Onn 3

କୁଡୁମୀ ମହାନ୍ତ ଙ୍କ ବିଭିନ୍ନ ଦାବୀ ପୂରଣ କରିବାରେ ରାଜ୍ୟ ସରକାର ବିଫଳ

State

ବାରିପଦା: କୁଡୁମୀ ମହାନ୍ତ ମହାସଭାର ମହାସଚୀବ ବସନ୍ତ କୁମାର ମହାନ୍ତ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ଯେ ଦୀର୍ଘ କିଛି ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜାତିଗତ ସଂଗଠନ ଗୁଡିକୁ ପ୍ରତ୍ସାହନ ଦେବା ପାଇଁ ଆର୍ଥିକ ସାହାଯ୍ୟ ସହିତ ଭୂବନେଶ୍ୱରଠାରେ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ମଧ୍ୟ ଯୋଗାଇ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଭଳି ବିଭିନ୍ନ ଜିଲ୍ଲାରେ କୁଡୁମୀ ମହାନ୍ତ ଅଧିକ ସଂଖ୍ୟାରେ ବସବାସ କରୁଥିଲେ ମଧ୍ୟ ୧୯୮୬ ମସିହାରୁ ମହାସଭାର ବିଭିନ୍ନ ଦାବୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପିତା ପ୍ରବାଦ ପୁୁରୁଷ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲା ବେଳେ ସେ ଗୁଡିକ ପରିପୂରଣ ପାଇଁ ପ୍ରତିଶୃତି ଦେଉଥିଲେ ମଧ୍ୟ ତାହା କେବଳ ଆକାଶ କଇଁଆ ଚିଲିକା ମାଛ ଭଳି ରହିଯାଇଛି । ଝାରସୁଗୁଡା ଉପନିର୍ବାଚନ ବେଳେ କୁଲତା ସମାଜ ପାଇଁ ପୁରୀରେ ମାଗଣା ଜମି ଏବଂ ଘର କରିବା ପାଇଁ ତିନି କୋଟି ଟଙ୍କା ଏବଂ ମେହେର ସମାଜ ପାଇଁ ଭୂବନେଶ୍ୱରରେ ଜମି ଏବଂ ଟଙ୍କା ଦେବାର ଘୋଷଣା କରିଛନ୍ତି । ଏହିପରି ବିଭିନ୍ନ ଜାତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଅର୍ଥ ମଞ୍ଜୁର କରିଛନ୍ତି । ଏପରିକି ମୟୂରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ଭାବରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିସ୍ଥଳ ପାଇଁ ଦଶ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ୧୯୯୦ ମସିହା ସାଧାରଣ ନିର୍ବାଚନ ବେଳେ ମଧୁବନ ପଡିଆରେ ଝୁମର ନୃତ୍ୟ ଓ ଗୀତର ଏକ କାର୍ଯ୍ୟକ୍ରମ ଆୟୋଜନ ଅବସରରେ ଝୁମରର ବିକାଶ କରିବା ଘୋଷଣା ସହିତ ଝୁମରବିତମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହା ସହିତ ଆସାମ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ମହାନ୍ତଙ୍କୁ ଉକ୍ତ ସଭାର ଅତିଥି କରି ମହାନ୍ତ (କୁଡୁମୀ ) ମାନଙ୍କ ଭୋଟ ନେବାର ଯୋଜନା କରି ସଫଳ ହୋଇଥିଲେ ।

କିନ୍ତୁ କୁଡୁମୀ ମହାନ୍ତ ମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କିଛି ପୂରଣ ନ କରିବା ଫଳରେ ୧୯୯୫ ମସିହା ସାଧାରଣ ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ଓଡ଼ିଶାର ଜନତା ଦଳକୁ କୁଡୁମୀମାନେ ସମର୍ଥନ କରି ନ ଥିଲେ । ତେଣୁ କୁଡୁମୀଙ୍କୁ ଫେରାଇ ଆଣିବା ପାଇଁ ୧୯୯୬ ମସିହାରେ ମୋତେ ଏବଂ ବର୍ତ୍ତମାନ କୁଡୁମି ମହାନ୍ତ ମହାସଭାର ସଭାପତି ଗୋପବନ୍ଧୁ ମହାନ୍ତଙ୍କୁ ବିଜୁ ବାବୁ ଡକାଇ ଥିଲେ ଓ ଷ୍ଟେଟ ଗେଷ୍ଟ ହାଉସରେ ଆମକୁ ରାଜ୍ୟ ଯୁବ ଜନତା ଦଳ ତତ୍କାଳୀନ ସଭାପତି ସ୍ୱାଗତ କରି ବିଜୁବାବୁଙ୍କ ସରକାରୀ ବାସଭବନକୁ ନେଇଥିଲେ । ସେଠାରେ ଆମେ ବିଜୁବାବୁଙ୍କ ସହିତ ପ୍ରାୟ ତିନି ଘଣ୍ଟା ଆଲୋଚନା ପରେ ବିଜୁ ବାବୁ କୁଡୁମୀଙ୍କୁ ଅନୁସୂଚୀତ ଜନଜାତିରେ ଅର୍ନ୍ତଭୁକ୍ତ କରିବା ପାଇଁ ତାଙ୍କ ଦଳ ତଥା ବିରୋଧି ଦଳ ନେତା ଭାବେ ସରକାରଙ୍କ ଠାରେ ଦାବୀ କରିବାର ଘୋଷଣା କରିବେ ବୋଲି ପ୍ରେସ ବିବୃତ୍ତିରେ କହିଥିଲେ ମଧ୍ୟ ତାଙ୍କ ଜୀବଦଶାରେ ସେ ଏହା କରି ନ ଥିଲେ । ତାଙ୍କ ଅନ୍ତେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ତାଙ୍କ ବାପାଙ୍କ ନାମରେ ବିଜୁ ଜନତା ଦଳ ନାମ ଦେଇ ମୂଳ ଜନତା ଦଳକୁ ଛିନ୍ନ କରି ଏକ ସ୍ୱତନ୍ତ୍ର ରାଜନୈତିକ ଦଳ ଗଠନ କଲେ ଯେଉଁଥିରେ ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ବର୍ଷ ଧରି ଶାସନ ମୁଖ୍ୟ ରହିଛନ୍ତି । ଗତ ୨୦୦୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ଯଶୀପୁର ରାମତୀର୍ଥଠାରେ ଏକ ବିଶାଳ କୁଡୁମି ସଭାକୁ ସମ୍ବୋଧିତ କରି ଘୋଷଣା କରିଥିଲେ କୁଡୁମିମାନେ ଆଦିବାସୀ ଏଣୁ ଏହି ଜାତିକୁ ଅନୁସୂଚୀତ ଜନଜାତିରେ ତାଲିକାଭୁକ୍ତ କରିବା ପାଇଁ ସହୃଦୟତାର ସହିତ ବିଚାର କରିବେ । ୨୦୦୮ ମସିହା ମାର୍ଚ୍ଚ ୪ ତାରିଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସମସ୍ତ ଆଲୋଚନା ପରେ ଏବଂ ସେଠାରେ ଉପସ୍ଥିତ ଥିବା ବିଜୟ ପଟ୍ଟନାୟକ. ଓ ଯୁଗଳ ମହାପା ଙ୍କ ଉପସ୍ଥିତିରେ କହିଥିଲେ ମୋର ପଡୋଶୀ ରାଜ୍ୟ କୁଡୁମିଙ୍କ ପାଇଁ ଯେଉଁ ଯୋଜନା ସବୁ କରିଛନ୍ତି ମୁଁ ଅନୁରୂପ ଭାବେ ଓଡ଼ିଶାରେ ତାହା ହିଁ କରିବି । ୨୦୧୭ ମସିହାରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ମମତା ବାନାର୍ଜି ତାଙ୍କ କ୍ୟାବିନେଟ ଓ ବିଧାନସଭାରେ ରିଜଲୁସନ ପାଶ୍ କରି କେନ୍ଦ୍ରକୁ କୁଡୁମୀମାନଙ୍କୁ ଅନୁସୂଚିତ ଜନଜାତି ତାଲିକା ଭୁକ୍ତ କରିବା ପାଇଁ ସୁପାରିଶ କରିଛନ୍ତି ।

ଏହା ସହିତ କୁଡୁମି ଡେଭେଲପମେଣ୍ଟ ବୋର୍ଡ ଗଠନ କରି କୁଡୁମିଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା କରିଛନ୍ତି । କୁଡୁମି ସହୀଦ ମାନଙ୍କ ନାମରେ ବିଭିନ୍ନ ପୋଲ ଓ ଅନୁଷ୍ଠାନର ନାମ କରଣ କରିଛନ୍ତି । କୁଡୁମିଙ୍କ ପର୍ବ ପାଇଁ ଛୁଟି ଘୋଷଣା କରିଛନ୍ତି । ଅନୁରୂପ ଭାବେ ଝାରଖଣ୍ଡ ସରକାର ମଧ୍ୟ କୁଡୁମୀଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ – ଓଡ଼ିଶା ସରକାର କୁଡୁମୀ ଡେଭେଲପମେଣ୍ଟ କାଉନସିଲ ଗଠନ କରିବେ ବୋଲି ଏକ ନୋଟିଫିକେଶନ ତାରିଖ ୮ ମାର୍ଚ୍ଚ ୨୦୧୮ ନ : ୫୦୮୪/ଟି.ଡି. – ୧୧-୫/୨୦୧୯ରେ ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ, ଅନୁଗୁଳ, ବାଲେଶ୍ୱର, ଦେଓଘର, ଖୋର୍ଦ୍ଧା ପ୍ରଭୃତି ଜିଲ୍ଲାର କୁଡୁମି ଯୁବକ ମାନଙ୍କ ନାମ ପ୍ରକାଶ କରିବାର ସ୍ଥିତର ହୋଇଥିଲା କିନ୍ତୁ ପ୍ରକୃତରେ ତାହା ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ । ଆଜି ପର୍ଯ୍ୟନ୍ତ କୁଡୁମିଙ୍କୁ ସରକାର ଇଞ୍ଚେ ଜମି ଦେଇ ନାହାନ୍ତି କିମ୍ବା କୌଣସି ପ୍ରତିଶୃତି / ଘୋଷଣା କାର୍ଯ୍ୟକାରୀ କରିନାହାନ୍ତି । କୁଡୁମିଙ୍କ ଏକମାତ୍ର ଦାବୀ ଓଡ଼ିଶା ସରକାର ରାଜ୍ୟରେ ବସବାସ କରୁଥିବା କୁଡୁମିଙ୍କୁ ଆଦିବାସୀ ଘୋଷଣା ଏବଂ ଜନଜାତିରେ ଅର୍ନ୍ତଭୁକ୍ତ କରିବା ପାଇଁ ବିଧି ବ୍ୟବସ୍ଥା ସହିତ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ।