ତାର ଉଭୟ ପାଶ୍ୱର୍ର ମାଟି ସେକ୍ଟର ମରାମତି ,ରାସ୍ତା ପାଶ୍ୱର୍ ନିର୍ମିତ ନାଳ ମରାମତି ଏବଂ ରାସ୍ତାରେ ଲଗା ଯାଇଥିବା କି.ମି. ଖୁଣ୍ଟ ଓ ସାଇନ୍‌ବୋର୍ଡ଼ ମରାମତି ଆଦି ଦାଇତ୍ୱ କାର୍ଯ୍ୟ ନିର୍ବାହ କରିଥିବା ଠିକାଦାରଙ୍କ ଥିଲେ ସୁଦ୍ଧା ଏହା ଏହି ରାସ୍ତାରେ କାର୍ଯ୍ୟକ୍ଷମ ହୋଇନଥିବା ପରିଲକ୍ଷିତ ହୋଇଛି । ସମୟ ଅବଧି ମଧ୍ୟରେ ଏଥିନେଇ ଅଭିଯୋଗ ହୋଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କିମ୍ବା ଠିକାଦାର କେହିବି କର୍ଣ୍ଣପାତ କରିନଥିଲେ । ବର୍ତ୍ତମାନ ଅବଧି ସରିଯାଇଛି କିନ୍ତୁ ରାସ୍ତା ଅବସ୍ଥା ସୁଧୁରିଲାନି ଓ ରାସ୍ତାଟି ଦିନକୁ ଦିନ ଶୋଚନୀୟ ହୋଇ ଯାତାୟତ ଅନୁପଯୋଗୀ ହେବାସହ ମରଣଯନ୍ତା ପାଲଟିଛି । ତେଣୁ ଉକ୍ତ ରାସ୍ତାର ମରାମତି ନିହାତି ଆବଶ୍ୟକ ପଡ଼ିଲାଣି । ଏହି ରାସ୍ତା ଉପରେ କାଦବରାଙ୍ଗ, ଆଡ଼ିଆ , ବଡ଼ବର୍ଚ୍ଚିକୟାଁ ,ଅଣିଜୋ,କାଉପୁର ଆଦି ପଂଚାୟତର ଗ୍ରାମବାସୀମାନେ ନିର୍ଭର କରିଥାନ୍ତି । ବର୍ତ୍ତମାନ ଅଧିକାଂଶ ସ୍ଥାନରେ ରାସ୍ତାରୁ ପିଚୁ ଉଠିବା ସହିତ ଅନେକ ସ୍ଥାନରୁ ରାସ୍ତା ଉପରୁ ମେଣ୍ଟାଲ ଗୁଡ଼ିକ ଉଠିଯାଇ ଖାଲଖମାରେ ପରିଣତ ହୋଇଯାଇଥିବାରୁ ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାତ୍ର ସମୟରେ ସୃଷ୍ଟି ହୋଇଥିବା ଗର୍ତରେ ପଡ଼ି ଖଣ୍ଡିଆ ଖାବରା ମଧ୍ୟ ହେଉଛନ୍ତି । ତେଣୁ ରାସ୍ତାଟିର ତୁରନ୍ତ ମରାମତି କରିବା ପାଇଁ ସ୍ଥାନୀୟ ବାସୀନ୍ଦାମାନେ ବିଭାଗୀୟ ଅଧିକାରୀଙ୍କ ଠାରେ ଦାବି କରିଛନ୍ତି ।