Onn 3

କ୍ୟାବିନେଟ ବୈଠକରେ ୧୫ ପ୍ରସ୍ତାବକୁ ମଞ୍ଜୁରୀ

State

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ ବୈଠକରେ ମୋଟ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ଅନୁମୋଦନ ମିଳିଛି। ସେହିଭଳି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ରାସ୍ତା ନିର୍ମାଣକୁ ଅନୁମୋଦନ ମିଳିଛି। ଦୁର୍ଗମ ପାର୍ବତ୍ୟ ଅଞ୍ଚଳ, ନକ୍ସଲ ପ୍ରଭାବିତ ଅଞ୍ଚଳକୁ ସଂଯୋଗୀକରଣ, ଅପହଞ୍ଚ ଓ ଅସଂଯୋଜିତ ଗ୍ରାମାଞ୍ଚଳକୁ ମୁଖ୍ୟ ସଡ଼କ ସହ ଯୋଡ଼ିବା ଏହି ଯୋଜନାର ଲକ୍ଷ୍ୟ। ଏହି ଯୋଜନାରେ ୩୬୧ କିମି ରାସ୍ତା ହେବ। ମୋଟ ୯୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଶ୍ରୀ ଜେନା କହିଛନ୍ତି ଯେ, ପୁରୀକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ‘ଅବଢ଼ା’ ଯୋଜନା ଲାଗୁ ହୋଇଛି। ଏହି ଯୋଜନାର ଅଟକଳ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‌ ମଂଜୁରୀ ମିଳିଛି। ୩୨୦୮ କୋଟିର ବ୍ୟୟବରାଦକୁ ୪୨୨୪.୨୨ କୋଟିକୁ ବୃଦ୍ଧି ନିଷ୍ପତ୍ତି ହୋଇଛି। ସେହିପରି ଗଂଜାମ ଶୀତଳାପଲ୍ଲୀରେ ହସ୍ପିଟାଲ ପାଇଁ ଟାଟାକୁ ୪୩ ଏକର ଜମି ଦିଆଯିବ। ନାମମାତ୍ର ଅର୍ଥରେ ଟାଟା ଷ୍ଟିଲକୁ ମିଳିବ ଜମି। ରାୟଗଡ଼ା ମଝିଘରିଆଣି ମନ୍ଦିର ବିକାଶ ପାଇଁ ୬ ଏକର ଜମି ଦିଆଯିବ।

କ୍ୟାବିନେଟ୍‌ ବୈଠକରେ ସଉରା ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦର ସାମିଲ ପାଇଁ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏନେଇ କେନ୍ଦ୍ରକୁ ପ୍ରସ୍ତାବ ପଠାଯିବ। ଅନୁସୂଚିତ ଜାତ ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ସଉରା ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ପ୍ରସ୍ତାବ ପାରିତ କରାଯାଇଛି। ସେହିପରି ଭାରତୀୟ ସମ୍ବିଧାନରେ ଅନ୍ତର୍ଭୁକ୍ତ ହେଲେ ସଉରା ଭାଷା ଓ ସଂସ୍କୃତିର ବିକାଶ ହେବ।‌ ସେହିପରି ସଉରା ଭାଷାର ସଂରକ୍ଷଣ ଓ ପ୍ରଚାରପ୍ରସାର ହୋଇପାରିବ। ବିଭିନ୍ନ ପ୍ରସଙ୍ଗରେ ଲେଖା ପ୍ରକାଶନ ହୋଇପାରିବ। ଏହି ନିଷ୍ପତ୍ତିରେ ୫ ଲକ୍ଷ ସଉରାଭାଷାଭାଷୀ ଲୋକ ଉପକୃତ ହେବେ। ୧୯୩୦ ମସିହାରେ ସଉରା ଲିପି ଆରମ୍ଭ ହୋଇଥିଲା। ଭାରତ ସରକାରଙ୍କୁ ରାଜ୍ୟ ସରକାର ଅନେକ ଥର ବିଭିନ୍ନ ଆଦିବାସୀ ଭାଷା ଯଥା ‘ହୋ, ମୁଣ୍ଡାରି ଓ ଭୂମିଜ’କୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଅନୁରୋଧ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ବାବଦରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।