Onn 3

ନେତାଜୀ ବସ୍‌‌ ଟର୍ମିନାଲ ସହିତ କଟକବାସୀଙ୍କୁ ୫୪୧ କୋଟି ଟଙ୍କାର ପ୍ରକଳ୍ପର ଉପହାର

State

CNBT-inaguration-CM-650x430

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ଣରେ ଖାନନଗରଠାରେ ନବନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ୍‌‌ ଟର୍ମିନାଲ(ସିଏନବିଟି)କୁ ଲୋକାର୍ପଣ କରିଛନ୍ତି । ୯୦ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ବସ ଟର୍ମିନାଲ ନିର୍ମିତ ହୋଇଛି। ସହରର ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଏବଂ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଏହା ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟ ମା’ କଟକ ଚଣ୍ଡୀ କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ କଟକ ସହର ଏକ ପବିତ୍ର ମାଟି । ଯେଉଁ ମାଟିରେ ନେତାଜୀ ସୁବାଷଙ୍କ ଠାରୁ ଆରମ୍ଭ କରି ବହୁ ସଂଗ୍ରାମୀ ଜନ୍ମ ଗ୍ରହଣ କରିଥିଲେ। ୫- ଟି କାର୍ଯ୍ୟକ୍ରମରେ କଟକ ସହରର ବିକାଶ ଘଟିଛି। କଟକ ମୋର ଜନ୍ମଭୁମି ଓ କଟକ ପ୍ରତି ମୋର ସ୍ବତନ୍ତ୍ର ଆକର୍ଷଣ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

