Zzz

ଆଗରପଡ଼ାକୁ ଏନ୍‌ଏସି ମାନ୍ୟତା ପ୍ରସଙ୍ଗ : ଆଶା ଓ ଆଶଙ୍କାରେ ଅଂଚଳବାସୀ

State

ଆଗରପଡ଼ା , ୧୪/୬(ଓଏନଏନ):ନୂତନ ସରକାର ଗଠନ ହେବା ପରେ ଆଗରପଡ଼ାକୁ ଏନ୍‌ଏସି ମାନ୍ୟତା ପ୍ରସଙ୍ଗକୁ ନେଇ ଆଶା ଓ ଆଶଙ୍କାରେ ବର୍ତ୍ତମାନ ଅଂଚଳବାସୀ । ନାଲି ଫିତା ତଳେ ସେମାନଙ୍କ ବହୁ ପ୍ରତିକ୍ଷୀତ ଆଶା ରହି ଯିବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଗତ ଫେବୃଆରୀ ମାସ ୨୪ ତାରିଖରେ ରାଜ୍ୟ ସରକାର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଆଗରପଡ଼ାକୁ ବିଜ୍ଞାପିତ ଅଂଚଳ ପରିଷଦ(ଏନ୍‌ଏସି)ମାନ୍ୟତା ପ୍ରଦାନ କରିଥିଲେ । ପରେ ଆଗରପଡ଼ାରେ ନୂତନ ଏନ୍‌ଏସି ଗଠନ ନିମନ୍ତେ ଜିଲ୍ଲା ସହରାଚଂଳ ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟ ଚିଠି ନଂ ୯୦୪/୨୨.୦୩.୨୦୨୪ରେ ବ୍ଲକ ଉନ୍ନୟନ ଅଧିକାରୀ ,ବନ୍ତଙ୍କୁ ପ୍ରସ୍ତାବ ପଠାଇଥିବା ଜଣାପଡ଼ିଥିଲା । ସୂଚନା ଅନୁଯାୟୀ;ରାଜ୍ୟ ସରକାରଙ୍କ ଗୃହ ଏବଂ ପୌରାଚଂଳ ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶକ, ପୌର ପ୍ରଶାସକ ଫାଇଲ ନଂ ଏଚୟୁଡ଼ି-ଇଏଲଇ-ଏମଆଇଏସସି-୦୦୦୩-୨୦୨,ପତ୍ର ନଂ୬୧୬୪/୧୩.୦୩.୨୦୨୪ରେ ରାଜ୍ୟର ଦେଓଗଡ଼,ଗଜପତି, ଝାରସୁଗୁଡ଼ା, କେନ୍ଦ୍ରପଡ଼ା,କେନ୍ଦୁଝର,ମାଲଗାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ବ୍ୟତିତ ଅନ୍ୟ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସରକାରଙ୍କ ନିୟମାନୁସାରେ ଏନ୍‌ଏସି ଗଠନ ନିମନ୍ତେ ଆବଶ୍ୟକ ତଥ୍ୟକୁ ବିଭାଗକୁ ଯଥା ଶିଘ୍ର ପଠାଇବାକୁ ଅନୁରୋଧ କରିଥିଲେ । ନିର୍ଦ୍ଦେଶାନୁସାରେ ବନ୍ତ,ବିଡ଼ିଓକୁ ଉକ୍ତ ପତ୍ରକୁ ଜରୁରୀ ମନେକରି ଆବଶ୍ୟକୀୟ ସମସ୍ତ ତଥ୍ୟ ଯଥାଶିଘ୍ର ଡ଼ିୟୁଡ଼ିଏ,ଭଦ୍ରକଙ୍କୁ ପ୍ରେରଣ କଲେ ଉକ୍ତ ପ୍ରସ୍ତାବ ସରକାରଙ୍କ ଏଚଏଣ୍ଡୟୁଡ଼ି ବିଭାଗକୁ ପରବର୍ତ୍ତୀ ପଦକ୍ଷେପ ପାଇଁ ପଠାଯିବ ବୋଲି ଅନୁରୋଧ କରାଯାଇଥିବା ଜଣାପଡ଼ିଥିଲା । କିନ୍ତୁ ବର୍ତ୍ତମାନ ନୂତନ ସରକାର ତାଙ୍କ କାର୍ଯ୍ୟ ଆରମ୍ଭ କରିଥିବାରୁ ସେ ଏଥିପ୍ରତି କି ପଦକ୍ଷେପ ନେବେ ତାକୁ ନେଇ ଅଂଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି । ଏଠାରେ ପ୍ରକାଶ ଥାଉକି; ନବୀନ ସରକାରଙ୍କ ସମୟରେ ଆଗରପଡ଼ାକୁ ଏନ୍‌ଏସି ମାନ୍ୟତା ପ୍ରସଙ୍ଗ ପ୍ରସ୍ତାବ ପ୍ରଦାନ ନିମନ୍ତେ ଜିଲ୍ଲାପାଳ,ଭଦ୍ରକଙ୍କ କାର୍ଯ୍ୟାଳୟରୁ ବ୍ଲକ ପ୍ରଶାସନ ବନ୍ତଙ୍କୁ ବାରମ୍ବାର ଚିଠି କରାଯାଉଥିଲେ ସୁଦ୍ଧା ବ୍ଲକ ପ୍ରଶାସନ ଚିଠିର ଉତ୍ତର ରଖି ନପାରୁନଥିଲେ । ଗତ୨୦୨୨ ଅଗଷ୍ଟ ମାସ ୨୩ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୮୩୦୨/ଜିଏଣ୍ଡଏମ ଓ ୧୦୩୭୧ରେ ଆଗରପଡ଼ାକୁ ଏନଏସି ମାନ୍ୟତା ପ୍ରଦାନ ନିମନ୍ତେ ପ୍ରସ୍ତାବ ପଠାଇବାକୁ ବନ୍ତ ବିଡ଼ିଓଙ୍କୁ ଅବଗତ କରାଯାଇଥିଲା । କିନ୍ତୁ ୪ମାସ ପରେ ମଧ୍ୟ ବିଡ଼ିଓ,ବନ୍ତଙ୍କ କାର୍ଯ୍ୟାୟଳୟରୁ କୌଣସି ଉତ୍ତର ନମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସ୍ମାରକ ପତ୍ର-୨ ସ୍ୱରୂପ ଚିଠି ନଂ ୧୨୩୮୪/ଜିଏଣ୍ଡଏମ ତା୫.୧୨.୨୦୨୨ରେ ପୁଣି ଆବଶ୍ୟକିୟ ତଥ୍ୟ ଯଥାଶୀଘ୍ର ପ୍ରଦାନ କଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଊକ୍ତ ପ୍ରସ୍ତାବକୁ ସରକାରଙ୍କ ଏଚଏଣ୍ଡୟୁଡ଼ି ବିଭାଗକୁ ମଂଜୁର ନିମନ୍ତେ ପଠାଯିବ ବୋଲି ବିଡ଼ିଓ, ବନ୍ତଙ୍କୁ ଅନୁରୋଧ କରାଯାଇଥିବା ଜଣାପଡ଼ିଥିଲା । ଏହାର ଏକକିତା ନକଲ ତହସିଲଦାର,ବନ୍ତଙ୍କ ସମେତ ଜିଲ୍ଳା ପରିଷଦ, ଭଦ୍ରକଙ୍କୁ ମଧ୍ୟ ପଠାଯାଇଥିବା ଜଣାପଡ଼ିଥିଲା । କିନ୍ତୁ ପ୍ରଶାସନ ଏଥିନେଇ ନିରବତା ଅବଲମ୍ବନ କରିଥିଲା । ପ୍ରଶାସନର ନିରବତାକୁ ନେଇ ବାରମ୍ବାର ‘ଓଏନଏନ’ରେ ଖବର ପ୍ରକାଶିତ ହୋଇ ଆସୁଥିଲା । ପରେ ଗତ ମଇ ମାସରେ ଆଗରପଡ଼ାକୁ ଏନ୍‌ଏସି ମାନ୍ୟତା ପ୍ରଦାନ ପାଇଁ ସରକାରୀସ୍ତରରେ ପ୍ରସ୍ତୁତି ଆରମ୍ଭ ହେବା ସହ ଉକ୍ତ ଅଂଚଳର ସର୍ଭେ ଆରମ୍ଭ ହୋଇଥିଲା । ବନ୍ତ ବ୍ଲକର ୨୫ଗୋଟି ପଂଚାୟତରୁ ୯ଟି ପଂଚାୟତ ପୁରୁଷଣ୍ଢ,ବଡ଼ମହିଁଷଗୋଠ, ଅଣିଜୋ,ଆଡ଼ିଆ, ଗୋପିନାଥପୁର,ରାମଚନ୍ଦ୍ରପୁର,ଚାରିଗାଁ ,ମହାନ୍ତିପଡ଼ା ଓ ବିଟିପୁର ପଂଚାୟତକୁ ନେଇ ୧୪ନଂ ଜୋନ ଆଗରପଡ଼ା ଗଠିତ । କେନ୍ଦୁଝର,ବାଲେଶ୍ୱର ଓ ଭଦ୍ରକ ଏହିପରି ୩ଟି ଜିଲ୍ଲାର ମଧ୍ୟ ଭାଗରେ ଆଗରପଡ଼ା ଅବସ୍ଥିତ । ବ୍ୟବସାୟିକ ଦୃଷ୍ଟି କୋଣରୁ ଆଗରପଡ଼ାର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ହୋଇଥିବା ବେଳେ ଏଠାରେ ବ୍ଲକର ଏକ ମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଦମକଳ କେନ୍ଦ୍ର ଏବଂ ଶିକ୍ଷା ଓ ପ୍ରଶିକ୍ଷକ କେନ୍ଦ୍ର ଅବସ୍ଥିତ । ପ୍ରବାଦ ପୁରୁଷ ଡ଼ଃ ହରେକୃଷ୍ଣ ମହତାବଙ୍କ ଜନ୍ମମାଟି ଆଗରପଡ଼ା ହୋଇଥିବାବେଳେ ଏ୍ୟୌତିହ ସଂପର୍ଣ୍ଣ କର୍ମ ମନ୍ଦିର ଏଠାରେ ଅବସ୍ଥିତ । ତେଣୁ ବିଭିନ୍ନ ଦୃଷ୍ଟି କୋଣରୁ ଆଗରପଡ଼ା ଏନଏସି ମାନ୍ୟତା ପାଇବା ପାଇଁ ଯୋଗ୍ୟ । ତେବେ ବିଭିନ୍ନ କାରଣରୁ ଆଗରପଡ଼ାକୁ ଏନ୍‌ଏସି ମାନ୍ୟତା ଦେବାରେ ପଛଘୁଂଚା ଦିଆଯାଉଥିଲା । ବାରମ୍ବାର ପ୍ରଶାସନିକ ଅବହେଳା ଯୋଗୁଁ ଆଗରପଡ଼ାକୁ ଏନ୍‌ଏସି ମାନ୍ୟତା ଦେବାର ଫାଇଲ୍ ଆଗକୁ ଘୁଂଚିପାରୁନଥିଲା । ଏ ନେଇ ‘ଓଏନଏନ’ରେ ବାରମ୍ବାର ଅନେକ ରିପୋର୍ଟ ପ୍ରକାଶ ପାଇଛି ।