Onn 3

ବନ୍ତ ବ୍ଲକରେ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା, ୨୫ ପଂଚାୟତକୁ ୧୨ ପିଇଓ ଓ ୧୨ ଜିଆରଏସ

State

ଆଗରପଡ଼ା:ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରତି ପଂଚାାୟତରେ ଜଣେ ପିଇଓ ବା କାର୍ଯ୍ୟନିର୍ବାହୀ ଅଧିକାରୀ, ଜଣେ ଜିଆରଏସ ବା ଗ୍ରାମ୍ୟ ରୋଜଗାର ସେବକ ଏବଂ ଜଣେ କନିଷ୍ଠ ଯନ୍ତ୍ରୀ ରହିବାର ନିୟମ ରହିଛି କିନ୍ତୁ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଯାହା ଫଳରେ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ଉପୁଜୁଛି । ଏହି ବ୍ଲକରେ ୨୫ଟି ଗ୍ରାମପଂଚାୟତ ପାଇଁ ବର୍ତ୍ତମାନ ୧୨ ଜଣ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ୧୨ ଜଣ ଗ୍ରାମ୍ୟ ରୋଜଗାର ସେବକ ଅଛନ୍ତି । ଜଣେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଗ୍ରାମ୍ୟ ରୋଜଗାର ସେବକ ଏକାଧିକ ଗ୍ରାମପଂଚାୟତର ଦାୟିତ୍ୱରେ ରହୁଥିବାରୁ ସରକାରୀ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁ ନଥିବା ବେଳେ ହିତାଧିକାରୀମାନେ ଠିକ୍ ସେବା ପାଇପାରୁ ନାହାନ୍ତି ।

ବ୍ଲକ ଅଫିସର ଆବଶ୍ୟକୀୟ କିରାଣୀ ନଥିବାରୁ ବିଭିନ୍ନ କାର୍ଯ୍ୟ ତ୍ୱରାନ୍ନିତ ହୋଇପାରୁ ନାହିଁ । ସେହିପରି ବ୍ଲକରେ ନିଯୁକ୍ତି ପାଇଥିବା ୯ଜଣ କନିଷ୍ଠ ଯନ୍ତ୍ରୀ ବିଭିନ୍ନ ପଂଚାାୟତର ନିର୍ମାଣ କାର୍ଯ୍ୟ ଓ ତାର ତଦାରଖ କିପରି କରୁଥିବେ ତାହା ସହଜରେ ଅନୁମେୟ । ବ୍ଲକରେ କୈାଣସି ସ୍ଥାୟୀ ପିଅନ ନ ଥିବାରୁ ଦିନ ମଜୁରୀଆ ହିସାବରେ ଜଣେ ଅସ୍ଥାୟୀ କର୍ମଚାରୀ ରାତ୍ରୀ ଜଗୁଆଳୀ କାର୍ଯ୍ୟ ସଂପର୍ଣ୍ଣ କରିବା ସହ ଏହି କାର୍ଯ୍ୟ ତୁଲାଉଛନ୍ତି । ସରକାରଙ୍କ ତରଫରୁ ବ୍ଲକରେ ଆବଶ୍ୟକ ମୁତାବକ କର୍ମଚାରୀ ମୂତୟନ କରାଯାଇ ପାରୁ ନଥିବାରୁ ଏହାର ଉନ୍ନୟନ ମୂଳକ କାର୍ଯ୍ୟର ସଫଳ ରୂପାୟନ ହୋଇପାରୁନାହିଁ । ଏହି ସବୁ ସମସ୍ୟାର ସମାଧାନ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସୁଚାରୁ ରୂପେ ପରିଚାଳନା କିପରି ହୋଇପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ବେବାକୁ ବନ୍ତ ଅଂଚଳବାସୀ ଦାବି କରିଛନ୍ତି ।