Rt

ଗିରଫ ହେଲେ କୋଟିପତି ଆରଟିଓ ବସନ୍ତ ମହାପାତ୍ର

Crime State

ବୌଦ୍ଧ: ବୌଦ୍ଧର କୋଟିପତି ଆରଟିଓ ବସନ୍ତ ମହାପାତ୍ର ଗିରଫ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଆରଟିଓ ବସନ୍ତଙ୍କ ପୈତୃକ ଘର ଗଞ୍ଜାମ, ବୌଦ୍ଧ ଆରଟିଓ ଅଫିସ୍ ଓ ଭୁବନେଶ୍ୱରର ଅନେକ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଥିଲାଯେ, ରାଜାଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବେଙ୍ଗାଲୁରୁର ଦାମୀ ଆପାର୍ଟମେଣ୍ଟରେ ବସ୍ତଙ୍କର ‍ଫ୍ଲାଟ ଓ ଘର ରହିଛି ।

ତେବେ ଏହି ଚଢ଼ାଉ ବେଳେ ୧୯ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ । ଯେଉଁଥିରେ ୧୪ କୋଟି ୫୦ ଲକ୍ଷର ଫ୍ଲାଟ୍, ୪ କୋଟି ୫୦ ଲକ୍ଷର ସୁନାଗହଣା ଓ ଗାଡି ଆସବାବପତ୍ର ହୋଇଛି । ଜବତ ସମ୍ପତ୍ତି ମଧ୍ୟରେ କେବଳ ଭୁବନେଶ୍ୱରରେ ରହିଛି ୫ଟି ଫ୍ଲାଟ । ସେଥିମଧ୍ୟରୁ ପାହାଳରେ ଉତ୍କଳ ସିଗନେଚରରେ ରହିଛି ୩ ହଜାର ବର୍ଗଫୁଟରେ ନିର୍ମିତ ଫ୍ଲାଟ୍ । ଯାହାର ମୂଲ୍ୟ କୋଟିଏ ଟଙ୍କା ।

ସେହିପରି କଳ୍ପନା ସ୍କୋୟାରର ଉତ୍କଳ ରୟାଲ ରେସିଡେଡ୍ଡୀରେ ରହିଛି ପ୍ରାୟ କୋଟିଏ ଟଙ୍କାର ଫ୍ଲାଟ୍ । ଏଥିସହ କଳ୍ପନା ଛକରେ ଥ‌ିବା ଉତ୍କଳ କନିକା ଗ୍ୟାଲେରିଆ ମଲରେ ରହିଛି ୨୫ ଶହ ବର୍ଗ ଫୁଟ୍ ର ୨ଟି ସପିଂ ଆଉଟଲେଟ୍ ।

ଏହା ବ୍ୟତୀତ କଳାରାହଙ୍ଗରେ ୫ ବିଏଚକେ ଫ୍ଲାଟ୍ ପାଇଁ ବସନ୍ତ ମହାପାତ୍ର ୧ କୋଟି ୩୫ ଲକ୍ଷ ଟଙ୍କା ଆଡଭାନ୍ସ ଦେଇଥିଲେ । ସେହିପରି ବେଙ୍ଗାଲୁରୁରେ ସବୁଠୁ ନାମିଦାମୀ ବିଲଡର କମ୍ପାନୀ ଓଜୋନ୍ ଏଲିଗାଣ୍ଟରେ ମଧ୍ୟ ଫ୍ଲାଟ ପାଇଁ ସେ ୮୮ ଲକ୍ଷ ଟଙ୍କା ଆଡଭାନ୍ସ ଦେଇଥିବା ଜଣାପଡ଼ିଛି । ସେହିପରି ତାଙ୍କର ବିଭିନ୍ନ ବ୍ୟାଙ୍କରେ ୩ କୋଟିରୁ ଅଧିକ ଟଙ୍କା ଜମାଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି ।

ବଣ୍ଡ୍ ମାଧ୍ୟମରେ ଜମା ରଖିଛନ୍ତି ୪୮ ଲକ୍ଷ ଟଙ୍କା । ୩୧ ଲକ୍ଷ ଟଙ୍କାର ଇନସୁରାନ୍ସ ଥିବା ଜଣାପଡିଛି । ଏହାବାଦ୍ ୩୧ ଲକ୍ଷ ଟଙ୍କାର ଇନସୁରାନ୍ସ ମଧ୍ୟ ରହିଛି । ପାଖାପାଖି ୨୬୦ ଗ୍ରାମର ସୁନା ଅଳଙ୍କାର ମଧ୍ୟ ମିଳିଥିବା ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଟିମ୍ । ତେବେ ନିଜ ସମ୍ପତ୍ତିର ସଠିକ୍ ହିସାବ ଦେଇନପାରିବାରୁ କୋଟିପତି ଆରଟିଓ ବସନ୍ତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।