Nan

ବାରିପଦା ଆସୁଛନ୍ତି ନାୟିକା ନନ୍ଦିତା ଦାସ, ଶିଶୁ ମହୋତ୍ସବ ମୟୂରୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ

State

ବାରିପଦା :ସ୍ଥାନୀୟ ଶିଶୁ ଉଦ୍ୟାନ ପରିସରରେ ଶିଶୁ ଦିବସ ଅବସରରେ ଅନୁଷ୍ଠିତ ହେବାକୁ ଥିବା ସଂସ୍କାର ଶିଶୁ ମହୋତ୍ସବ ମୟୂରୀର ତିନିଦିନିଆ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି l 14 ତାରିଖରେ ଶିଶୁ ମହୋତ୍ସବ ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ବିଶିଷ୍ଟ ଚଳଚ୍ଚିତ୍ର ନାୟିକା, ନିର୍ଦ୍ଦେଶିକା ତଥା ପ୍ରଯୋଜିକା ନନ୍ଦିତା ଦାସ ଆସୁଛନ୍ତି l ବାରିପଦା ଦେଉଳ ସାହି ରେ ନନ୍ଦିତାଙ୍କ ପୈତୃକ ଘର l ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପ୍ରଖ୍ୟାତ ଚିତ୍ର ଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସ ଙ୍କ ସୁକନ୍ୟା ହେଉଛନ୍ତି ନନ୍ଦିତା l ମୟୂରଭଞ୍ଜ ମାଟିର ମହକ ପ୍ରତି ତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି l ସଂସ୍କାର ଶିଶୁ ମହୋତ୍ସବ କମିଟି ମୟୂରୀର ନିମନ୍ତ୍ରଣ କୁ ସ୍ୱୀକାର କରି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁନି କୁନି ପିଲାଙ୍କ ସହ ମିଶିବାକୁ ସେ ସମ୍ମତି ଦେଇଛନ୍ତି l ନନ୍ଦିତାଙ୍କ ତରଫରୁ ସବୁଜ ସଂକେତ ମିଳିବା ପରେ ମହୋତ୍ସବ କମିଟିର କର୍ମକର୍ତ୍ତା ଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି l ସେପଟେ ଏହି ଖବର ପ୍ରଚାରିତ ହେବା ପରେ ପ୍ରତିଯୋଗୀ ଓ ଅଭିଭାବକଙ୍କ ମଧ୍ୟରେ ମଧ୍ୟ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି l ତେବେ ମୁଖ୍ୟ ଅତିଥି ଭାବେ ନନ୍ଦିତାଙ୍କ ଭଳି ଜଣେ ବଡ଼ ସେଲିବ୍ରିଟି ଯୋଗ ଦେବା ପାଇଁ ସମ୍ମତି ଦେଇଥିବାରୁ ସଂସ୍କାର ଶିଶୁ ମହୋତ୍ସବ କମିଟି ମୟୂରୀର ପ୍ରାଣ ପ୍ରତିଷ୍ଠାତା ତଥା ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ, ସଭାପତି ତଥା ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଉପସଭାପତି ଆର୍କିଟେକ୍ଟ ମନୋଜ କୁଅଁର, ଯୁଗ୍ମ ସମ୍ପାଦକ ସଂଗ୍ରାମ କେଶରୀ ଭଞ୍ଜ ଦେଓ,ଯୁଗ୍ମ ସମ୍ପାଦିକା ରେଣୁ ବଳl ରଥ, ଉପଦେଷ୍ଟା ଶିକ୍ଷାବିତ ସ୍ୱରୂପ ପଟ୍ଟନାୟକ, ଆଡ଼ଭୋକେଟ କ୍ଷେତ୍ରମୋହନ ପଣ୍ଡା, ଡ ବନଜା ମହାନ୍ତି, ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ, ଡ଼ ଆଦିତ୍ୟ ପଟ୍ଟନାୟକ ପ୍ରମୁଖ କୃତଜ୍ଞତା ଜଣାଇ ଛନ୍ତି l

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପିଲାମାନଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ତଥା ବୌଦ୍ଧିକ ଓ ବ୍ୟକ୍ତିତ୍ୱ ବିକାଶ ର ଲକ୍ଷ୍ୟ ନେଇ ଦଶମ ସଂସ୍କାର ଶିଶୁ ମହୋତ୍ସବ *ମୟୂରୀ* ତରଫରୁ ତିନି ଦିନିଆ ପ୍ରତିଯୋଗିତା ଓ କର୍ମଶାଳା ସ୍ଥାନୀୟ ମ୍ୟୁନିସପାଲିଟି ଶିଶୁ ଉଦ୍ୟାନ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି।

ନଭେମ୍ବର 14,15 ଓ 16 ତାରିଖରେ ହେବାକୁ ଥିବା ପ୍ରତିଯୋଗିତାରେ ନର୍ସରୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେଇ ପାରିବେ। ଏହି ଅବସରରେ 14 ତାରିଖ ର ଉଦଘାଟନୀ ଦିବସରେ ପିଲାମାନଙ୍କ ମଧ୍ୟରେ ଯୋଗ, ରଙ୍ଗୋଲି, ମହା ମୃତ୍ୟୁଞ୍ଜୟ ମନ୍ତ୍ର, ମ୍ୟୁଜିକ ଚେୟାର, ପ୍ରାର୍ଥନା ପ୍ରତିଯୋଗିତା, ପ୍ରବନ୍ଧ ପ୍ରତିଯୋଗିତା , ଷ୍ଟାଣ୍ଡ ଅଫ କମେଡି, ଫେନ୍ସି ଡ୍ରେସ୍ ପ୍ରତିଯୋଗିତା ଏବଂ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି 15 ତାରିଖରେ ଆଳପନା, ଗୀତା ଶ୍ଲୋକ ଆବୃତ୍ତି, ବାଦ୍ୟ ଯନ୍ତ୍ର ପରିବେଷଣ, ସଙ୍ଗୀତ ପ୍ରତିଯୋଗିତା ସହ ଅଭିଭାବକ ମାନଙ୍କ ମଧ୍ୟରେ ଶଙ୍ଖ ଓ ହୁଳହୁଳି ପ୍ରତିଯୋଗିତା ଆୟୋଜିତ ହେବ। କାର୍ଯ୍ୟକ୍ରମ ର ଉଦଯାପନୀ ଦିବସ ଅର୍ଥାତ୍ ନଭେମ୍ବର 16 ତାରିଖରେ ଚିତ୍ରାଙ୍କନ, ଲିଖିତ ସାଧାରଣ ଜ୍ଞାନ, ତର୍କ ପ୍ରତିଯୋଗିତା, ସହ ଶ୍ରୀ ଜଗନ୍ନାଥାଷ୍ଟକଂ ପ୍ରତିଯୋଗିତା ଅନୁଷ୍ଠିତ ହେବ।
କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ଛାତ୍ର ଛାତ୍ରୀ ନଭେମ୍ବର 11 ତାରିଖ ପର୍ଯ୍ୟନ୍ତ ଅପରାହ୍ନ 3 ଟା 30 ରୁ ସନ୍ଧ୍ୟା 6 ଟା ଯାଏଁ ସ୍ଥାନୀୟ ମ୍ୟୁନିସପାଲିଟି ଗେଷ୍ଟ ହାଉସ ପରିସରରେ ନାମ ପଞ୍ଜିକରଣ କରିପାରିବେ।