ବାରିପଦା – ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ, ବାରିପଦା ଠାରେ ଡି ଆଇ ଇ ଟି – ସି ଆର ସି ସଂଯୋଗ କାର୍ଯ୍ୟକ୍ରମ ଅଧୀନରେ ମୟୂରଭଞ୍ଜ ଜିଲ୍ଲାର ଆଗାମୀ ୬ ମାସ ପାଇଁ ଭବିଷ୍ୟତ ଯୋଜନା ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି, ଜିଲ୍ଲା ପେଡାଗଜୀ ସଂଯୋଜକ ଶୈଳବାଳା ବେହେରା, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଅନାଦି ଚରଣ ବିନ୍ଧାଣି ଓ ବର୍ତ୍ତମାନ ଅଧକ୍ଷ ପ୍ରମୋଦ କୁମାର ଡାକୁଆ ତଥା ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଆଞ୍ଚଳିକ ସମ୍ବଳ କେନ୍ଦ୍ର ସଂଯୋଜକ ଏବଂ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ l ଏଥିରେ ୬ ମାସିକ ଭବିଷ୍ୟତ କାର୍ଯ୍ୟ ଯୋଜନା, ମୌଳିକ ସାକ୍ଷରତା ଓ ଭାଷାଜ୍ଞାନ ସଶକ୍ତିକରଣ, ଶ୍ରେଣୀ ଗୃହ ପର୍ଯ୍ୟବେକ୍ଷଣ, ନିପୁଣ ପ୍ରମାଣିତ ବିଦ୍ୟାଳୟ କାର୍ଯ୍ୟକ୍ରମ, ଶିଶୁ ବାଟିକା, ଗୋଷ୍ଠୀ ସମ୍ୱଳ କେନ୍ଦ୍ର ସଂଯୋଜକ ନିମନ୍ତେ ସକ୍ରୀୟlତ୍ମକ ଗବେଷଣା ଇତ୍ୟାଦି ଆଲୋଚନା କରାଯାଇଥିଲା l ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସେଠୀ ଓ ପ୍ରତିଷ୍ଠାନର ଅଧକ୍ଷ ଶ୍ରୀଯୁକ୍ତ ଡାକୁଆ ଏହି ଯୋଜନାର ସଶକ୍ତ ତଥା ରାଷ୍ଟ୍ରୀୟ ପରାଖ ସର୍ବେକ୍ଷଣରେ ଜିଲ୍ଲାର ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ଗୋଷ୍ଠି ଶିକ୍ଷା ଅଧିକାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ l ପ୍ରତିଷ୍ଠାନର ପୂର୍ବତନ ଅଧକ୍ଷ ଶ୍ରୀଯୁକ୍ତ ବିନ୍ଧାଣୀ ଓ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଅଭିମନ୍ୟୁ ବେହେରା ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ସମସ୍ତଙ୍କର ସକ୍ରିୟ ଭୂମିକା, ଅଂଶଗ୍ରହଣ ଏବଂ ସହଯୋଗ ଏକାନ୍ତ କାମ୍ୟ ବୋଲି ଗୁରୁତ୍ୱାରୋପ କରିଥିଲେ l ଏଥିରେ ଜିଲ୍ଲାର ୪ଟି ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ/ପ୍ରଶିକ୍ଷିକା, ଶିକ୍ଷକ ପ୍ରଶିକ୍ଷକ/ପ୍ରଶିକ୍ଷିକା, ୨୬ ବ୍ଲକର ଗୋଷ୍ଠି ଶିକ୍ଷା ଅଧିକାରୀ ତଥା ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଉପସ୍ଥିତ ରହି ଏହି କାର୍ଯ୍ୟ ଯୋଜନା ସଫଳ ରୂପାୟନ ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l
