Onn 3

ରାସ୍ତାରୁ ଦୁଇ ନିର୍ବସ୍ତ୍ର ମହିଳା ଉଦ୍ଧାର ଘଟଣା, ମା’ ଓ ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ତଦନ୍ତ ଆରମ୍ଭ

Crime State

 

ସୁନ୍ଦରଗଡ଼ ; ରାସ୍ତାରୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର ମା’, ଝିଅଙ୍କ ସହ ହୋଇଛି ଦୁଷ୍କର୍ମ । ସୁନ୍ଦରଗଡ଼ରୁ ଉଦ୍ଧାର ଦୁଇ ମହିଳାଙ୍କ ସମ୍ପର୍କରେ ଛାତି ଥରାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ଝିଅ ପାଟିରୁ କଥା ବାହାରୁ ନଥିବା ବେଳେ ଅଳ୍ପ କିଛି କଥା କହିଛନ୍ତି ମା’। ଏମାନଙ୍କ ଘର ଝାଡ଼ଖଣ୍ଡରେ। ଘରେ ଆଉ ଦୁଇ ଝିଅ ଏବଂ ଜଣେ ସାନ ପୁଅ ରହିଛନ୍ତି । ସେହି ଗାଁର ଜଣେ ଯୁବକ ମା’ ଓ ଝିଅଙ୍କ ସହ ଦୁଷ୍କର୍ମ କରିଛନ୍ତି।

ଏପରିକି ମିଥୁନ ନାମକ ଯୁବକ ପରିବାର ସମସ୍ତ ମହିଳାଙ୍କ ସହ ଦୁଷ୍କର୍ମ କରୁଥିବା କଥା ମହିଳା ଅଭିଯୋଗ କରିଛନ୍ତି । ସୁନ୍ଦରଗଡ ସଦର ପୋଲିସ ଘଟଣାକୁ ଗୁରୁତର ସହିତ ନେଇ ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଉଭୟ ମା ଓ ଝିଅ ସୁନ୍ଦରଗଡ଼ ଆସିଲେ, ତାଙ୍କୁ କିଏ ଆଣିଲା ଏନେଇ ତଦନ୍ତ ଆରମ୍ଭ ହୋଇଛି । ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଆଜି ଆସ୍ଥା ଗୃହକୁ ଯାଇ ମହିଳାଙ୍କ ବୟାନ ରେକର୍ଡ କରିବା ସହ ତଦନ୍ତ ପ୍ରକିୟାକୁ ଆଗକୁ ବଢ଼ାଇଛି । ଅନ୍ୟପଟେ ଆସ୍ଥା ଗୃହର ଅଧିକାରୀ କହିଛନ୍ତି ଦୁଇ ମା’ ଓ ଝିଅଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଛି ।

ସୂଚନା ଅନୁସାରେ, ଶୁକ୍ରବାର ମଧ୍ୟାହ୍ନରେ ଜନଗହଳିପୂର୍ଣ୍ଣ କଲେଜ ରାସ୍ତାରେ ୨ ଜଣ ମହିଳା ଉଲଗ୍ନ ହୋଇ ଚାଲୁଥିବା ଦେଖିବାକୁ ମିଳିଥିଲା। ଭିଡ଼ ରାସ୍ତାରେ ଟ୍ରକ୍‌, ଅଟୋ, ବସ୍ ଯା’ଆସ କରୁଥିଲା। ଗାଡ଼ିକୁ କିଛି ସମୟ ଅଟକାଇ ଲଜ୍ଜାଜନକ ଦୃଶ୍ୟକୁ ଦେଖିବା ପରେ ଚୁପ୍‌ଚାପ୍‌ ହୋଇ ଯେଝା ବାଟରେ ଯିଏ ପଳାଉଥିଲେ। ହେଲେ କେହିବି ୨ ମହିଳାଙ୍କର ଲଜ୍ଜା ନିବାରଣ ପାଇଁ ଗାମୁଛା କି ଲୁଗା ଖଣ୍ଡେ ନେଇ ଘୋଡ଼ାଇ ଦେବାକୁ ଆଗେଇ ଆସି ନଥିଲେ।

ଠିକ୍ ଏହି ସମୟରେ ଆଦିବାସୀଙ୍କ ବିକ୍ଷୋଭରେ ସାମିଲ ହେବାକୁ ସେହି ବାଟ ଦେଇ ଯାଉଥିବା ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦୁଇ ମହିଳାଙ୍କୁ ଦେଖି ଅଟକି ଯାଇଥିଲେ। ଏଭଳି ଅଭାବନୀୟ ଦୃଶ୍ୟ ଦେଖି ବିଧାୟିକା କାର୍‌ରେ ରଖିଥିବା ଉତ୍ତରୀୟ ଆଣି ପିନ୍ଧାଇ ଦେବା ସହ ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ବିଧାୟିକା ମହିଳା ଦ୍ୱୟଙ୍କୁ ସଦରଥାନା ପୋଲିସ୍‌ ଓ ଆସ୍ଥା ଗୃହର ସମ୍ପାଦିକାଙ୍କ ଜିମା ଦେଇଥିଲେ।