Onn 3

ସାନ ଜ୍ୱାଇଁର ଛୁରାମାଡ଼ରେ ଜଣଙ୍କ ମୃତ୍ୟୁ, ୪ ଗୁରୁତର ଆହତ

Crime State

ପୁରୀ: ପାରିବାରିକ କଳହକୁ ନେଇ ସାନ ଜ୍ୱାଇଁର ଆକ୍ରମଣରେ ପରିବାରର ଜଣେ ମୃତ ଓ ୪ ଗୁରୁତର ଆହତ। ଏଭଳି ଅଭାବନାୟ ଘଟଣା ଘଟିଛି ପୁରୀ ଜିଲ୍ଲା ମାଳିଯାଗା ନିକଟରେ। ମୃତକ ହେଲେ ପୁତୁରା ସୌମ୍ୟ ରଞ୍ଜନ ପ୍ରଧାନ। ଆହତମାନେ ହେଲେ ମୃତ ସୌମ୍ୟଙ୍କ ମାଆ ଗୀତା ରାଣୀ ଦାସ, ବାପା ସୁକାନ୍ତ ପ୍ରଧାନ, ଆଈ ଟିକିନା ଦାସ, ଅଭିଯୁକ୍ତଙ୍କ ପତ୍ନୀ ନନ୍ଦିନୀ ମହାନ୍ତି। ଆହତମାନେ ପୁରୀ ମେଡିକାଲରେ ଚିକିତ୍ସତ ହେଉଛନ୍ତି।

ସୂଚନା ଅନୁଯାୟୀ ଅଭିଯୁକ୍ତ ନୃସିଂହ ମହାନ୍ତି ଓ ତାର ପତ୍ନୀ ନନ୍ଦିନୀ ମହାନ୍ତିଙ୍କ ମଧ୍ୟରେ ସବୁବେଳେ ବିଭିନ୍ନ କାରଣକୁ ନେଇ ଝଗଡ଼ା ଲାଗି ରହୁଥିଲା। ସ୍ୱାମୀ ନୃସିଂହ ନିଜ ପତ୍ନୀ ନନ୍ଦିନୀକୁ ସବୁବେଳେ ମାଡ ମାରୁଥିଲା। ତେବେ ଏହି ଘଟଣା ଅତି ହେବାରୁ ପତ୍ନୀ ନନ୍ଦିନୀ ତାଙ୍କ ବାପ ଘରକୁ ଆସିଥିଲେ। ଏହାକୁ ନେଇ ସ୍ୱାମୀ ନୃସିଂହ ରାଗି ଶ୍ୱଶୁରର ଘରକୁ ଯାଇ ଗାଳି ଗୁଲଜ କରିଥିଲେ। ବୁଧବାର ଦିନ ନୃସିଂହ ଶ୍ୱଶୁର ଘରେ ପହଞ୍ଚି ସେଠାରେ ଉପସ୍ଥିତ ନିଜ ପତ୍ନୀ ନନ୍ଦିନୀ ମହାନ୍ତିଙ୍କ ସହ ସେଠାରେ ଥିବା ତାଙ୍କ ସଢୁ, ପୁତୁରା, ଦେଢ଼ ଶାଶୁ, ଶାଶୁଙ୍କ ଉପରେ ଏକ ଛୁରୀରେ ଆକ୍ରମଣ କରିଥଲେ।

ଏହି ଆକ୍ରମଣରେ ସମସ୍ତେ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ସ୍ଥାନୀୟ ଲୋକେ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପୁତୁରା ସୌମ୍ୟ ରଞ୍ଜନ ପ୍ରଧାନଙ୍କ ଏହି ଆକ୍ରମଣରେ ମୃତ୍ୟୁ ହୋଇଛି। ତେବେ ଏହି ଘଟଣାରେ ଅଭିଯୁକ୍ତ ନୃସିଂହ ମହାନ୍ତିଙ୍କୁ ଧରି ଫାଶୀ ଦେବାକୁ ତାଙ୍କ ପତ୍ନୀ ନନ୍ଦିନୀ ମହାନ୍ତି ଦାବି କରିଛନ୍ତି। ସେପଟେ କୁମ୍ଭାରପଡ଼ା ଥାନା ଅଧିକାରୀ ଘଟଣାର ତଦନ୍ତ କରିଛନ୍ତି। ସେ କହିଛନ୍ତି ଏହି ଆକ୍ରମଣ ପଛରେ ମୁଖ୍ୟତଃ ପାରିବାରିକ ଗଣ୍ଡଗୋଳ ରହିଛି। ଘଟଣା ପଛର ପ୍ରକୃତ କାରଣ ପୋଲିସ ତଦନ୍ତ କରୁଛି। ଅଭିଯୁକ୍ତକୁ ପୋଲିସ ଗିରଫ ପାଇଁ ଉଦ୍ୟମ ଜାରି ରଖିଛି।