Onn 3

ବିନା ନମ୍ବର ପ୍ଲେଟରେ ଚାଲିଛି ଶହଶହ ଟ୍ରାକ୍ଟର, ରାଜସ୍ୱ ହରାଉଛନ୍ତି ସରକାର

State

ଆଗରପଡ଼ା: ପରିବହନ ନିୟମ ଅନୁଯାୟୀ ଗାଡିଗୁଡିକର ଫିଟନେସ,ଇନସୁରାନ୍ସ,ପଲ୍ୟୁସନ ଏବଂ ନମ୍ବର ପ୍ଲେଟ ଠିକ ଥିଲେ ଗାଡିଗୁଡିକ ରାସ୍ତାରେ ଚାଲିବା ନିୟମ ରହିଛି । ଏହି ନିୟମ ଭିତରେ ଗାଡିଗୁଡିକ ଚାଲୁଛିକି ନାହିଁ ତାର ତଦାରଖ କରିବାର ଦାଇତ୍ୱ ପରିବହନ ବିଭାଗର ରହିଛି । କାରଣ ଗାଡିଗୁଡିକ ଏହି ସବୁ ନିୟମ ଭିତରେ ରହି ରାସ୍ତାରେ ଚାଲୁଥିବା ସମୟରେ କୌଣସି ଦୁର୍ଘଟଣା ଘଟିଲେ ଉଭୟ ଗାଡି ମାଲିକ ଓ କ୍ଷତିଗ୍ରସ୍ତ ବ୍ୟକ୍ତି ଇନସୁରାନ୍ସ କମ୍ପାନୀ ଦ୍ୱାରା କ୍ଷତି ପୁରଣ ପାଇବା ପାଇଁ ହକଦାର ହୋଇଥାନ୍ତି । ମାତ୍ର ଏହି ନିୟମକୁ ଉଲ୍ଲଂଘନ କରି ଗାଁ ଠାରୁ ବଜାର ମାନଙ୍କରେ ଅନେକ ଗାଡି ଚାଲୁଥିଲେ ମଧ୍ୟ ପରିବଯନ ବିଭାଗ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ସୂଚନା ଅନୁଯାୟୀ;ବନ୍ତ ବ୍ଲକ ଆଗରପଡ଼ା ତିନିଗୋଟି ଜିଲ୍ଲା କେନ୍ଦୁଝର,ବାଲେଶ୍ୱର ଓ ଭଦ୍ରକର ମଧ୍ୟ ଭାଗରେ ରହିଥିବା ବେଳେ ଏହି ତିନି ଜିଲ୍ଲାର ବହୁ ବ୍ଲକ ବ୍ୟବସାୟ ପାଇଁ ଆଗରପଡ଼ା ବଜାର ଉପରେ ନିର୍ଭର କରିଥାନ୍ତି ।

ତେଣୁ ଉକ୍ତ ଅଂଚଳରେ ଶହ ଶହ ଟ୍ରାକ୍ଟର ଗାଡି ଚାଲିଥିବା ବେଳେ ସେଥିମଧ୍ୟରୁ ଶତକଡ଼ା ୯୦ ଭାଗ ଟ୍ରାକ୍ଟରଇଂଜିନ ଗୁଡ଼ିକର ଇନସ୍ୟୁରାନ୍ସ ନଥିବା ବେଳେ ଡ଼ାଲା ଗୁଡ଼ିକର ମଧ୍ୟ ଫିଟନେସ ଓ ଇନସ୍ୟୁରାନ୍ସ ନଥିବା ଜଣାପଡିଛି । ତତ୍ ସହିତ ବୟସ ନ ହୋଇ ମଧ୍ୟ ସେସବୁକୁ ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ ଚାଳକ ଚଲାଉଥିବା ଦେଖିବାକୁ ମିଳୁଛି । ବିନା ଜାଗଜ ପତ୍ରରେ ବେଧଡ଼କ ଭାବେ ରାସ୍ତା ଉପରେ ଚାଲୁଥିବା ବେଳେ ପରିବହନ ବିଭାଗ କିମ୍ବା ପୁଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଏହା ବିଭାଗର କାର୍ଯ୍ୟପନ୍ଥା ଓ ସ୍ୱଚ୍ଛତା ପ୍ରତି ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଏଥି ସହିତ ବିଭାଗର ଏହିପରି କାର୍ଯ୍ୟ ଯୋଗୁଁ ସରକାର ରାଜସ୍ୱ ହରାଉଛନ୍ତି । ତେଣୁ ଏଥିପ୍ରତି ଜିଲ୍ଲା ପରିବହନ ବିଭାଗ ଓ ସ୍ଥାନୀୟ ପୁଲିସ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।