ନିଶ୍ଚିନ୍ତକୋଇଲି: କଟିକଟା-ଜୟପୁର ପୂର୍ତ୍ତବିଭାଗର ମୁଖ୍ୟରାସ୍ତା ଉପରେ ଏବେ ବାଲିର ଏକ ଆସ୍ତରଣ ଦେଖାଯାଇଛି । ଏହି ରାସ୍ତାରେ ଏତେ ପରିମାଣରେ ବାଲି ଜମା ହୋଇ ରହିଛି କି ଉକ୍ତ ରାସ୍ତାଟି ଲୁଣା ନଦୀର ଏକ ଧାର ପରି ମନେ ହେଉଛି । ରାସ୍ତା ସାରା ବାଲି ଗଦା ହୋଇ ରହିଥିବାରୁ ଯାତାୟତ ରେ ପଥିକମାନେ ହୀନସ୍ତା ହେଉଥିବାବେଳେ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟି ଖଣ୍ଡିଆ ଖାବରା ହେବା ଏପରିକି ମୃତ୍ୟୁ ମୁଖରେ ପଡ଼ୁଥିବା ଦେଖାଯାଇଛି । ସରକାରୀ ନିର୍ଦ୍ଦେଶାନାମାକୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରାଯାଇ ତହସିଲଦାରଙ୍କ ଜ୍ଞାତସାରରେ ବିଭିନ୍ନ ନଦୀରୁ ଚୋରାରେ ବାଲି ଉଠି ଚାଲାଣ କରାଯାଉଛି ।
ଜେସିବି ସାହାଯ୍ୟରେ ନଦୀରୁ ବାଲି ଖୋଲାଯାଇ ବଡ଼ ବଡ଼ ହାଇୱା ଗାଡ଼ିରେ ବାଲି ଚାଲାଣ ହେଉଥିଲା ବେଳେ ରାସ୍ତା ସାରା ପାଣି ମିଶା ବାଲି ପଡ଼ି ପଡ଼ି ଯାଉଛି । ଏହି ରାସ୍ତାରେ ଶହ ଶହ ସଂଖ୍ୟାରେ ଚୋରା ବାଲିଗାଡ଼ି ଯାତାୟତ କରୁଥିବାରୁ ରାସ୍ତା ଉପରେ ଏକ ବାଲିର ଆସ୍ତରଣ ସୃଷ୍ଟି ହୋଇଛି । ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ନଦିଆଯିବା କିମ୍ବା ରାସ୍ତାରୁ ବାଲି ସଫା କରାନଯିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଥିବାବେଳେ ବହୁ ଧନଜୀବନ ହାନି ହେଉଛି । ତୁରନ୍ତ ରାସ୍ତାରୁ ବାଲି ସଫା କରି ଏହାକୁ ଯାତାୟତ ଉପଯୋଗୀ କରିବା ଏବଂ ଚୋରା ବାଲି ଚାଲାଣ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହୋଇଛି ।