Onn 3

ଯୁଦ୍ଧଭୂମୀରୁ ଫେରିଲେ ଆଉ ୧୯୭ ଜଣ ଭାରତୀୟ

National & International

 

ret

ନୂଆଦିଲ୍ଲୀ: ଯୁଦ୍ଧଭୂମୀ ଇସ୍ରାଏଲରୁ ୧୯୭ ଜଣ ଭାରତୀୟ ନାଗରିକଙ୍କୁ ନେଇ ରବିବାର ସକାଳେ ତୃତୀୟ ଚାର୍ଟର ବିମାନ ଦିଲ୍ଲୀରେ ପହଞ୍ଚିଛି। ଇସ୍ରାଏଲରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ଏହି ସ୍ୱତନ୍ତ୍ର ବିମାନ ଗୁଡିକ ଅପରେସନ ଅଜୟର ଏକ ଅଂଶବିଶେଷ। ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସର ଅତର୍କିତ ଆକ୍ରମଣ ପରେ ଏହି ଅପରେସନ ଅଜୟ ଅଭିଯାନ ଆରମ୍ଭ ହୋଇଛି।

ବିମାନ ବନ୍ଦରରେ କେନ୍ଦ୍ରମନ୍ତ୍ରୀ କୌଶଲ କିଶୋର ଉପସ୍ଥିତ ରହି ଫେରିବା ଲୋକଙ୍କୁ ସ୍ୱାଗତ କରିଥିଲେ। ଇସ୍ରାଏଲରୁ ଆସିଥିବା ପ୍ରତ୍ୟେକ ଭାରତୀୟଙ୍କୁ ମନ୍ତ୍ରୀ ଏକ ଭାରତୀୟ ପତାକା ପ୍ରଦାନ କରିଥିଲେ। ଇସ୍ରାଏଲରୁ ଆସିଥିବା ଜଣେ ଯାତ୍ରୀ ଇସ୍ରାଏଲରୁ ଉଦ୍ଧାର ହୋଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏଥିପାଇଁ ଆମେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ। ସେଠାରେ ଆମେ ଭୟଭୀତ ହୋଇପଡ଼ୁଥିଲୁ। ଏହି ପଦକ୍ଷେପ (ଅପରେସନ୍ ଅଜୟ) ପାଇଁ ଆମେ ସରକାରଙ୍କ ନିକଟରେ କୃତଜ୍ଞ ବୋଲି ଯାତ୍ରୀ ଜଣକ କହିଛନ୍ତି। ଅନ୍ୟ ଜଣେ ଯାତ୍ରୀ ପ୍ରୀତି ଶର୍ମା କହିଛନ୍ତି ଯେ, ଦେଶକୁ ଫେରିବା ପରେ ସେମାନଙ୍କ ପରିବାର ଲୋକେ ଖୁସି ଅଛନ୍ତି।

ମୁଁ ଭାବୁଛି ଭାରତ ସରକାରଙ୍କର ଏହା ଏକ ଭଲ ପଦକ୍ଷେପ। ଏବଂ ଏହି ପଦକ୍ଷେପ ପାଇଁ ମୁଁ ଆମର ମନ୍ତ୍ରୀ (ଏସ) ଜୟଶଙ୍କରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ମୁଁ ଭାବୁଛି ଭାରତ ସେହି ପ୍ରଥମ ଦେଶମାନଙ୍କ ମଧ୍ୟରେ ଥିଲା ଯେଉଁମାନେ ଉଦ୍ଧାର କରିଥିଲେ ଏବଂ ଆମଠାରୁ ଅଧିକ, ମୁଁ ଭାବୁଛି ଆମ ପରିବାର ବହୁତ ଖୁସି ଏବଂ ସେମାନେ ଅଧିକ କୃତଜ୍ଞ ହେବେ ବୋଲି ଶର୍ମା କହିଛନ୍ତି।

ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବିମାନରେ ଥିବା ୧୯୭ ଜଣ ଭାରତୀୟଙ୍କ ଏକ ଭିଡିଓ ଟୁଇଟ୍ କରି ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତରମ୍’ ସ୍ଲୋଗାନ୍ ଦେଇଥିଲେ।

ଇସ୍ରାଏଲରୁ ଗୁରୁବାର ପ୍ରଥମ ଚାର୍ଟର ବିମାନରେ ୨୧୨ ଜଣଙ୍କୁ ନେଇ ଯାତ୍ରା କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ୨୩୫ ଜଣ ଭାରତୀୟ ନାଗରିକଙ୍କ ଦ୍ୱିତୀୟ ପର୍ଯ୍ୟାୟରେ ବିମାନ ଯୋଗେ ଫେରାଇ ଅଣାଯାଇଛି। ଶନିବାର ସ୍ଥାନୀୟ ସମୟ ରାତି ୧୧ଟା ୪୫ରେ ୨୭୪ ଜଣ ଭାରତୀୟ ନାଗରିକଙ୍କୁ ନେଇ ଚତୁର୍ଥ ବିମାନଟି ତେଲ ଆବିବରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ବର୍ତ୍ତମାନ ସୁଦ୍ଧା ୯୧୮ ଜଣ ଭାରତୀୟ ନାଗରିକଙ୍କୁ ଇସ୍ରାଏଲରୁ ବାହାରକୁ ଅଣାଯାଇଛି।

ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ପୋଷ୍ଟ କରିଛି ଯେ, ଅପରେସନ ଅଜୟର ଏକ ଅଂଶବିଶେଷ ସ୍ୱରୂପ ଇସ୍ରାଏଲରେ ଏବେ ବି ରହୁଥିବା ଭାରତୀୟ ନାଗରିକ ଏବଂ ଭାରତ ଫେରିବାକୁ ଚାହୁଁଥିବା ଭାରତୀୟମାନଙ୍କୁ ସଂଲଗ୍ନ ଯାତ୍ରା ଫର୍ମ ପୂରଣ କରିବାକୁ ଅନୁରୋଧ କରାଯାଇଛି।

ଇସ୍ରାଏଲରୁ ଫେରାଇ ଅଣାଯାଉଥିବା ଭାରତୀୟଙ୍କ ଫେରିବା ଖର୍ଚ୍ଚ ସରକାର ବହନ କରୁଛନ୍ତି। ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ନାଗରିକ ରହୁଛନ୍ତି ଓ କାମ କରୁଛନ୍ତି। ସେମାନଙ୍କ ମଧ୍ୟରେ କେୟାର ଗିଭର, ଛାତ୍ର, ଅନେକ ଆଇଟି ପ୍ରଫେସନାଲ, ହୀରା ବ୍ୟବସାୟୀ ରହିଛନ୍ତି।

ଅକ୍ଟୋବର ୭ ତାରିଖରେ ଗାଜା ଷ୍ଟ୍ରିପରେ ଥିବା ସଶସ୍ତ୍ର ହମାସ ଆତଙ୍କବାଦୀମାନେ ସ୍ଥଳ, ଆକାଶ ଓ ସମୁଦ୍ର ପଥରେ ଇସ୍ରାଏଲ ଉପରେ ଅଭୂତପୂର୍ବ ଆକ୍ରମଣ କରିବା ପରେ ଭାରତୀୟ ନାଗରିକଙ୍କ ସ୍ବେଚ୍ଛାକୃତ ଭାବେ ସଂପୃକ୍ତ ଦେଶ ଛାଡିବା ଆବଶ୍ୟକ ହୋଇପଡ଼ିଥିଲା। ସେବେଠାରୁ ଏହି ଆକ୍ରମଣରେ ଇସ୍ରାଏଲରେ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଜାରେ ଇସ୍ରାଏଲର କାଉଣ୍ଟର ଏୟାରଷ୍ଟ୍ରାଇକରେ ଅତିକମରେ ୧୯୦୦ ଲୋକଙ୍କର ମୃତ୍ୟୁ ଘଟିଛି।