Onn 3

ବନ୍ଧୁକ ଦେଖାଇ ମ୍ୟୁଜିକ୍‌ କମ୍ପାନିର ‘ସିଇଓ’ଙ୍କୁ ଅପହରଣ କରିନେଲେ ଶିବସେନା ବିଧାୟକଙ୍କ ପୁଅ

National & International

ମୁମ୍ବାଇ: ବୁଧବାର ଅପରାହ୍ଣରେ ଜର୍ଜଗାଓଁ ଇଷ୍ଟ୍‌ ଅଞ୍ଚଳରେ ରାଜକୁମାର ସିଂହ ନାମରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଅପହରଣ ନେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ବନରାଇ ଥାନାରେ ଶିବସେନା (ସିନ୍ଦେ ଗୋଷ୍ଠୀ) ବିଧାୟକ ପ୍ରକାଶ ସୁର୍ବେଙ୍କ ପୁଅ ରାଜ୍‌ ସୁର୍ବେ ଓ ଅନ୍ୟମାନଙ୍କ ନାଁରେ ‘ଏଫ୍‌ଆଇଆର୍‌’ ପଞ୍ଜୀକରଣ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ଅପହୃତ ‌୩୬ ବର୍ଷିୟ ରାଜକୁମାର ସିଂହ ହେଉଛନ୍ତି ଗୋଟାଏ ମ୍ୟୁଜିକ୍‌ କମ୍ପାନିର ‘ସିଇଓ’। ରାଜ୍‌ଙ୍କ ସମେତ ପୁଲିସ ଏହି ‘ଏଫ୍‌ଆଇଆର୍‌’ରେ ୫ଜଣ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରିଛି। ଏହାଛଡ଼ା, ଆହୁରି ୧୦/୧୨ଜଣ ଅଜ୍ଞାତ ଅଭିଯୁକ୍ତଙ୍କୁ ବି ଏହି ‘ଏଫ୍‌ଆଇଆର୍‌’ରେ ଅନ୍ତର୍ଭୁକ୍ତ କରାଯାଇଛି।

‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଅଛି ଯେ, ବନ୍ଧୁକ ଦେଖାଇ ଭୟଭୀତ କରାଯାଇ ମ୍ୟୁଜିକ୍‌ କମ୍ପାନି ‘ସିଇଓ’ଙ୍କୁ ଅପହରଣ କରି ବିଧାୟକଙ୍କ ଅଫିସ୍‌କୁ ନେଇ ସେଠାରେ କିଛି ଦଲିଲ୍‌ ବା କାଗଜପତ୍ରରେ ଦସ୍ତଖତ କରାଇଥିଲେ। ସ୍ଥାନୀୟ ପୁଲିସ ହସ୍ତକ୍ଷେପ କରି ଅପହୃତ ‘ସିଇଓ’ଙ୍କୁ ଉଦ୍ଧାର କରିବା ପରେ ‘କିଡ୍‌ନାପିଙ୍ଗ୍‌’ ଓ ‘ଆର୍ମ ଆକ୍ଟ୍‌’ ଅନୁସାରେ ମାମଲା ରୁଜୁ କରିଛି।

‘ସିସିଟିଭି ଫୁଟେଜ୍‌’ରେ ଦେଖାଯାଉଛି, ୧୦/୧୫ଜଣ ବ୍ୟକ୍ତି ବଳପୂର୍ବକ ଗୋଟାଏ ଅଫିସରେ ପ୍ରବେଶ କରି କର୍ମଚାରୀମାନଙ୍କୁ ଆକ୍ରମଣ କରିବା ପରେ ଜ‌ଣଙ୍କୁ ଜବରଦସ୍ତି ନେଇ ଯାଉଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଜର୍ଜଗାଓଁ ଉପନଗରୀ ଅନ୍ତର୍ଗତ ଚିନ୍ତାମଣି କ୍ଲାସିକ୍ୟୁରେ ‘ସିଇଓ’ଙ୍କ ଅଫିସ୍‌ ଅବସ୍ଥିତ। ଆରେ ଥାନା ଅଧିକାରୀ କହିଛନ୍ତି ଯେ, କେତେକ ଅଜ୍ଞାତ ବ୍ୟକ୍ତି ଉକ୍ତ ମ୍ୟୁଜିକ୍‌ କମ୍ପାନିର ଅଫିସ୍‌କୁ ଜବରଦସ୍ତି ପ୍ରବେଶ କରିଥିଲେ। ସେମାନେ ଜଣେ ରାଜନୈତିକ ବ୍ୟକ୍ତିତ୍ବ ଓ ଜଣେ ବ୍ୟକ୍ତିଙ୍କ ନାଁ କହୁଥିଲେ। ସେମାନଙ୍କର ‘ସିଇଓ’ ରାଜ୍‌କୁମାରଙ୍କ ସହିତ ଅର୍ଥନୈତିକ ବିବାଦ ଥିଲା। ଅପହରଣକାରୀମାନେ ୨ଟି କାର୍‌ରେ ‘ସିଇଓ’ଙ୍କୁ ଅପହରଣ କରି ନେଇଥିଲେ।