Sand 750x430 1.jpg

ମେସିନ୍ ଯୋଗେ ବାଲି ଉଠାଣ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

State

 

କଟକ: ମେସିନ ବ୍ୟବହାର କରି ନଦୀ କୂଳରେ ବାଲି ଉତ୍ତୋଳନ ଉପରେ କଟକଣା ଲଗାଇବା ସହ ବାଲି ପରିବହନ ଉପରେ ଅନେକ କଟକଣା ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ।

ମେସିନ୍ ଦ୍ୱାରା ବାଲି ଉତ୍ତୋଳନ କରାଯାଇପାରିବ ନାହିଁ ଏବଂ ବୁଧବାରଠାରୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ ବୋଲି କୋର୍ଟ କହିଛନ୍ତି। ମେସିନ୍ ଦ୍ୱାରା ବାଲି ଉତ୍ତୋଳନ ପାଇଁ ପରିବେଶ ମଞ୍ଜୁରୀ ବାଧ୍ୟତାମୂଳକ ବୋଲି କୁହାଯାଇଛି।

ସକାଳ ୭ଟାରୁ ରାତି ୯ଟା ମଧ୍ୟରେ ବାଲି ବୋଝେଇ ଗାଡ଼ି ଚଳାଚଳ କରିପାରିବ ନାହିଁ ଏବଂ ରାଜ୍ୟରେ ବାଲି ଉତ୍ତୋଳନ ବେଳେ ନିୟମ ଉଲ୍ଲଂଘନ କାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

କଟକ ନିକଟସ୍ଥ କାଠଯୋଡି ନଦୀ ଶଯ୍ୟାରେ ବେଆଇନ ଓ ମେସିନ ଦ୍ବାରା ବାଲି ଉତ୍ତୋଳନକୁ ରୋକିବା ପାଇଁ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିଥିବା ସାମାଜିକ କର୍ମୀ ପ୍ରଶାନ୍ତ କୁମାର ଦାସଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ବାଲି ଖନନ ଯୋଗୁଁ ରାଜ୍ୟରେ ପ୍ରଦୂଷଣ ହେବା ସହ ରାଜସ୍ୱ ହାନି ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ବାଲି ଉତ୍ତୋଳନ ସମୟରେ ପ୍ରଦୂଷଣ ଓ ରାଜସ୍ୱ ହାନି ରୋକିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେ ନେଇ ରାଜ୍ୟ ସରକାର ଅଦାଲତରେ ସତ୍ୟପାଠ ଦାଖଲ କରିଥିଲେ।

ବାଲି ଉତ୍ତୋଳନ କୁ ନିୟନ୍ତ୍ରଣ କରିବା ପାଇଁ ୨୦୨୩ ଡିସେମ୍ବର ୨୧ତାରିଖରେ ରାଜ୍ୟ ସରକାର ଜାରି କରିଥିବା ନୂଆ ଗାଇଡଲାଇନ ଉପରେ କୋର୍ଟ ରୋକ୍ ଲଗାଇଥିଲେ। ୨୦୨୩ ନଭେମ୍ବର ୨୯ତାରିଖରେ କୋର୍ଟ ଚେତାବନୀ ଦେଇ କହିଥିଲେ ଯେ, ଯଦି ଅଧିକାରୀମାନେ କାଠଯୋଡ଼ି ନଦୀ ଶଯ୍ୟାରେ ଖନନ ଯନ୍ତ୍ର ବ୍ୟବହାର କରି ଅତିରିକ୍ତ ବାଲି ଉତ୍ତୋଳନ କୁ ରୋକିବାରେ ବିଫଳ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାଜ୍ୟରେ ବ୍ୟାପକ ବାଲି ଉତ୍ତୋଳନକୁ ବିରୋଧ କରି ଆନ୍ଦୋଳନ କରୁଥିବା ପରିବେଶବିତ୍ ଓ ସ୍ଥାନୀୟ ଲୋକଙ୍କୁ ଏହି ରାୟ ଆଶ୍ୱସ୍ତି ଦେଇଛି।