Onn 3

ଅର୍ଥ ମଂଜୁର ପରେବି ପାଚେରୀ ନିର୍ମାଣ ହେଉନି : ମୁକୁଳା ପଡ଼ିଛି ସରକାରୀ ବିହନ ବିଶୋଧନାଗାର

State

ଆଗରପଡ଼ା (୨୮/୯) : ଗତ ଅପ୍ରେଲ ମାସରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଂଚାୟତ ଅର୍ନ୍ତଗତ ଶେଉଳଗଡ଼ିଆ ସରକାରୀ ବିହନ ବିଶୋଧନାଗାରରେ କର୍ମଚାରୀ ନିଯୁକ୍ତି ଓ ସ୍ଥାୟୀ ପାଚେରୀ ନିର୍ମାଣକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ବିଭାଗ ତରଫରୁ ଜଣେ କୃଷି ଓଭରସିୟରଙ୍କୁ ଏଠାରେ ନିଯୁକ୍ତି ଦିଆଯିବା ସହ ସ୍ଥାୟୀ ପାଚେରୀ ନିର୍ମାଣ ପାଇଁ ଅର୍ଥ ମଂଜୁର ହୋଇଥିବା ସୂଚନା ଜୁଲାଇ ମାସରେ ମିଳିଥିଲା । ଉକ୍ତ ସୂଚନାକୁ ଇତି ମଧ୍ୟରେ ମାସାଧିକ କାଳ ବିତି ଯାଇଥିଲେ ସୁଦ୍ଧା ବିହନ ବିଶୋଧନାଗାରର ସ୍ଥାୟୀ ପଚେରୀ ନିର୍ମାଣ ନିମନ୍ତେ ଅଦ୍ୟାବଧି କୌଣସି ପଦକ୍ଷେପ ବିଭାଗ ତରଫରୁ ନିଆ ଯାଇନଥିବାରୁ ଏହା ମୁକୁଳା ପଡ଼ିବା ସହ ଚଳିତ ବର୍ଷ ମଧ୍ୟ ଧାନ ଅମଳରେ କ୍ଷୟ ଘଟାଇବା ସମ୍ଭାବନା ସୃଷ୍ଟି କରିଛି । ବନ୍ତ ବ୍ଳକ ଏକ କୃଷି ପ୍ରାଧାନ୍ୟ ଅଂଚଳ ହୋଇଥିବାରୁ ଏହାକୁ ଆଖି ଆଗରେ ରଖି ସରକାର ୧୯୫୫ ମସିହାରେ ଉକ୍ତ ବ୍ଳକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ଅନ୍ତର୍ଗତ ଶେଉଳଗଡ଼ିଆ ଠାରେ ଏକ ବିହନ ବିଶୋଧନାଗାର ପ୍ରତିଷ୍ଠା କରିଥିଲେ । ୪୫ ଏକର ପରିମିତ ଜମି ସହ ଫିଲ୍ଡମ୍ୟାନ, ୪ ଜଣ ସ୍ଥାୟୀ ଶ୍ରମିକ ଓ ୮ଟିି ବଳଦକୁ ନେଇ କାର୍ଯ୍ୟାରମ୍ଭ କରିଥିଲା ଏହି ବିଶୋଧନାଗାର । ପାଣିର ସୁବିଧା ପାଇଁ ୨ଟି କୂଅ, ନଳକୂପ, ଲିଫ୍ଟପଏଣ୍ଟ,୫ଏକର ପରିମିତ ସ୍ଥାନରେ ପୋଖରୀ ଆଦି ଖୋଳା ଯାଇଥିଲା । ଏହା ମଧ୍ୟରେ ଆମ୍ବ ଓ ନଡ଼ିଆ ପରି ଅନେକ ଚାରା ରୋପଣ କରାଯାଇଥିଲା । ବିଶୋଧନାଗାର ଚାରି ପାଖକୁ ଲୁହା ତାର ବାଡ଼ ଦ୍ୱାରା ଆବଦ୍ଧ କରାଯିବା ସହ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ଓ ବଳଦଙ୍କ ପାଇଁ ଗୁହାଳଘର ଆଦି ନିର୍ମାଣ କରାଯାଇଥିଲା । ଇତି ମଧ୍ୟରେ ୬୭ ବର୍ଷ ବିତି ଯାଇଛି ଓ ଏହାର ରୂପରେଖରେ ବହୁ ପରିବର୍ତ୍ତନ ଆସିଛି । ପ୍ରବେଶ ପଥରେ ଥିବା ବଡ଼ ଲୁହା ଫାଟକ ଆଉ ନାହିଁ କି ପୂର୍ବରୁ ଲୁହା ତାର ବାଡ଼ ଦ୍ୱାରା ଆବଦ୍ଧ ପରିବେଶବି ନାହିଁ । ତାର ବାଡ଼ ସବୁ ନଷ୍ଟ ହୋଇଯିବା ଦ୍ୱାରା ପରିବେଶ ମୁକୁଳା ପଡ଼ିଛି । କିଛି ଅଂଶରେ ପାଚେରୀ ନିର୍ମାଣ କରାଯାଇଥିଲେ ସୁଦ୍ଧା ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ପାଲଟିଛି ଯଦ୍ୱାରା ଗୋରୁ ଗାଈ ସମେତ ଅସାମାଜିକ ବ୍ୟକ୍ତିଙ୍କ ଅବାଧ ପ୍ରବେଶ ଘଟୁଛି । ଏଠାରେ ନର୍ସରୀ ବନ୍ଦ ହୋଇଯିବା ଫଳରେ ଆଉ ଚାରା ଉତ୍ପାଦନ ହୋଇପାରୁ ନଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ନଡ଼ିଆ ଓ ଆମ୍ବ ଆଦି ଉତ୍ପାଦନ ପୁରାପୁରି ହ୍ରାସ ପାଇଛି । ଲିଫ୍ଟପଏ , କୂଅ ଓ ଟ୍ୟୁବୱେଲ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । କର୍ମଚାରୀ କ୍ୱାର୍ଟର, ଗୁହାଳ ଘର ଆଦି ପରିତ୍ୟକ୍ତ ଅବସ୍ଥାରେ ରହିଛି । ଯଦ୍ୱାରା ସମୟଚକ୍ରରେ ହଜିଯାଇଛି ବିହନ ବିଶୋଧନାଗାରର ପୁରୁଣା ଏ୍ୟୌତିହ୍ୟ । ବର୍ତ୍ତମାନ ସେ ତାର ପରିଚୟ ଖୋଜିବାରେ ଲାଗିଛି । ବିହନ ବିଶୋଧନାଗାରର ମୁଖ୍ୟ ଆଭିମୁଖ୍ୟ ହେଲା ଧାନକୁ ପ୍ରୋସେସିଂ କରାଯାଇ ବିହନକୁ ଚାଷୀମାନଙ୍କୁ ଦିଆଯିବା । କିନ୍ତୁ ବିଭିନ୍ନ ପରିପାଶ୍ୱିର୍କ ପରିସ୍ଥିତି ଯୋଗୁଁ ପୂର୍ବରୁ ପାଖାପାଖି ୧ ହଜାର କ୍ୱିଣ୍ଟାଲ ଫାଉଣ୍ଡେସନ ବିହନ ସଂଗ୍ରହ କରାଯାଉଥିବା ବେଳେ ବର୍ତ୍ତମାନ ମାତ୍ର ୫ ଶହ କ୍ୱିଣ୍ଟାଲ ଫାଉଣ୍ଡେସନ ବିହନ ସଂଗ୍ରହ କରିବା କଷ୍ଟକର ହୋଇପଡ଼ୁଛି । ବର୍ତ୍ତମାନ ୧ଟି ଟ୍ରାକ୍ଟର, ୧ଟି ଧାନ କଟା ରିପର, ଧାନ ଅମଳ ପାଇଁ ଏକଟି ପ୍ରାଚି ଓ ବିଷ ଛିଞ୍ଚଣ ଯନ୍ତ୍ର ଅଛି । ଟ୍ରାକ୍ଟରଟିଏ ଥିଲେ ସୁଦ୍ଧା ଏହାକୁ ଚଲାଇବା ପାଇଁ ସ୍ଥାୟୀ ଚାଳକଟିଏ ନାହିଁ । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବିଭାଗ ଦ୍ୱାରା କର୍ମଚାରୀ କ୍ୱାର୍ଟର ନିର୍ମାଣ କରାଯାଇଥିବା ବେଳେ ସୋଲାର ଲାଇଟର ବନ୍ଦୋବସ୍ତ କରାଯାଇଛି । ଏବଂ ଉକ୍ତ ପରିସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୋଖରୀ ସହ ୫ ଏକର ପରିମିତ ଜାଗାରେ ଗେଣ୍ଡୁ ଚାଷ ଓ ନାନାଦି ପନିପରିବା ଚାଷ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଚଳିତ ବର୍ଷ ୩୫ ଏକର ଜମିରେ ଧାନ ଚାଷ କରାଯାଉଥିବା ବେଳେ ଏହାର ଚାରିପଟରେ ସୁରକ୍ଷା ପାଚେରୀ ନଥିବାରୁ ଅମଳରେ କ୍ଷୟକ୍ଷତି ଘଟିବା ଆଶା କରାଯାଉଥିବାରୁ ସ୍ଥାୟୀ ପାଚେରୀ ନିର୍ମାଣ ଜରୁରୀ ହୋଇପଡ଼ିଛି । ତେଣୁ ସରକାରଙ୍କ ତରଫରୁ ସ୍ଥାୟୀ ପାଚେରୀ ନିର୍ମାଣ ନିମନ୍ତେ ହୋଇଥିବା ମଂଜୁର ଅର୍ଥରେ ଯଥା ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ବିଭାଗ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।