Onn 3

ବିଇଓ ଅଫିସକୁ ସଂଯୋଗୀକରଣ ରାସ୍ତାରେ ପାଣି, ଅସ୍ୱାସ୍ଥ୍ର‌୍ୟକର ପରିବେଶରେ ଚାଲିଛି ମଧ୍ୟାହ୍ନଭୋଜନ

State

ଆଗରପଡ଼ା:ସରକାର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଓ ବିଦ୍ୟାଳୟ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୁପାୟନ ହୋଇପାରୁନଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ । ସୂଚନା ଅନୁଯାୟୀ; ଗୋଟିଏ ପରିସରରେ ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସ ଓ ମହତାବ ୟୁପି(ଏମଇ) ସ୍କୁଲ ଚାଲିଥିବା ବେଳେ ଉକ୍ତ ସ୍କୁଲ ଦେଇ ଏକ ରାସ୍ତା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ସଂଯୋଗ କରୁଛି । ଏହିପରି ସ୍ଥଳେ ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତାରେ ପାଣିର ସୁଅ ଛୁଟୁଛି । ପାଣି ନିଷ୍କାସନର କୌଣସି ସୁବନ୍ଦୋବସ୍ତ କରାଯାଇନଥିବାରୁ ଏହା ରାସ୍ତା ଉପରେ ଜମି ରହୁଛି । ଉକ୍ତ ରାସ୍ତାକୁ ଲାଗି ଏକ ଗୃହରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇ ପିଲାଙ୍କୁ ଖାଇବାକୁ ଦିଆଯାଉଥିବାରୁ ବର୍ଷା ଜଳରେ ବୁଡ଼ି ଅନ୍ୟ ଶ୍ରେଣୀ ଗୃହରୁ ପିଲାମାନେ ପାଣିରେ ପଶି ଆସି ଅସ୍ୱାସ୍ଥ୍ୟକର ପରିବେଶରେ ମଧ୍ୟାହ୍ନଭୋଜନ କରୁଥିବାର ଦେଖିବାକୁ ମିଳୁଛି ।

ତେଣୁ ଅଧିକାରୀଙ୍କ ଅଫିସ ସମ୍ମୁଖରେ ଏହିପରି ପରିସ୍ଥିତିରେ ମଧ୍ୟାହ୍ନଭୋଜନ କାର୍ଯ୍ୟ ସଂପାଦନା ବିଡ଼ମ୍ବନାର ବିଷୟ ପାଲଟିଛି । ବ୍ଲକ ହେଡ଼ କ୍ୱାର୍ଟରରେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ରହିଛି । ପ୍ରତିଦିନ ଏହି କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ପାଇଁ ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସମେତ୍ ଅନ୍ୟାନ୍ୟ ଶିକ୍ଷା କର୍ମଚାରୀମାନେ ଯାଇଥାନ୍ତି । ଏହି କାର୍ଯ୍ୟାଳୟ ୨୦୧୪ ମସିହାରୁ ବିଆଇସିସି କାର୍ଯ୍ୟାଳୟ ପରିସରରେ ଚାଲୁଛି । ଏବଂ ଏହି କାର୍ଯ୍ୟାଳୟ ସାମ୍ନାରେ ମହତାବ ୟୁପି(ଏମଇ) ସ୍କୁଲ ୧୯୩୫ ମସିହାରେ ପ୍ରତିଷ୍ଠା ହୋଇଛି । ଏହି ସ୍କୁଲ ଓ ବିଇଓ ଅଫିସ ମଧ୍ୟରେ ଥିବା ପଡ଼ିଆ ଦେଇ ଉଭୟ ସ୍ଥାନକୁ ସମସ୍ତେ ଯାଆଆସ କରିଥାନ୍ତି । ଏହି ପଡ଼ିଆ ରାସ୍ତାରେ ପଡ଼ିଥିବା ମାଟିକୁ ସମତୁଲ କରା ଯାଇନଥିବାରୁ ବର୍ଷାଜଳ ଠିକ୍ ଭାବେ ନିଷ୍କାସନ ହୋଇପାରୁନାହିଁ । ସାମାନ୍ୟ ବର୍ଷାରେ ରାସ୍ତାରେ ପାଣି ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଏଥି ସହିତ ମଶା ବଂଶ ସୃଷ୍ଟି କରିବାର ସହାୟକ ହେଉଛି । ବ୍ଲକ ହେଡ଼କ୍ୱାର୍ଟରରେ ଥିବା ଏହି ଅଫିସ ଓ ଓଡ଼ିଶାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଉତ୍କଳକେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ନାମରେ ନାମିତ ସ୍କୁଲ ପରିସର ରାସ୍ତା ଯଦି ଏପରି ହୁଏ ତେବେ ଗାଁ ଗହଳିରେ ଥିବା ରାସ୍ତା ଗୁଡ଼ିକର ଅବସ୍ଥା କିପରି ଥିବ ତାହା ଏଥିରୁ ସହଜରେ ଅନୁମେୟ ।

ଏହି ସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଅନେକ ସରକାରୀ କାର୍ଯ୍ୟକ୍ରମମାନ ବିଭିନ୍ନ ସମୟରେ ହୋଇଥାଏ । ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ଲୋକ ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥାନ୍ତି । ମାତ୍ର ସେପରି ସ୍ଥଳେ ଶିକ୍ଷା ବିଭାଗର ଅତି ଗୁରୁତ୍ୱପୂର୍ଣ୍ଣ ଶିକ୍ଷାଧିକାରୀ ଅଫିସ ଓ ଓଡ଼ିଶାର ଅନ୍ୟତମ ଯୋଗଜନ୍ମାଙ୍କ ନାମରେ ନାମିତ ଏହି ସ୍କୁଲ ପ୍ରବେଶ ପଥ ପ୍ରତି କେହି ଧ୍ୟାନ ନ ଦେବା ବଡ଼ ଦୁଃଖର ବିଷୟ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରୁଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।