IMAGE_1694872492
ନୂଆ ବସଷ୍ଟାଣ୍ଡରୁ ପୁରୀକୁ ପ୍ରଥମ ବସ୍ ଯାତ୍ରା କରିଥିଲା । ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଯାତ୍ରାର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ବସ୍ ଷ୍ଟାଣ୍ଡର ଲୋକାର୍ପଣ କରିବା ପରେ ଏହାର ବିଶ୍ରାମ ସ୍ଥଳୀ ଆହାର କେନ୍ଦ୍ର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ପ୍ରତିଦିନ ଏଠାରୁ ୫୦୦ ରୁ ଉର୍ଦ୍ଧ୍ବ ବସ୍ ଯାତାୟାତ କରିପାରିବ । ୯୦ ଟି ବସ୍ ଏକକାଳୀନ ରହିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହି ଭଳି ଏଠାରେ ଆହାର କେନ୍ଦ୍ରରେ ୫ ଟଙ୍କାରେ ଯାତ୍ରୀମାନେ ଭୋଜନ ପାଇ ପାରିବେ। ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ମିଶନ ଶକ୍ତି କାଫେ, ଏଟିଏମ୍ ,ମୋବାଇଲ ଚାର୍ଜିଂ ପଏଣ୍ଟ, ପୁରୁଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ସୁବିଧା ରହିଛି। ଇଲୋକ୍ଟ୍ରୋନିକ ସୂଚନା ବ୍ୟବସ୍ଥା ମଧ୍ୟ କରାଯାଇଛି । ସିସିଟିଭି ସହ ଟର୍ମିନାଲ ମଧ୍ୟରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏକ ପୋଲିସ ଆଉଟ ପୋଷ୍ଟ ରହିବ।
ମୁଖ୍ୟମନ୍ତ୍ରୀ ନୂତନ ବସ୍‌‌ ଟର୍ମିନାଲକୁ ଉଦ୍‌ଘାଟନ କରିବା ସହିତ ୧୩ଟି ପ୍ରକଳ୍ପର ଉଦ୍‌‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସମସ୍ତ ପ୍ରକଳ୍ପର ମୂଲ୍ୟ ୫୪୦.୬୦ କୋଟି ଟଙ୍କା ହେବ । ୧୩ଟି ପ୍ରକଳ୍ପ ମଧ୍ୟରେ ଖାନନଗରସ୍ଥିତ ବସ୍‌‌ ଟର୍ମିନାଲରେ ୯୦.୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସିଡିଏ ପକ୍ଷରୁ ନିର୍ମାଣ କରାଯାଇଥିଲା ବେଳେ ଆର୍ଥିକ ଦୁର୍ବଳ ବର୍ଗ ଓ ସ୍ୱଳ୍ପ ରୋଜଗାରକ୍ଷମ ଲୋକଙ୍କ ପାଇଁ ନରଣପୁରଠାରେ ୮୮.୩୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁଲଭ ଗୃହ ପ୍ରକଳ୍ପ, ୯.୭୨ କୋଟି ବ୍ୟୟରେ ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ସିଲଭରସିଟି ବୋଟ୍‌‌ କ୍ଲବ୍‌‌, ୫.୨୩ କୋଟି ବ୍ୟୟରେ ନିର୍ମିତ ତାଳଦଣ୍ଡା କେନାଲ ପାର୍ଶ୍ବରେ ଫୁଡକୋର୍ଟ ଓ ୱାଟର ସ୍ପୋର୍ଟସ୍‌‌ ଜୋନ୍‌‌ ଏବଂ କେନାଲ ଫ୍ରଣ୍ଟ ଡେଭଲପମେଣ୍ଟ, ୩.୨୨ କୋଟି ବ୍ୟୟରେ ସିଏମସି ପକ୍ଷରୁ ନିର୍ମିତ ଅର୍ବାନ ହାଟ, ପୂର୍ତ୍ତ ବିଭାଗ ଦ୍ୱାରା ୫୪ ଲକ୍ଷ ଟଙ୍କାରେ ରାଣୀହାଟ କ୍ଲକ ଟାୱାର, ୨୩.୩୫ କୋଟିରେ ତାଳଦଣ୍ଡା ଉପରେ ଏକାଧିକ ନିର୍ମିତ ପୋଲ, ୬୬.୬୫ କୋଟିରେ ନିର୍ମିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ମହାନଦୀ କ୍ୟାମ୍ପସର ଏକାଡେମିକ ବ୍ଲକ ଓ ହଷ୍ଟେଲ-୧ ଏବଂ ୨ ରହିଥିଲା ବେଳେ ୩୦.୦୦ କୋଟି ବ୍ୟୟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନୂତନ ପାଠାଗାର ଏବଂ ୨୩.୮୫ କୋଟି ଟଙ୍କା ବ୍ୟୟରେ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ ଉଦଘାଟନ କରିଛନ୍ତି । ସେହିପରି ୧୨୩.୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ କେନ୍ଦ୍ର, ଗେଷ୍ଟ ହାଉସ୍‌‌, କ୍ରିକେଟ୍‌‌ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ସିଏମସି ପକ୍ଷରୁ ୪୫.୧୯ କୋଟି ଟଙ୍କାରେ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ଓ ସର୍ବସାଧାରଣଙ୍କ ନିମନ୍ତେ ଏକାଧିକ ସୁବିଧା ସହ ପୂର୍ତ୍ତ ବିଭାଗ ପକ୍ଷରୁ ୮.୯୫ କୋଟି ଟଙ୍କାରେ ଜାତୀୟ ରାଜପଥରୁ କଟକ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ୪ ଲେନ୍‌‌ ବିଶିଷ୍ଟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଆୟୋଜିତ କାର୍ଯ୍ୟକ୍ରମରେ କୃ​ଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ସୌଭିକ ବିଶ୍ବାଳ ଓ ଚନ୍ଦ୍ର ସାରଥୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି ମେୟର ସୁବାସ ସିଂହ, ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ ଏବଂ ୫-ଟି ସଚିବ ଭି କେ ପାଣ୍ଡିୟାନ ଓ କଟକ ମହାନଗର ନିଗମ କମିଶନର ନିଖିଲ ପବନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ।