Onn 3

ଏପ୍ରିଲ 14ରୁ ବାରିପଦାରେ ବଳାଙ୍ଗୀ ମହୋତ୍ସବ

State
ଶନିବାର ସନ୍ଧ୍ୟାରେ ସାଂସ୍କୃତିକ ଜାଗରଣ ପାଇଁ ବାଇକ ରେଲି

ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ବିକାଶ ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ
ମୟୁରଭଞ୍ଜ ଜିଲ୍ଲାର ମହାନ ଗଣପର୍ବ ମୟୁରଭଞ୍ଜ ବାଲିମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ଥର 22ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2024 ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ଆସନ୍ତା ଏପ୍ରିଲ 14ରୁ 18 ତାରିଖ ପର୍ଯ୍ୟନ୍ତ 5ଦିନ ଧରି ପାଳିତ ହେବ | ଏହି ଉପଲକ୍ଷେ ସାଂସ୍କୃତିକ ଜାଗରଣ ନିମନ୍ତେ 13 ତାରିଖ ଶନିବାର ସନ୍ଧ୍ୟାରେ ବଳାଙ୍ଗୀ ସେନା ପକ୍ଷରୁ ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ଏକ ବାଇକ ଶୋଭାଯାତ୍ରା ବାହାରି ବାରିପଦା ସହର ପରୀକ୍ରମା କରିବ ବୋଲି ଜଣାଯାଇଛି | ସେହିପରି 14 ତାରିଖ ସନ୍ଧ୍ୟାରେ ମହୋତ୍ସବ ଉଦଘାଟିତ ହେବା ସହ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଯଜ୍ଞ, ଓଡ଼ିଆ ନବବର୍ଷ ପାଳନ, ବିଭିନ୍ନ ବର୍ଗର ସ୍ଥାନୀୟ ନୃତ୍ୟ କଳାକାର ମାନଙ୍କର ନୃତ୍ୟ ପ୍ରତିଯୋଗିତା ଏବଂ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସାଂସ୍କୃତିକ ଦଳ ଯୋଗଦେଇ ସେମାନଙ୍କର କଳା କୌଶଳ ପ୍ରଦର୍ଶନ କରିବେ | ମୟୁରଭଞ୍ଜର ଜୀବନ ଧାରା କୁହାଯାଉଥିବା ବୁଢାବଳଙ୍ଗ ନଦୀ ବାଲି ଉପରେ ମହା ବିଷୁବ ପଣା ସଂକ୍ରାନ୍ତି ଠାରୁ 5ଦିନ ଧରି ଚାଲିବାକୁ ଥିବା ମୟୁରଭଞ୍ଜର ଏହି ଗଣ ମହୋତ୍ସବରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ମହୋତ୍ସବ କମିଟି ତରଫରୁ ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଏକ ପ୍ରେସ ବିବୃତି ରେ ଜଣାଇଛନ୍ତି |