Onn 3

ବନବିଭାଗ ହେପାଜତରୁ ଶିକାରୀ ଫେରାର

Crime State

ବାରିପଦା: ବାରିପଦା ବନଖଣ୍ଡ ଅନ୍ତର୍ଗତ ବାରିପଦା ରେଞ୍ଜରେ ଜବତ ୪କଲରାପତିରିଆ ବାଘଛାଲ ଘଟଣାରେ ରବିବାର ଗିରଫ ହୋଇଥିବା ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ରୁପାଏ ମାରାଣ୍ଡି ଚିକିତ୍ସା ଅବସ୍ଥାରେ ଗତକାଲି ରାତିରେ ବାରିପଦା ପିଆରଏମ ଡ଼ାକ୍ତରଖାନାରୁ ଚମ୍ପଟ ମାରିଛି। ରୁପାଏ ଛାତିରେ ଯନ୍ତ୍ରଣା ଅନୁଭବ କରିବାର ଅଭିନୟ କରିଥିଲା। ବାରିପଦା ରେଞ୍ଜ କର୍ମଚାରୀମାନେ ତାଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଥିଲେ। ମାତ୍ର ସେଠାରେ ରୁପାଏ ସୁବିଧାର ସୁଯୋଗ ନେଇ ହସ୍ପିଟାଲରୁ ଚମ୍ପଟ ମାରିଛି। ଏ ସମ୍ପର୍କରେ ଆଉ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ରୁପାଇକୁ ଖୋଜା ଖୋଜି ଚାଲିଛି।

ଅପରପକ୍ଷରେ, ୪ଗୋଟି ବାଘଛାଲ ଜବତ ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ବନବିଭାଗ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ବିଶୋଇ ଥାନା ଅନ୍ତର୍ଗତ ରୁଗୁଡ଼ିହି ଗ୍ରାମର ରୁପାଏ ମୁର୍ମୁ(୬୫)। କଲରାପତରିଆ ବାଘ ଛାଲ ଶିକାର କରି ବିକ୍ରି କରିବା ଘଟଣାରେ ରୁପାଏ ଜଡିତ ଥିଲା। ରବିବାର ୩ଜଣ ଅଭିଯୁକ୍ତକୁ ଗିରଫ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡାଙ୍କୁ ଅଧିକ ସୂଚନା ହସ୍ତଗତ ହୋଇଥିଲା। ଯାହାକୁ ନେଇ ସେ ଏକ ଟିମ ସହ ବିଶୋଇ ଥାନା ଅନ୍ତର୍ଗତ ରୁଗୁଡ଼ିହି ଗ୍ରାମରେ ସୋମବାର ଚଢ଼ାଉ କରି ରୁପାଏ ମୁର୍ମୁକୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଏହାକୁ ମିଶାଇ ଉକ୍ତ ଘଟଣାରେ ସମୁଦାୟ ଗିରଫ ସଂଖ୍ୟା ୪କୁ ଛୁଇଁଛି। ଆଗକୁ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଫେରାର ଘଟଣାରେ ଥାନାରେ ଏତଲା ସହିତ ବାରିପଦା ରେଞ୍ଜର ଲକ୍ଷ୍ମୀଧର ବେହେରାଙ୍କୁ କୈଫତ ତଲବ କଲେ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ।

ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟର ପାଦଦେଶର ଖୁଣ୍ଟା ଥାନା ଅନ୍ତର୍ଗତ ବହଳଦା ଗ୍ରାମରେ କଲରାପତରିଆ ବାଘ ଛାଲ ଥିବା ନେଇ ଖବର ମିଳିଥିଲା। ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ମିଳିତ ଭାବେ ରବିବାର ଚଢ଼ାଉ କରି ୩ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୪ଗୋଟି ବାଘ ଛାଲ ଜବତ କରିଥିଲେ। ତେବେ ଅନ୍ୟ ଦୁଇ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ଏହାକୁ ନେଇ ବାରିପଦା ବନଖଣ୍ଡ ରେଞ୍ଜରେ କେଶ ନମ୍ବର ୩୭ବିଏ/୨୦୨୩-୨୪ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି।