Onn 3

ନାମକୁ ମାତ୍ର କେନାଲ ସଫେଇ; ଶେଷମୁଣ୍ଡରେ ପାଣି ପହଂଚିବା ନେଇ ଆଶଙ୍କା

State

ନିଶ୍ଚିନ୍ତକୋଇଲି: କେନ୍ଦୁପାଟଣା ଜଳସମ୍ପଦ ବିଭାଗ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ କେନାଲ ସଫେଇ କାର୍ଯ୍ୟ କରାଯାଉଛି , ଏହି ସଫେଇ କାର୍ଯ୍ୟ କରୁଥିବା ଠିକାଦାରମାନେ କେନାଲ ସଫେଇରେ ବ୍ୟାପକ ଅନିୟମିତତା କରୁଥିବା ଶହ ଶହ ଚାଷୀ ଅଭିଯୋଗ କରୁଛନ୍ତି । ସରକାରୀ ନିୟମ ଅନୁସାରେ ଜୁଲାଇ ୧୫ ତାରିଖରେ ଶାଖା କେନାଲ ଗୁଡ଼ିକରେ ପାଣି ଛଡ଼ାଯିବା କଥା । ଚଳିତବର୍ଷ ନିଅଣ୍ଟିଆ ବର୍ଷା ହୋଇଥିବାରୁ କେନାଲ ପାଣି ଛଡ଼ାଗଲେ ଚାଷୀ ଧାନ ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ଚାତକ ପରି ବସିରହିଥିବା ବେଳେ ଜଳସମ୍ପଦ ବିଭାଗର ଦାୟିତ୍ୱହୀନତା ଏପର୍ଯ୍ୟନ୍ତ କେନାଲ ସଫେଇ କାର୍ଯ୍ୟ ଶେଷ ହୋଇପାରିନାହିଁ । ଯେତିକି କେନାଲ ସଫେଇ କାର୍ଯ୍ୟ ହୋଇଛି ସେଗୁଡ଼ିକୁ ସଠିକ୍ ଭାବେ ସଫା କରାନଯାଇ କେବଳ ଅଧାପାନ୍ତରିଆ ଭାବେ ଘାସ କୁ ଓପାଡ଼ି ଦିଆଯାଇଛି ।

ସଫେଇ କାର୍ଯ୍ୟ ସଠିକ୍ ହୋଇନଥିବାରୁ କେନାଲରେ ପାଣି ଆସି ଧାନକ୍ଷେତରେ ମାଡ଼ିବା କଷ୍ଟକର ବ୍ୟାପାର ହେବା ସହିତ କେନାଲ ଶେଷ ମୁଣ୍ଡରେ ପାଣି ପହଂଚିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏବେ ସଫେଇ କରାଯାଉଥିବା ୮-ଏଫ୨ ଶାଖା କେନାଲ ଅବସ୍ଥା ଦେଖିଲେ ଚଳିତବର୍ଷ କେନାଲ ସଫେଇର ପ୍ରକୃତ ରୂପରେଖ ସହଜରେ ଅନୁମେୟ କରିହଉଛି । ଜେସିବି ମେସିନ ଦ୍ୱାରା ସଫେଇ କରାଯାଉଥିବା ଏହି ଶାଖା କେନାଲଟିରୁ ଘାସ ଭଲ ଭାବେ ଉପୁଡ଼ା ଯାଇ ପାରିନଥିବା ଦେଖାଯାଇଛି । କେନାଲ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ଜଳସମ୍ପଦ ବିଭାଗ ପକ୍ଷରୁ କୌଣସି ଅଧିକାରୀ ଓ କର୍ମଚାରୀ ରହୁନଥିବାରୁ ଠିକାଦାର ମନମୁଖୀ ଭାବେ ଏଭଳି କାର୍ଯ୍ୟ କରୁଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ସଫେଇ ନାମନ୍ତେ ଲକ୍ଷ ଲକ୍ଷ ଟଙ୍କା ବିଲ କରାଯାଉଥିଲେ ମଧ୍ୟ ଚାଷୀ ଉପକୃତ ହୋଇପାରୁନଥିବା ଦେଖାଦେଇଛି । ଏଥିପ୍ରତି ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛ ।