Onn 3

ସଜେଇ ହେଉଛି ମୁକ୍ତାକାଶ ରଙ୍ଗମଞ୍ଚ

State

download (1)

କୋଣାର୍କ  : ବିଶ୍ବ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ୩୪ତମ କୋଣାର୍କ ଉତ୍ସବ ଏବଂ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବେଳାଭୂମିରେ ବିଶିଷ୍ଟ ବାଲୁକା ଶିଳ୍ପୀମାନଙ୍କୁ ନେଇ ୧୩ତମ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଆୟୋଜନ ହେବ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। କୋଣାର୍କ ଉତ୍ସବ ପାଇଁ ମୁକ୍ତାକାଶ ରଙ୍ଗମଞ୍ଚ ଗ୍ରୀନ ରୁମ୍‌, ରଙ୍ଗମଞ୍ଚ ସ୍ଥଳ, ଦର୍ଶକ ଗ୍ୟାଲେରୀ, ମୁଖ୍ୟ ଫାଟକ, କୋଣାର୍କ ଯାତ୍ରୀନିବାସ ପରିସରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିଥିବା ବେଳେ ବ୍ୟାପକ ଆଲୋକ ସଜ୍ଜା କୋଣାର୍କ ଉତ୍ସବର ଶ୍ରୀବର୍ଦ୍ଧନ କରିବ। ଚଳିତ ବର୍ଷ ଓଡ଼ିିଶୀ, ଭାରତନାଟ୍ୟମ, ମୋହିନୀ ଆଟ୍ଟ୍ୟମ, କଥକ ସମେତ ଉଚ୍ଚମାନର ନୃତ୍ୟ ପରିବେଷଣ କରାଯିବ।

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଆୟୋଜନ ଅବସରରେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ସାମଗ୍ରୀ ମେଳା ଆୟୋଜନ ହୋଇଛି। କୋଣାର୍କ ଏନ୍‌ଏସି ପକ୍ଷରୁ ହେଲିପ୍ୟାଡ଼ ପଡିଆରେ ୪ଟି ଅପେରା ପାର୍ଟି ସାମାଜିକ ଓ ଚେତନାଧର୍ମୀ ନାଟକ ପରିବେଷଣ କରିବେ। ସେହିପରି ମିନାବଜାର ମୁଖ୍ୟ ଆକର୍ଷଣ ପାଲଟିବ। ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟୁର ପ୍ୟାକେଜ ବ୍ୟବସ୍ଥା ସହ କୋଣାର୍କ-ବେଳାଭୂମି ମାର୍ଗରେ ଇକୋ ରିଟ୍ରିଟ ମହୋତ୍ସବ ଆୟୋଜନ ହେଉଛି। ଏହାଦ୍ୱାରା ରାଜ୍ୟ ପର୍ଯ୍ୟଟନ ବିଭାଗର ଅର୍ଥନୈତିକ ଅଭିବୃଦ୍ଧି ସହ ଓଡ଼ିିଶା ପର୍ଯ୍ୟଟନ ଶିଳ୍ପ ଭାରତ ତଥା ସମଗ୍ର ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିବ ବୋଲି ପର୍ଯ୍ୟଟନ ଓ ସଂସ୍କୃତିପ୍ରେମୀ ମହଲରେ ଆଲୋଚନା ହେଉଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। କୋଣାର୍କ ଉତ୍ସବ ଅବସରରେ ସୂର୍ଯ୍ୟମନ୍ଦିର ପରିସରରେ ପର୍ଯ୍ୟଟକଙ୍କ ନିମନ୍ତେ ହେଉଥିବା ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ ସୋ’ ବନ୍ଦ ରହିବ ବୋଲି ଜଣାପଡ଼ିଛି l