Onn 3

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

State

ଭୁବନେଶ୍ଵର: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀମତୀ ମୁର୍ମୁ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରେ ମହାମହିମଙ୍କୁ ଗାର୍ଡଅଫ ଅନର ପ୍ରଦାନ କରାଯିବ । ପରେ ସେଠାରୁ ରାଜଭବନ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ମହାମହିମଙ୍କ ଗସ୍ତ ପୂର୍ବରୁ ଆଜି କଟକ, ଭୁବନେଶ୍ୱରରେ କାରକେଡ ରିହର୍ସାଲ କରାଯାଇଛି । ସୁରକ୍ଷାକୁ ନଜରରେ ରଖି କମିଶନରେଟ ପୋଲିସ ପକ୍ଷରୁ ୫୫ ପ୍ଲାଟୁନ୍ ପୋଲସି ଫୋର୍ସ ସହ ୩୦୦ ଅଫିସର ନିୟୋଜିତ ହେବେ । ବ୍ଲ୍ୟୁ- ବୁକ ଗାଇଡଲାଇନ ଅନୁସାରେ ରାଷ୍ଟ୍ରପତିଙ୍କ କାରକେଡ ତାଙ୍କ ଗନ୍ତବ୍ୟସ୍ଥଳକୁ ଯିବ । ପ୍ରୋଟୋକଲ ଅନୁସାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଶିଷ୍ଠ ବ୍ୟକ୍ତି ବିମାନବନ୍ଦରେ ମହାମହିମଙ୍କୁ ସ୍ୱାଗତ କରିବେ ।

ବିମାନବନ୍ଦରରୁ ରାଜଭବନ ପହଞ୍ଚିବା ପରେ ସେଠାରେ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ ଭେଟିବେ ଓ ସେଠାରେ ରାତ୍ର ଯାପନ କରିବେ। ୨୬ତାରିଖରେ କଟକ ଚଣ୍ଡିମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ। ସେହିଦିନ କଟକରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ। ୨୭ତାରିଖରେ ଭୁବନେଶ୍ୱରର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମକୁମାରୀ କେନ୍ଦ୍ର ଲାଇଟ ହାଉସ କମ୍ପଲେକ୍ସର ଶିଳାନ୍ୟାସ କରିବା ସହ ଭଦ୍ରକ ଯାଇ ଭଦ୍ରକ ସ୍ୱୟଂଶାସିତ କଲେଜର ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିଯିବେ।