Photo For The News Of Sabari

ସମୟ ଚକ୍ରରେ ହଜିଯାଇଛି ସବାରୀ-ପାଲିଙ୍କି : ଆଉ ଶୁଭୁନି ‘ହାକୁମ୍ ଧାବଲ ହୁକୁମ୍ ଭାଇ’ ଡ଼ାକ

State

ଆଗରପଡ଼ା  : ଆଧୁନିକ ଯୁଗରେ ଆଧୁନିକ ପରମ୍ପରାକୁ ଆପଣେଇବା ଇଚ୍ଚାରେ ମନୁଷ୍ୟ କ୍ରମଶଃ ଭୁଲି ଯାଇଛି ତାର ପରମ୍ପରା,ଚାଲିଚଳନ ଓ ସାମାଜିକ ବ୍ୟବସ୍ଥାକୁ । ସେହି ବ୍ୟବସ୍ଥା ଭିତରେ ହଜିଯାଇଛି ଓଡ଼ିଆ ଘରର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା “ସବାରୀ-ପାଲିଙ୍କି”ା ଆଉ ଶୁଭୁ ନାହିଁ “ହାକୁମ୍ ଧାବଲ ହୁକୁମ୍ ଭାଇ” “ଆଗରେ ଘାଇ ଧିରେ ଚାଲେ ଭାଇ”ଡ଼ାକ । ଇତିହାସ ପୃଷ୍ଠାରେ ମନୁଷ୍ୟ କୃତ ଏହି ସବାରୀ-ପାଲିଙ୍କିର ପ୍ରଚଳନ କେବେ ହୋଇଥିଲା ଲିପିବଦ୍ଧ ନହୋଇଥିଲେ ମଧ୍ୟ ଏହା ଓଡ଼ିଆ ଘରର ପରମ୍ପରା,ଚାଲିଚଳନ ଓ ସାମାଜିକ ବ୍ୟବସ୍ଥାରେ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲା । ବିବାହ କିମ୍ବା ବ୍ରତଘର ହେଉ ସବୁ ସମୟରେ ଏହାର ଆବଶ୍ୟକତା ରହୁଥିଲା । ବିବାହ ସାରି ପାଲିଙ୍କିରେ ବର ଓ ସବାରୀରେ କନ୍ୟା ଫେରୁଥିବା ସମୟର ଦୃଶ୍ୟ ଥିଲା ଅତି ନିଆରା । ଆଗରେ ସବାରୀ ତା ପଛ ପଛେ ପାଲିଙ୍କି, ପାଲିଙ୍କିର ସାଜସଜ୍ୟା ଖୁବ୍ ଉଚ୍ଚ କୋଟିର ଓ ମନୋହର,ଆଗରେ ଦୁଇଜଣ ଓ ପଛରେ ଦୁଇଜଣ ଏହିପରି ଚାରିଜଣ ଗୋପାଳ ପୁଅ କାନ୍ଧରେ କାନ୍ଧେଇ ଥାନ୍ତି ସବାରୀ ଓ ପାଲିଙ୍କିକୁ ଏବଂ ଡ଼ାକ ଚାଲିଥାଏ “ହାକୁମ୍ ଧାବଲ ହୁକୁମ୍ ଭାଇ” “ଆଗରେ ଘାଇ ଧିରେ ଚାଲେ ଭାଇ” ଏହି ଡ଼ାକ ଯେତେବେଳେ ଗାଁ ମୁଣ୍ଡରେ ପହଞ୍ଚେ ସେତେବେଳେ ଗାଁର ଝିଅ, ବୋହୂ ମାନେ ଭିଡ଼ ଜମାଇଥାନ୍ତି ବର କନ୍ୟାଙ୍କୁ ଦେଖିବାକୁ ଓ ବର ଘର ଲୋକେ କନ୍ୟାକୁ ବନ୍ଦାଣ କରିବା ପାଇଁ ବନ୍ଦାଣଥାଳିଧରି ନିଜକୁ ସଜାଗ କରିଥାନ୍ତି ।

Photo For The News Of Palinki

ବରପାତ୍ରଟିଏ ତା ଜୀବନରେ ଥରେ ମାତ୍ର ପାଲିଙ୍କିରେ ଚଢିବାର ସୁଯୋଗ ପାଇଥିବା ବେଳେ ବଧୂଟି ସବାରୀରେ ଯିବାଆସିବା କରିଥାଏ । କିନ୍ତୁ ସମୟ ଚକ୍ର ଓ ଆଧୁନିକ ସମାଜର ଆଧୁନିକ ପରମ୍ପରାରେ ଏହାର ଆବଶ୍ୟକ ହେଉ ନ ଥିବାରୁ ଏହା ହଜି ଗଲାଣି । ଆଗରପଡ଼ାର ଆଖ ପାଖ ଅଞ୍ଚଳ ଯଥା:-ବୋଡ଼କମହାଜିବ୍‌, ଅରଞ୍ଚି, ଚୈତନପାଳ ଓ ନିମଗଡ଼ିଆ ଏପରି କିଛି ଗ୍ରାମ ଯେଉଁ ଗ୍ରାମରେ ଗ୍ରାମର କିଛି ପରିବାର ଏହି ସବାରୀ-ପାଲିଙ୍କିକୁ ଏବେବି ସାଇତି ରଖିଛନ୍ତି ଓ ଆବଶ୍ୟକ ସ୍ଥଳେ ଏହାକୁ ବ୍ୟବସାୟିକ ଉପକରଣ ରୂପେ ବ୍ୟବହାର କରୁଛନ୍ତି । ଖବର ନେବାରୁ ଜଣାଯାଏ ଯେ:-ଆଜିବି ଏପରି କିଛି ଗ୍ରାମ ଅଛି ଯେଉଁ ଗ୍ରାମରେ ଗମନା ଗମନର ସୁବିଧା ନ ଥିବାରୁ ସେମାନେ ବିବାହ ଓ ବ୍ରତଘର ଆଦି ପାଳନ କଲେ ସବାରୀ-ପାଲିଙ୍କି ଲୋଡ଼ିଥାନ୍ତି ।

ସେହିପରି ଗ୍ରାମ ଯଥା:- ସୁଆଁପଦା, ବେଲଗଡ଼ିଆ, ତୁମ୍ଭାପଦି ଓ କାଉପୁର ଅଞ୍ଚଳର କିଛି ଗ୍ରାମ ମଧ୍ୟ ଆଜିବି “ସବାରୀ-ପାଲିଙ୍କି”ଆବଶ୍ୟକ କରିଥାନ୍ତି । ବୋଡ଼କମହାଜିବ୍ ଗ୍ରାମର କିଛି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ଅନୁଯାୟୀ ୬୦ ବର୍ଷରୁ ଉର୍ଦ୍ଧ ହେବ ତାଙ୍କ ବଂଶଜ ସବାରୀ-ପାଲିଙ୍କିକୁ ବ୍ୟବସାୟୀକ ଉପକରଣ ରୂପେ ବ୍ୟବହାର କରୁଥିଲେ ଏବଂ ସେ ନିଜେ ୧୯୯୦ ମସିହାରୁ ୧୫ ବର୍ଷ କାଳ ସବାରୀ-ପାଲିଙ୍କିକୁ ବ୍ୟବସାୟ ରୂପେ ବ୍ୟବହାର କରି ଦୈନିକ ୫୦ ଟଙ୍କାରୁ ଆରମ୍ଭ କରି ୫୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ଖୁବ୍ ଆନନ୍ଦରେ ପରିବାର ପ୍ରତିପୋଷଣ କରୁଥିଲେ କିନ୍ତୁ ସମୟାନୁକ୍ରମେ ଏହାର ବ୍ୟବହାର କମି ଯିବାରୁ ସେ ୨୦ ବର୍ଷ ହେବ(ଗତ ବର୍ଷ ୨୦୦୪)ରୁ ଅନ୍ୟ ପନ୍ଥା ଅବଲମ୍ବନ କରି ପରିବାର ପ୍ରତିପୋଷଣ କରୁଛନ୍ତି । ସୁନ୍ଦରୀ ସାହୁ (୬୨)ଙ୍କ କହିବା ଅନୁଯାୟୀ ସେ ତାଙ୍କ ଜୀବନ କାଳ ଭିତରେ ଚାାରି ପାଞ୍ଚ ଥର ସବାରୀରେ ବସି ସବାରୀର ମହତ୍ୱକୁ ଖୁବ୍ ଅନୁଭବ କରିଛନ୍ତି । ଜନଶ୍ରୁତି କହେଯେ:-କାଉପୁର ଗ୍ରାମର ୰ରାଜା ତାଙ୍କ ରାଜତ୍ୱ ସମୟରେ ମେହେନା(ପାଲିଙ୍କି)ଆରୋହଣ କରି ସ୍ନାନ କରିବାକୁ ଆସୁଥିଲେ । ଛଖଣ୍ଡ କାଠରେ ଚଢି ଓଡ଼ିଆ ପରମ୍ପରା ଓ ସାମାଜିକ ବ୍ୟବସ୍ଥାକୁ ଉପଭୋଗ କରିବାର ଅନୁଭୁତି ନିଆରା କିନ୍ତୁ ସମୟଚକ୍ରରେ ଏହା ହଜିଯାଇଛି । ଯଦି ଏହି ସବାରୀ-ପାଲିଙ୍କିକୁ ସାଇତି କରି ରଖାଯାଇ ପାରନ୍ତା ଓ ବିବାହ, ବ୍ରତ ଆଦିରେ ବ୍ୟବହାର ହୋଇ ପାରନ୍ତା ତେବେ ଆମ ସଂସ୍କୃତି ଓ ପରମ୍ପରାର ଅନୁଭୁତି କିଛି ମାତ୍ରାରେ ଉଦ୍‌ଜିବିତ ହୋଇପାରନ୍ତା ।