Onn 3

୧୩ ବର୍ଷ ପରେବି ନିଜସ୍ୱଗୃହ ନିର୍ମାଣ ହୋଇପାରିଲାନି, ମିଶନ ଶକ୍ତି ଘରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର

State

ଆଗରପଡ଼ା: ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ପାଇଁ ଗୃହ ନିର୍ମାଣ ହେଉଛି ସତ କିନ୍ତୁ ଏହା ସଠିକ କାର୍ଯ୍ୟରେ ବିନିଯୋଗ ହୋଇପାରୁନାହିଁ । ଯଦ୍ୱାରା ଉକ୍ତ ପ୍ରକଳ୍ପର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତରେ । ଅଙ୍ଗନୱାଡ଼ି କେନ୍ଦ୍ର ହେଉଛି ଶିଶୁର ଶିକ୍ଷାକ୍ଷେତ୍ରର ମୂଳଦୁଆ ପଡ଼ିବାର ପ୍ରଥମ ସୋପାନ । ଏହିଠାରୁ ହିଁ ତାର ଶିକ୍ଷା ଆରମ୍ଭ ହୋଇଥାଏ । କୋମଳମତୀ ଶିଶୁଙ୍କୁ ଶିକ୍ଷାମନସ୍କ କରିବା ପାଇଁ ସରକାରୀ ସ୍ତରରେ ଯୋଜନାମାନ ପ୍ରଣୟନ କରାଯାଇ ଏ ବାବଦକୁ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ଏହାର ସଫଳ ରୂପାୟନ ହୋଇପାରୁ ନାହିଁ । କେବଳ ଅର୍ଥଶ୍ରାଦ୍ଧ ହେବାସାର ହେଉଛି । ଖାଲି ଯୋଜନା ପ୍ରସ୍ତୁତ କରିଦେଲେ ହେବ ନାହିଁ । ଏଥିପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ଲୋଡ଼ା ବୋଲି ଶିକ୍ଷାବିତ୍ ମାନେ ମତ ପ୍ରକାଶ କରୁଛନ୍ତି । ଉକ୍ତ ପଂଚାୟତର କାଦବରାଙ୍ଗରେ ଥିବା ୨ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ଗୋଟିଏ କେନ୍ଦ୍ରର ନିଜସ୍ୱ ଗୃହ ଥିବା ବେଳେ ୨୦୧୦ ମସିହା ଜାନୁଆରୀ ମାସରେ ପ୍ରତିଷ୍ଠିତ ଅନ୍ୟ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ଆଜି ପର୍ଯ୍ୟନ୍ତ ନିର୍ମିତ ହୋଇପାରିନାହିଁ ।

ପ୍ରତିଷ୍ଠା ହେବାକୁ ଇତି ମଧ୍ୟରେ ୧୩ବର୍ଷ ଅତିକ୍ରାନ୍ତ କରିଯାଇଥିଲେ ସୁଦ୍ଧା କେନ୍ଦ୍ରଟିର ନିଜସ୍ୱ ଗୃହ ନଥିବାରୁ ଏହା ବର୍ତ୍ତମାନ ମିଶନଶକ୍ତି ଗୃହରେ ଏକ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି । ବର୍ତ୍ତମାନ ବର୍ଷାଋତୁ ଚାଲୁଥିବାରୁ ବର୍ଷାଜଳ ନିଷ୍କାସନର କୌଣସି ସୁବିଧା ନଥିବାରୁ ଏହା କେନ୍ଦ୍ର ସମ୍ମୁଖରେ ଜମିରହି ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଛି । ପ୍ରଥମେ ପଂଚାୟତଗୃହରେ ଏହା ଚାଲୁଥିଲା । କିନ୍ତୁ ୨୦୧୭ ମସିହାରେ ଗୃହକୁ ନେଇ ବିଭିନ୍ନ ସମସ୍ୟା ଦେଖା ଦେବାରୁ ଏହା ୨୦୨୧ ଫେବୃଆରୀ ମାସ ପର୍ଯ୍ୟନ୍ତ କର୍ମୀଙ୍କ ନିଜସ୍ୱ ଗୃହରେ ଚାଲୁଥିଲା । କିନ୍ତୁ ସରକାରଙ୍କ ପ୍ରଦତ୍ତ ନିୟମ ଅନୁସାରେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଅଙ୍ଗନୱାଡ଼ି କେନ୍ଦ୍ର ପକ୍କାଘରେ ଚାଲିବାର ଥିବାରୁ (ମିଶନଶକ୍ତି ଯେହେତୁ ଆଇସିଡ଼ିଏସ ଅଧିନରେ) ସିଡ଼ିପିଓଙ୍କ ଅନୁମତିରେ ଏହା ୨୦୨୧ ଫେବୃଆରୀ ମାସରୁ ମିଶନଶକ୍ତି ଗୃହରେ ଚାଲୁଥିବାର ଜଣାପଡ଼ିଛି । ମିଶନଶକ୍ତିର ଗୋଟିଏ ଗୃହ ଥିବାରୁ କେନ୍ଦ୍ରଟିର ରୋଷେଇ କାର୍ଯ୍ୟରେ ନାନା ଅସୁବିଧା ହେଉଥିବାର ଦେଖିବାକୁ ମିଳୁଛି । କେନ୍ଦ୍ରଟିର ନିଜସ୍ୱ ଗୃହ ନଥିବାରୁ ବହୁ ଅସୁବିଧାରେ ଏହାର ଅନ୍ୟ କାର୍ଯ୍ୟକ୍ରମମାନ ମଧ୍ୟ ଏଠାରେ ସଂପାଦିତ ହେଉଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।