Onn 3

ଭଳିକିଭଳି ଫୁଲ ଦେଖିବାକୁ ଏକାମ୍ର କାନନରେ ଲୋକଙ୍କ ଭିଡ

State

flower-1

ଭୁବନେଶ୍ୱର : ଚାରିଆଡ଼ ଫୁଲର ଭଣ୍ଡାର । ମନକୁ ଯେତିକି ମୋହିତ କରୁଛି ହୃଦୟକୁ ସେତିକି ଶାନ୍ତି ବିଦେଉଛି। ପ୍ରକୃତିର ଅବଦାନ ବି ବଡ ବିଚିତ୍ର । ବିଭିନ୍ନ ଫଳ ଫୁଲ ଗଛରେ ହସି ଉଠେ ଧରଣୀ ରାଣୀ । ଲୋକମାନେ ନିଜର ଉପୋଭୋଗ ପାଇଁ ବିଭିନ୍ନ ଫୁଲ ଗଛ ବାଡି ବଗିଚାରେ ମଧ୍ଯ ଲଗାଇଥାନ୍ତି । ସେଥିରେ ନିଜକୁ ଆନନ୍ଦ ଦେଇଥାନ୍ତି ।

ତେବେ ଭଳି କିଭଳି ଫୁଲରେ ଝଲସୁଛି ଏକାମ୍ର କାନନ। ଲାଲ୍, କମଳା, ନୀଳ, ହଳଦିଆ ଆଦି ରଙ୍ଗ ବେରଙ୍ଗ ଗୋଲାପ ସାଙ୍ଗକୁ ବିଦେଶୀ ଫୁଲ କରୁଛି ଲୋକଙ୍କୁ ଆକର୍ଷିତ । ଲୋକଙ୍କ ମଧ୍ୟରେ ଫୁଲ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ରାଜଧାନୀକୁ ଆହୁରି ସୌନ୍ଦର୍ଯ୍ୟମୟ କରିବା ଉଦ୍ଦେଶ୍ୟ ନେଇ ଗତକାଲି ଏକାମ୍ରକାନନରେ ଉଦ୍ଘାଟିତ ହୋଇଯାଇଛି ‘ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ । ଯେଉଁଠି ଏକାସାଙ୍ଗରେ ପାଇବେ ୫୦୦ ରୁ ଊର୍ଦ୍ଧ୍ୱ କିସମର ଦେଶୀ ବିଦେଶୀ ଫୁଲ ।

କଥାରେ ଅଛି ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ରଙ୍ଗ ବେରଙ୍ଗର ସୁଗନ୍ଧଭରା ଦେଶୀ ଓ ବିଦେଶୀ ଫୁଲର ସମ୍ଭାର ଦେଖିଲେ କାହାର ବା ମନ ଘଡିଏ ଅଟକି ନଯିବ । ଫୁଲ ପ୍ରକୃତିର ଏକ ସୁନ୍ଦର ଅବଦାନ, ଏମିତି ଏକ ନିଆରା ଫୁଲ ବଗିଚା ଏବେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଏହା ହେଉଛି ରିଜିଓନାଲ ପ୍ଲାଣ୍ଟ ରିଶୋର୍ସ ସେଣ୍ଟର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ ପକ୍ଷରୁ ଭୁବନେଶ୍ବର ଏକାମ୍ର କାନନ ପାର୍କ ରେ ଆୟୋଜିତ ରାଜ୍ୟ ସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ।ଗୋଲାପ, ଡାଲିଆ, ସେବତୀ, ଗେଣ୍ଡୁ, ଜିନିଆ, ଆଷ୍ଟର, କାଲେଣ୍ଡୁଲା, ଲିଲିୟମ, ଗ୍ଲାଡିଓଲି, ଆନ୍ଥୁରିୟମ, ସାଲଭିଆ ର ଅପୂର୍ବ ସମ୍ଭାରର ଏକ ସୁନ୍ଦର ମନଲୋଭା ବଗିଚା ଦେଖିବାକୁ ମିଳିଛି ଫୁଲତ୍ସବରେ । ଭଳିକିଭଳି ଫୁଲରେ ଝଲସି ଉଠିଛି ଏକାମ୍ର କାନନ। ଫୁଲର ବାସ୍ନାରେ ମହକି ଉଠୁଛି ସାରା ପରିବେଶ । ଛୋଟ ଠାରୁ ବଡ ସମସ୍ତେ ଫୁଲର ପ୍ରେମରେ ହଜିଯାଇଥିଲେ ଘଡିଏ ପାଇଁ ।

କିଏ ଗୋଲାପ ବଗିଚା ପାଖରେ ଠିଆ ହୋଇ ମନଭରି ଫୁଲର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲା ତ ଆଉ କିଏ ଫୁଲ ସହ ଫଟୋ ଉଠାଇବାରେ ବ୍ୟସ୍ତ ।ସାଧାରଣ ଫୁଲ ଠୁ ନେଇ ବିଦେଶର ଅନେକ ନାମୀଦାମୀ ଫୁଲ ଗୋଟିଏ ଜାଗାରେ ମିଳୁଥିବାରୁ ବେଶ ଖୁସି ଦର୍ଶକ ।

ତେବେ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍ ମିଳିତ ସହଯୋଗରେ ଆୟୋଜିତ ଏହି ପୁଷ୍ପ ପ୍ରଦର୍ଶନୀ ଗତକାଲି ଉଦଘାଟନ ହେଇଥିବାବେଳେ, ଏହି ଦୁଇ ଦିନିଆ ପୁଷ୍ପ ପ୍ରଦର୍ଶନୀ ଆଜି ଶେଷ ହେବ । ତେବେ ଯାଆନ୍ତୁ ଥରେ ଏହି ସୁନ୍ଦର ପରିବେଶକୁ ଉପଭୋଗ କରି ଆସନ୍ତୁ ।