Onn 3

ମନ୍ଥର ଗତିରେ ବିଭାଗୀୟ ଅଧିକାରୀଙ୍କ ମର୍ଜିରେ ନିର୍ମାଣ ଚାଲିଛି ମିଶନ ଶକ୍ତି ଗୃହ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ଗ୍ରାମପଂଚାୟତ ସାଙ୍କିଲୋ ଠାରେ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ ସମୟ ହେଲାଣି ମନ୍ଥର ଗତିରେ ବିଭାଗୀୟ ଅଧିକାରୀଙ୍କ ମର୍ଜିରେ ମିଶନ ଶକ୍ତି ଗୃହ ନିର୍ମାଣ ଚାଲିଥିବାର ଅଭିଯୋଗ ହୋଇଛି । ଏହି ଗୃହ ନିର୍ମାଣ ମନ୍ଥର ଗତିରେ ଚାଲିଥିବା କାରଣରୁ ପୂର୍ଣ୍ଣାଙ୍ଗ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି । ଅପରପକ୍ଷରେ ଏହି ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇ ସରକାରୀ ଅର୍ଥ ହଡପ କରାଯାଇଥିବାର ଗୁରୁତର ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆସନ୍ତା ୩୦ ତାରିଖ ଦିନ ରାଜ୍ୟ ମିଶନ ଶକ୍ତି ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବାକୁ କଟରପଡା ସମିତିସଭ୍ୟା ସ୍ୱାଗତିକା ନାୟକ ଚରମ ଚେତାବନୀ ଦେଇଛନ୍ତି । କଟରପଡା ଗ୍ରାମପଂଚାୟତ ମହିଳା ମିଶନ ଶକ୍ତିର ଏକ ଗୃହ ନିର୍ମାଣ ନିମନ୍ତେ ସରକାର ୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ପରବର୍ତୀ ପର୍ଯ୍ୟାୟରେ ଏହି ଗୃହ ନିର୍ମାଣ ନିମନ୍ତେ ପୁନର୍ବାର ୩ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା । ନିଶ୍ଚିନ୍ତକୋଇଲି ବ୍ଲକର ବିଭାଗୀୟ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିଲା । ଏହି କାର୍ଯ୍ୟ ଗତ ୨୦୧୭-୧୮ ଆର୍ଥୀକ ବର୍ଷରେ ଆରମ୍ଭ କରାଯାଇଥିଲା । ଇତି ମଧ୍ୟରେ ୪ ବର୍ଷ ବିତିବାକୁ ବସିଥିଲା ବେଳେ ଏପର୍ଯ୍ୟନ୍ତ ଗୃହ ନିର୍ମାଣ କାର୍ଯ୍ୟ ପୂଣ୍ଣାଙ୍ଗ ହୋଇପାରିନଥିବାର ଅଭିଯୋଗ ହୋଇଛି ।

ତେବେ ବିଭାଗୀୟ ଅଧିକାରୀ ଅଟକଳ ଅନୁଯାଇ ଏହି ଗୃହ ନିର୍ମାଣ କାର୍ଯ୍ୟ କରିନଥିବାର ଅଭିଯୋଗ ହୋଇଛି । ଗୃହ ନିର୍ମାଣ କାର୍ଯ୍ୟରେ ଅତ୍ୟନ୍ତ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରାଯାଇଥିବା କାରଣରୁ ଗୃହର ସ୍ଥାୟୀତ୍ୱ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ସେହିପରି ଭାବେ ଏହି ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିଲା ବେଳେ କାନ୍ଥରୁ ରଙ୍ଗ ଓ ବାଲି ସିମେଂଟ ଛାଡିବାକୁ ଆରମ୍ଭ କଲାଣି । ଦୀର୍ଘ ଦିନ ହେଲା ଏହି ଗୃହଟି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିରହିଥିଲା ବେଳେ ଏହା ଏକରକମ ଭୂତକୋଠିରେ ପରିଣତ ହୋଇଥିବାର ସାଧାରଣରେ କୁହାଯାଉଛି । ତେବେ ଏହି ଗୃହ ନିର୍ମାଣ କାର୍ଯ୍ୟ ନିିମ୍ନମାନରକରାଯାଇଥିବାର ଅଭିଯୋଗ ଉପରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ଏହା ଉପରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯାଇ ନଥିବାର ସମିତି ସଭ୍ୟା ଶ୍ରୀମତୀ ନାୟକ ଅଭିଯୋଗ କରିଛନ୍ତି । ଏହି ନିର୍ମାଣ କାର୍ଯ୍ୟରେ ବଡ ଧରଣର ଦୁର୍ନୀତିର ଗନ୍ଧ ସ୍ପଷ୍ଟଭାବେବାରି ହେଉଥିବାର ଶ୍ରୀମତୀ ନାୟକ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଏହି ବ୍ଲକରେ ଅଧିକାଂଶ ମିଶନ ଶକ୍ତି ଗୃହ ନିର୍ମାଣନିମନ୍ତେ ୫ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଥିଲା ବେଳେ ଗୃହ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇସାରିଛି । କିନ୍ତୁ ରହସ୍ୟ ଜନକ ଭାବେ ଏହି ଗୃହ ନିର୍ମାଣନିମନ୍ତେ ୮ ଲକ୍ଷ ୮୦ ହଜାରଟଙ୍କା ମଞ୍ଜୁର ହୋଇଥିଲା ବେଳେ ବିଭାଗୀୟ ଅଧିକାରୀଙ୍କ ଦାୟୀତ୍ୱ ହୀନତା ଓ କର୍ତବ୍ୟରେ ଚରମ ଅବହେଳା କାରଣରୁ ଏପର୍ଯ୍ୟନ୍ତ ଏହି ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇପାରୁନଥିବାର ଶ୍ରୀମତୀ ନାୟକ ଅଭିଯୋଗ କରିଛନ୍ତି ।

ତେବେ ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାନଗଲେ ଆଗାମୀ ୩୦ ତାରିଖ ଦିନ ଶ୍ରୀମତୀ ନାୟକ ଭୁବନେଶ୍ୱରସ୍ଥିତ ମହିଳା ମିଶନ ଶକ୍ତି କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ମହିଳା ମିଶନ ଶକ୍ତି କମିସନର ତଥା ସଚିବ ଶ୍ରୀମତୀ ସୁଜାତା କାର୍ତିକେୟନଙ୍କୁ ଲିଖିତ ଆକାରରେ ଜଣାଇଥିବାର ଜଣାଯାଇଛି । ତେବେ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ତରଫରୁ ରହସ୍ୟ ଜନକ ଭାବେ ବିଭାଗୀୟ ନାମରେ କାର୍ଯ୍ୟାଦେଶ ଦିଆଯାଇ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ବିଭାଗୀୟ ଅଧିକାରୀ , ନିର୍ବାଚିତ ଲୋକପ୍ରତିନିଧି ଲୁଟିନେଉଥିବା ଘଟଣା କାହାରିକୁ ଅଛପା ନାହିଁ । ଏସମ୍ପର୍କରେ ମତାମତ ନେବା ନିମନ୍ତେ ଆମ ପ୍ରତିନିଧି ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କ ମୋବାଇଲ ନମ୍ବର ୮୮୯୫୨୮୭୦୫୭କୁ ଏକାଧିକବାର କଲ କରିଥିଲେ ମଧ୍ୟ ସେ କଲ ଗ୍ରହଣ ନକରିବା କାରଣରୁ ତାଙ୍କର ମତାମତ ନେବା ସମ୍ଭବପର ହୋଇପାରିନାହିଁ ।