Onn 3

ଖୋଳା ହୋଇ ପଡ଼ିଥିବା ରାସ୍ତାରେ ଦୁର୍ଘଟଣା

State

ଆଗରପଡ଼ା:ଆଗରପଡ଼ାରୁ ବରପଦା ପୂର୍ତ୍ତ ବିଭାଗ ରାସ୍ତାଟି ଦୀର୍ଘଦିନ ହେବ ଆବଶ୍ୟକୀୟ ମରାମତି ଅଭାବରୁ ଶୋଚନୀୟ ଭାବେ ଖରାପ ହୋଇ ପଡ଼ିଥିଲା । ରାସ୍ତା ଫାଟି ଦୁଇ ଫାଳ ହୋଇଯାଇଥିବାରୁ ପ୍ରତିଦିନ ଦୁର୍ଘଟଣାମାନ ଘଟୁଥିଲା । ଏ ସମ୍ପର୍କରେ ବାରମ୍ବାର ‘ପ୍ରଗତିବାଦୀ’ରେ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗିଥିଲା । ଏବଂ ଗତ ୨ ଦିନ ତଳେ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଗରପଡ଼ାରୁ ବରପଦା ଦୁଇଟି ରିଚରେ ରାସ୍ତା ଖୋଳା ହୋଇପଡ଼ିଛି । ମରାମତି କାର୍ଯ୍ୟ ହେଉନି ।

ବର୍ତ୍ତମାନ ବର୍ଷାଦିନ ଚାଲିଥିବାରୁ ରାସ୍ତା ଖୋଳା ହୋଇ ରହିଥିବାରୁ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏହି ରାସ୍ତା ଦେଇ ପ୍ରତିଦିନ ପ୍ରାୟ କୋଡ଼ିଏରୁ ଅଧିକ ଯାତ୍ରୀବାହୀ ମିନିବସ୍ କେବଳ ଭଦ୍ରକକୁ ଯାଉଛି । ଏଥି ସହିତ କଟକ,ଭୁବନେଶ୍ୱର ଆଦି ସ୍ଥାନକୁ ବସ ଚାଲିଛି । ମାତ୍ର ଏହିପରି ବ୍ୟସ୍ତ ବହୁଳ ରାସ୍ତାକୁ ଖୋଳି ପକାଇ କାର୍ଯ୍ୟ କରା ନଯିବାର କାରଣ କିଛି ବୁଝା ପଡୁନାହିଁ । ତେଣୁ ଆଗକୁ ବଡ଼ଧରଣର ବିପଦ ଘଟିବା ଆଗରୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।