- କାଦୁଅ ପଙ୍କରେ ବିଦ୍ୟାଳୟ ଯାଉଛନ୍ତି ଛାତ୍ରଛାତ୍ରୀ
- ପ୍ରଶାସନର ଦୃଷ୍ଟି ପଡ଼ିବ କେବେ!
ଆଗରପଡ଼ା :କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କର ମୌଳିକ ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ଅର୍ଥର ସଦୁପଯୋଗ ହେଉଛି କେବଳ କାଗଜ କଲମରେ, ଯାହାକି ଷଡ଼ଙ୍ଗିସାହିକୁ ଦେଖିଲେ ଜଣାପଡ଼ୁଛି । ଏହି ସାହିଟିର ଅବସ୍ଥା ନିଜ ଆଖିରେ ନଦେଖିଲେ ଅନୁଭବ କରିବା କଷ୍ଟକର । ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ୨ନଂ ୱାର୍ଡ଼ ଅର୍ନ୍ତଗତ ଆପ୍ତିରା ଗ୍ରାମର ଷଡ଼ଙ୍ଗିସାହି । ଏହି ସାହି ସ୍ୱାଧିନତାର ୭୬ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ନଜର ଆଡ଼ୁଆଳରେ ରହିଯାଇଛି । ସାମାନ୍ୟ ମୌଳିକ ସୁବିଧା ସୁଯୋଗ ପାଇବାରୁ ସେମାନେ ବଞ୍ଚିତ ହୋଇଆସୁଛନ୍ତି,ଯାହାକି ବଡ଼ ଦୁଃଖ ଓ ଅନୁତାପର ବିଷୟ । ଏକ ଛୋଟିଆ ସାହି ଷଡ଼ଙ୍ଗି ଯାହାର ଲୋକ ସଂଖ୍ୟା ପାଖାପାଖି ୩୦୦ । ମାତ୍ର ଏଠାକୁ ଭଲ ରାସ୍ତାଟିଏ ନାହିଁ । ଆପ୍ତିରା ସ୍କୁଲ ଠାରୁ ଏକ କାଦୁଅ ରାସ୍ତା ଏହାକୁ ସଂଯୋଗ କରୁଛି । ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇଁ ଆଦୈା ସମ୍ଭବ ନୁହେଁ । ଚାଷଜମି ମଧ୍ୟରେ ଲମ୍ବି ଥିବା ଏହି ମାଟି ରାସ୍ତାଟି ଖାଲ ଢିପରେ ପରିପୂର୍ଣ୍ଣ । ଧାନ ଫସଲ ସମୟରେ ସାପ ତଥା ଅନ୍ୟାନ୍ୟ କୀଟପତଙ୍ଗ ଏଠାରେ ଯାତାୟାତ ସଦାସର୍ବଦା କରିଥାନ୍ତି । ସଂଧ୍ୟାପରେ ଯିବା ଅର୍ଥ ବିପଦକୁ ଡ଼ାକି ଆଣିବା, କିନ୍ତୁ ଏହା ଉପରେ ଗାଁ ଲୋକମାନେ ଯାଆଆସ କରିଥାନ୍ତି । ବଜାରକୁ ନ ଗଲେ ରୋଷେଇ ବନ୍ଦ, ପୁଣି କଲେଜକୁ ନ ଗଲେ ପାଠ ପଢା ବନ୍ଦ, ତେଣୁ ସମସ୍ତଙ୍କୁ ସବୁବେଳେ ଏହି ରାସ୍ତା ଦେଇ ଯିବା ଆସିବା କରିବାକୁ ହୋଇଥାଏ । ଏଠାରୁ ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ପ୍ରତିଦିନ ଆପ୍ତିରା ସ୍କୁଲକୁ , ଆଗରପଡ଼ା କଲେଜକୁ, କୋମଳମତୀ ଶିଶୁ ଆପ୍ତିରା ଅଙ୍ଗନବାଡ଼ି କେନ୍ଦ୍ର କୁ ଅଧ୍ୟୟନ ପାଇଁ ଆସିଥାନ୍ତି ।
ଗତ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଯୋଗୁଁ ରାସ୍ତା ସାରା କାଦୁଅ ପଚପଚ ହୋଇଥିବାରୁ ଉକ୍ତ ରାସ୍ତାରେ ଗମନାଗମନ କରିବା ଅସମ୍ଭବ ହୋଇପଡ଼ିଛି । କିଛି ଗ୍ରାମବାସୀଙ୍କ ବ୍ୟକ୍ତିଗତ ଜାଗା ଦେଇ ରାସ୍ତାଟି ଯାଇଛି । ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ, ଏଠାରୁ ପ୍ରାୟ ୫୦୦ମିଟର ଦୂରରେ ରହିଥାନ୍ତି କାରଣ ଏହି ରାସ୍ତାରେ ଚାରିଚକିଆ ଗାଡ଼ି ଆସିବା ସମ୍ଭବପର ହୁଏ ନାହିଁ । ଦମକଳ ପ୍ରସ୍ତୁତ ଥିବ ଅଥଚ ନିଆଁକୁ ଲିଭାଇବା ପାଇଁ ଅସମର୍ଥ ହେଉଥିବ ଓ ଆମ୍ବୁଲାନ୍ସ ଆସି ପହଞ୍ôଚବ ଅଥଚ ଗୁରୁତର ରୋଗୀମାନେ ତାର ସୁବିଧା ନେଇପାରୁ ନଥିବେ, ଏହି ପରି ଅସମ୍ଭବ ପରିସ୍ଥିତରେ ଷଡ଼ଙ୍ଗିବାସୀ କାଳାତିପାତ କରୁଛନ୍ତି । ଏହି ସବୁ ସମସ୍ୟା ଯୋଗୁଁ ସ୍ୱାକ୍ଷରଙ୍କ ଠାରୁ ନିରକ୍ଷରଙ୍କ ସଂଖ୍ୟା ଅଧିକ । ଆମେ ଯେମିତି ଏକ ଦ୍ୱିପପୁଂଜରେ ବାସ କରୁଛୁ ତାହାହିଁ ସବୁ ବେଳେ ଅନୁଭବ କରୁଛୁ ବୋଲି ଏଠାର ବାସୀନ୍ଦା ଏହି ପ୍ରତିନିଧିଙ୍କୁ କହିଛନ୍ତି । ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆସି ନାନା ପ୍ରତିଶୃତିମାନ ଗମନାଗମନ ସମସ୍ୟାର ସମାଧାନ ପାଇଁ ଦେଇଥିଲେ ସୁଦ୍ଧା ତାହା ଆଜିଯାଏ କେବଳ ପ୍ରତିଶୃତିରେ ହିଁ ରହିଯାଇଛି ବୋଲି ପ୍ରମୁଖ ଗ୍ରାମବାସୀମାନେ କହିଛନ୍ତି । ଗତ ୨୦୧୨-୧୩ ମସିହାରେ ଆପ୍ତିରା ସ୍କୁଲ ଠାରୁ ଷଡ଼ଙ୍ଗି ପର୍ଯ୍ୟନ୍ତ ପାଖାପାଖି ୩ ଶହ ମିଟର ମାଟି ରାସ୍ତା ନିର୍ମାଣ ପାଇଁ ଏନଆରଜିଏସ୍ରେ ୧୦ ଲକ୍ଷ ୧୦ ହଜାର ଟଙ୍କା ମଂଜୁର ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର କୈାଣସି କାରଣ ବଶତଃ ଏହି କାର୍ଯ୍ୟ ଅଧାରେ ରହିଯାଇଥିଲା । ସେହିପରି ଗତ ବର୍ଷ ଏପ୍ରିଲ ମାସରେ ଗ୍ରାମବାସୀଙ୍କ ସହଯୋଗ ଓ ସମିତିସଭ୍ୟ ସନ୍ତୋଷ ପହିଙ୍କ ପ୍ରଚେଷ୍ଟାରେ ଏକ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ପ୍ରଚେଷ୍ଟା ହୋଇଥିଲା । ଏନଆରଜିଏସ୍ରେ ୮ଲକ୍ଷ ଟଙ୍କାର ଏକ ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା । କିନ୍ତୁ ତାହା ମଧ୍ୟ ଅଧାରେ ଅଟକି ଯାଇଥିଲା । ଉକ୍ତ ରାସ୍ତା ନିର୍ମାଣରେ ସରକାରୀ ସ୍ତରୀୟ କୌଣସି ଅନୁଦାନ ମିଳିନଥିଲେ ମଧ୍ୟ ଗ୍ରାମବାସୀ ଓ ସମିତିସଭ୍ୟଙ୍କ ମିଳିତ ସହଯୋଗରେ ରାସ୍ତାଟିଏ ନିର୍ମାଣ ହୋଇପାରିଥିଲେ ମଧ୍ୟ ଉକ୍ତ ରାସ୍ତାରେ ମେଣ୍ଟାଲ କି ମହରମ ମୁଠାଏ ପଡ଼ିପାରୁନଥିବାରୁ ଏହା ଗମନାଗମନ ସାପେକ୍ଷ ହୋଇପାରୁନଥିବା ଜଣାପଡ଼ିଛି । ରାସ୍ତା ସମସ୍ୟାକୁ ନେଇ ସାହିବାସୀ ବିଭିନ୍ନ ସମୟରେ ପ୍ରତିବାଦର ସ୍ୱର ଉତ୍ତୋଳନ କରୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଉକ୍ତ ରାସ୍ତା ପ୍ରତି ପଡ଼ୁନଥିବା ଜଣାପଡ଼ିଛି । ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦୃଢ ଦାବି କରିଛନ୍ତି ।