Onn 3

ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀଙ୍କୁ ୧୫ହଜାର ଟଙ୍କା ଅର୍ଥ ଦଣ୍ଡ

State

ଆଗରପଡ଼ା: ସୂଚନା ଅଧିକାର ଆଇନ ବଳରେ ସୂଚନା ମଗାଯାଇଥିବା ବେଳେ ନିର୍ଦ୍ଧାରିତ ସମୟରେ ସୂଚନା ପ୍ରଦାନ ନ କରିବାରୁ ଜନୈକ ଜନ ସୂଚନା ଅଧିକାରୀଙ୍କୁ ରାଜ୍ୟ ସୂଚନା ଆୟୋଗ ୧୫ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ । ସୂଚନା ଅନୁଯାୟୀ; ସୂଚନା ଅଧିକାର କର୍ମୀ ବିକାଶ କୁମାର ଧଳ ବର୍ଷ ୨୦୨୦ ଜାନୁଆରୀ ମାସ ୩୧ ତାରିଖରେ ସୂଚନା ଅଧିକାର ଆଇନ ବଳରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧିନରେ ୨୦୦୩ ରୁ ୨୦୧୬ ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କର ଶିକ୍ଷାଗତ ଯୋଗ୍ୟତା ଓ ତତ୍ ସମ୍ବଦ୍ଧୀୟ ସମସ୍ତ ପ୍ରମାଣ ପତ୍ରର ତଥ୍ୟ ମାଗିଥିଲେ । କିନ୍ତୁ ଜନ ସୂଚନା ଅଧିକାରୀ ସରୋଜ କୁମାର ପ୍ରଧାନ ସମୟସୀମା ମଧ୍ୟରେ ମଗାଯାଇଥିବା ତଥ୍ୟ ଦେଇ ନପାରିବାରୁ ଶ୍ରୀ ଧଳ ପ୍ରଥମ ଅପିଲ ସେହିବର୍ଷ ମାର୍ଚ୍ଚ ମାସ ୩ ତାରିଖରେ କରିଥିଲେ । ପ୍ରଥମ ଅପିଲ କଲାପରେ ଏହାର ଉତ୍ତର ମଧ୍ୟ ପ୍ରଥମ ଅପିଲ ଅଧିକାରୀ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ପ୍ରଦାନ କରିନଥିଲେ ।

ଯଦ୍ୱାରା ସୂଚନା ଅଧିକାର ଆଇନ ଅନୁସାରେ ଶ୍ରୀ ଧଳ ୨ୟ ଅପିଲ ବର୍ଷ ୨୦୨୦ ଜୁଲାଇ ମାସ ୨୮ ତାରିଖରେ ରାଜ୍ୟ ସୂଚନା ଆୟୋଗଙ୍କ ଠାରେ କରିଥିଲେ । ଆୟୋଗ ତାଙ୍କ ଅପିଲକୁ ଗ୍ରହଣ କରି ଚଳିତ ବର୍ଷ ଜାନୁଆରୀ ମାସ ୨୫ ତାରିଖରେ ଉଭୟ ପକ୍ଷଙ୍କୁ ଅଭିଯୋଗ ର ଶୁଣାଣି ପାଇଁ ଫେବୃଆରୀ ମାସ ୧୭ ତାରିଖରେ ହାଜର ହେବାକୁ ନୋଟିସ କରିଥିଲେ । ଉକ୍ତ ଦିବସରେ ଜିଲ୍ଲା ଶିକ୍ଷାଧିକାରୀ ଆୟୋଗଙ୍କ ଠାରେ ଉପସ୍ଥିତ ରହି ତାଙ୍କ ପକ୍ଷ ରଖିଥିଲେ ସୁଦ୍ଧା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତଥ୍ୟ ପ୍ରଦାନ କରାଯାଇନଥିବାରୁ ଉକ୍ତ ବିଷୟର ବିଚାର ପାଇଁ ଜୁନ ମାସ ୧୯ ତାରିଖକୁ ଧାର୍ଯ୍ୟ କରିଥିଲେ । ଶେଷରେ ଜୁନ ମାସ ୧୯ ତାରିଖରେ ରାଜ୍ୟ ସୂଚନା ଆୟୋଗ ଉକ୍ତ ଘଟଣାର ବିଚାର କରି ଠିକ୍ ସମୟରେ ମଗାଯାଇଥିବା ତଥ୍ୟ ଶ୍ରୀ ଧଳଙ୍କୁ ଜାଣିଶୁଣି ପ୍ରଦାନ ନକରିବାରୁ ସେତେବେଳର ଜନ ସୂଚନା ଅଧିକାରୀ ସରୋଜ କୁମାର ପ୍ରଧାନଙ୍କୁ ୧୫ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିବା ସହ ଆଦେଶ ପାଇବାର ୩୦ଦିନ ମଧ୍ୟରେ ଉକ୍ତ ଅର୍ଥ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ପ୍ରଧାନ ଯଦି ନିର୍ଦ୍ଧାରିତ ସମୟରେ ଉକ୍ତ ଅର୍ଥ ପୈଠ ନକରନ୍ତି ତେବେ ଜିଲ୍ଲା ଶିକ୍ଷାଧିକାରୀ(ପ୍ରଥମ ଅପିଲ ଅଧିକାରୀ)ଙ୍କ ବେତନରୁ ଗୋଟିଏ କିସ୍ତିରେ ଉକ୍ତ ଅର୍ଥ ଆଦାୟ କରାଯିବ ବୋଲି ତାଙ୍କ ଆଦେଶରେ ଉଲ୍ଲେଖ କରିଥିବା ଜଣାପଡ଼ିଛି ।