Onn 3

ପଂଚାୟତ ନିର୍ବାଚନକୁ ୧୮ ମାସ ପୁରିଲା, ମହିଳା ପ୍ରତିନିଧିଙ୍କ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ

State

ଆଗରପଡ଼ା: ପଂଚାୟତ ନିର୍ବାଚନକୁ ଇତି ମଧ୍ୟରେ ୧୮ ମାସ ବିତିଯାଇଛି । କିନ୍ତୁ ପଂଚାୟତବାସୀ ସେମାନଙ୍କ ମୈାଳିକ ସୁବିଧା ପାଇବାରୁ ବଂଚିତ ହେଉଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅର୍ନ୍ତଗତ ଆଗରପଡ଼ା ୧୪ନଂ ଜିଲ୍ଲା ପରିଷଦ ଜୋନ ଠାରେ । ଉକ୍ତ ଜୋନ ବିଟିପୁର, ପୁରୁଷଣ୍ଢ,ବଡ଼ମହିଁଷଗୋଠ, ଗୋପିନାଥପୁର, ମହାନ୍ତିପଡ଼ା, ଆଡ଼ିଆ, ଅଣିଜୋ, ଚାରିଗାଁ ଓ ରାମଚନ୍ଦ୍ରପୁର ଏହିପରି ୯ ଗୋଟି ପଂଚାୟତକୁ ନେଇ ଗଠିତ । ଏଥି ମଧ୍ୟରୁ ବିଟିପୁର, ଗୋପିନାଥପୁର,ବଡ଼ମହିଁଷଗୋଠ, ଅଣିଜୋ, ଆଡ଼ିଆ ,ଚାରିଗାଁ ଏବଂ ରାମଚନ୍ଦ୍ରପୁର ପଂଚାୟତରୁ ମହିଳା ସରପଂଚମାନେ ବିଜୟ ଲାଭ କରିଥିଲେ । ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟବସାୟ କେନ୍ଦ୍ର ଆଗରପଡ଼ା । ଏଥି ସହିତ କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ସୀମାବର୍ତ୍ତି ସ୍ଥାନରେ ଆଗରପଡ଼ା ଅବସ୍ଥିତ ହୋଇଥିବା ବେଳେ ୪ଗୋଟି ପଂଚାୟତ ଯଥା ବିଟିପୁର, ପୁରୁଷଣ୍ଢ, ବଡ଼ମହିଁଷଗୋଠ ଓ ଗୋପିନାଥପୁର ଉକ୍ତ ଅଂଚଳର ବିକାଶ ଉପରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ବେଳେ ଉକ୍ତ ୪ଟି ପଂଚାୟତରେ ମହିଳା(ସରପଂଚ) ପ୍ରତିନିଧିମାନେ ୧୮ମାସ ହେବ କାର୍ଯ୍ୟାଭାର ସମ୍ବାଳି ଥିଲେ ସୁଦ୍ଧା ଉକ୍ତ ଅଂଚଳର ସେଭଳି କୌଣସି ବିକାଶ ମୂଳକ କାର୍ଯ୍ୟ ନ ହେବା ସେମାନଙ୍କର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆଗରପଡ଼ା କୃଷିକାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ,ପୋଷ୍ଟ ଅଫିସ,ପଶୁ ଡ଼ାକ୍ତରଖାନା,ମୁଖ୍ୟ ଚିକିତ୍ସାଳୟ ଓ ପ୍ରମୁଖ ଶିକ୍ଷାନୁଷ୍ଠାନ ଉକ୍ତ ପଂଚାୟତରେ ଥିବା ବେଳେ ପ୍ରତ୍ୟେକ କାର୍ଯ୍ୟାଳୟରେ ସମସ୍ୟା ଲାଗି ରହିଥିବା ବେଳେ ଆଜି ସୁଦ୍ଧା ପ୍ରତିନିଧିମାନେ ଏଥିପ୍ରତି କୈାଣସି କଡ଼ା ଆଭିମୁଖ୍ୟ ଗ୍ରହଣ କରିନାହାନ୍ତି ।

ସେହିପରି ନିର୍ମାଣାଧିନ ଗୋଷ୍ଠୀ ପରିମଳକେନ୍ଦ୍ର ଅଧପନ୍ତରିଆ ଅବସ୍ଥାରେ ପଡ଼ିଥିବା ବେଳେ ବଜାରକୁ ଲାଗି ଗୋପିନଥପୁର ପଂଚାୟତ ତରଫରୁ ନିର୍ମିତ ମାର୍କେଟ କଂପ୍ଲେକ୍ସ ଆଜି ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରି ନାହିଁ । ସେହିପରି ସ୍ଥାୟୀ ବିଶ୍ରାମାଗାର, ବସ୍‌ଷ୍ଟାଣ୍ଡ ଆଦିର ମଧ୍ୟ କୈାଣସି ସ୍ଥାୟୀ ସମାଧାନ ହୋଇପାରି ନାହିଁ । ସ୍ୱର୍ଗତଃ ସାଂସଦ ଅର୍ଜ୍ଜୁନ ଚରଣ ସେଠୀଙ୍କ ପୈାଷ୍ୟ ଗ୍ରାମ (ପୁରୁଷଣ୍ଢ)ଗ୍ରହଣରେ ଲକ୍ଷାଧିକ ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ଆଜି ସୁଦ୍ଧା ଅଧପନ୍ତରିଆ ଅବସ୍ଥାରେ ରହିଛି । ଉକ୍ତ ପଂଚାୟତରେ ମହିଳା ସମିତି ସଭ୍ୟା ନିର୍ବାଚିତ ହୋଇଥିଲେ ମଧ୍ୟ ସେ ବି ଆଜି ପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରି ନାହାନ୍ତି । ସରକାର ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦେଉଥିବା ବେଳେ ସେମାନେ ଜନସାଧାରଣଙ୍କ ମୈାଳିକ ସୁବିଧା ପ୍ରତି କୈାଣସି ଦୃଷ୍ଟି ନଦେବା ସେମାନଙ୍କ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଆଗରପଡ଼ା ଅଂଚଳର ଉନ୍ନତିକୁ ଆଖି ଆଗରେ ରଖି ଜନସାଧାରଣଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦେଇ ମହିଳା ପ୍ରତିନିଧିମାନେ ସେମାନଙ୍କର କାର୍ଯ୍ୟଦକ୍ଷତାର ପରିଚୟ ସୃଷ୍ଟି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।