- ଅଜୟ ଦାଶଙ୍କ ସ୍ମୃତି ନୂତନ ଭବିଷ୍ୟ ଗଠନ ପାଇଁ ସର୍ବଦା ପଥ ପ୍ରଦର୍ଶନ କରୁଥିବ: ଓଡିଶା ରାଜ୍ୟପାଳ
ବାରିପଦା : ବାରିପଦା ସ୍ଥିତ ସହିଦ ସ୍ମୃତି ଭବନରେ ଆୟୋଜିତ ୧୩ତମ ଅଜୟ ଦାଶ ସ୍ମାରକୀ ବକ୍ତୃତା – ୨୦୨୪ ସଭାରେ, ଓଡ଼ିଶାର ମହାମାନ୍ୟ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଏହି ସଭାଟିକୁ ରୁଦ୍ଧିମନ୍ତ କରିଥିଲେ। ଏହି ସଭାରେ ଅନୁଷ୍ଠାନର ସଭାପତି ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଶ୍ରୀମତୀ ସରସ୍ଵତୀ ହେମ୍ବ୍ରମ୍ ସଭାପତିତ୍ଵ କରିଥିଲେ l ମୁଖ୍ୟବକ୍ତା ଭାବେ ଅର୍ଥନୀତି ଶାସ୍ତ୍ରର ବରିଷ୍ଠ ପ୍ରାଧ୍ୟାପକ,, ଶ୍ରୀଯୁକ୍ତ ଡ. ମୋହିତ କୁମାର ଷଡଙ୍ଗୀ, ସମ୍ମାନୀୟ ବକ୍ତା ଭାବେ, ବାରିପଦା ପୌର ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ କୃଷ୍ଣାନନ୍ଦ ମହାନ୍ତି, ଓ ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବ୍ଲକ୍ ଚେଆରମ୍ୟାନ ବୈଦ୍ୟନାଥ ମହାନ୍ତ ଯୋଗଦାନ କରିଥିଲେ।
ପାରମ୍ପରିକ ପ୍ରଥା ଅନୁଯାୟୀ, ସ୍ବର୍ଗତଃ ଦାଶଙ୍କ ଧର୍ମପତ୍ନୀ, ସୁମତୀବାଳା ଦାଶ ସମିତି ମାଧ୍ୟମରେ ମହାମହିମ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ଆଜିର ଦିବସରେ ନିଜର ବହୁମୂଲ୍ୟ ସମୟ ଦେଇ ଏଠାରେ ଉପସ୍ଥିତ ରହିଥିବାରୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ।
ଏହି ଅବସରରେ, ରାଜ୍ୟପାଳ ଶ୍ରୀଯୁକ୍ତ ଦାସ କହିଥିଲେ,” ଆଜି ସ୍ୱର୍ଗତ ଅଜୟ କୁମାର ଦାଶଙ୍କ ସ୍ମୃତି ଦିବସ । ଏହା ଏକ ଭକ୍ତି ଏବଂ ଆବେଗପୂର୍ଣ୍ଣ ଦିବସ। ସେ ବାରିପଦା ଏବଂ ମୟୂରଭଞ୍ଜକୁ ଏକ ନିର୍ଦ୍ଦିଷ୍ଟ ଦିଗ ଆଡକୁ ଅଗ୍ରସର କରାଇଥିଲେ ଏବଂ ତାଙ୍କ ଜୀବନ ବାରିପଦା ଏବଂ ମୟୂରଭଞ୍ଜର ଲୋକଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଥିଲା। ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ହିସାବରେ, ବିଭିନ୍ନ କ୍ଷେତ୍ରରେ ଅବଦାନ ମାଧ୍ୟମରେ ସମାଜରେ ଏକ ଅବିସ୍ମରଣୀୟ ଚିହ୍ନ ରଖିଯାଇଛନ୍ତି ଦିବଂଗତ ଅଜୟ ଦାଶ। ତାଙ୍କର ବ୍ୟକ୍ତିତ୍ୱ ଏବଂ ଦୂରଦର୍ଶୀ କାର୍ଯ୍ୟକଳlପ ହେତୁ ଆଜି ଆମେ ସର୍ବସାଧାରଣରେ ତାଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କରୁଅଛୁ।”
“ଆଜି ଆମେ ସମସ୍ତେ ଏକତ୍ରିତ ହୋଇ ତାଙ୍କ ସ୍ମୃତିକୁ ସମ୍ମାନ ଦେଇ ସେ ସମାଜ ପ୍ରତି ତାଙ୍କର ଗଭୀର ସେବା ଭାବନାରେ ନିଜକୁ ସମର୍ପିତ କରିବା । ମୁଁ ଇଚ୍ଛା କରେ ଯେ ତାଙ୍କର ଦିବଂଗତ ଆତ୍ମା, ଆଜିର ପ୍ରଗତିଶୀଳ ସମାଜ ପାଇଁ ମାର୍ଗଦର୍ଶନ ଏବଂ ପ୍ରେରଣା ଯୋଗାଇବ ” ମାନ୍ୟବର ରାଜ୍ୟପାଳ ସ୍ଵବକ୍ତବ୍ୟ ରଖିଥିଲେ ।
ଏହି ପରିପ୍ରେକ୍ଷୀରେ, ବିଭିନ୍ନ କ୍ଷେତ୍ରରେ, ଉନ୍ନତ ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷଙ୍କୁ ୧୩ତମ ଅଜୟ ଦାଶ ସ୍ମାରକୀ ସମ୍ମାନ ଏବଂ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଚିକିତ୍ସା କ୍ଷେତ୍ରରେ ଡଃ. କରୁଣାକର ମହାପାତ୍ର, ରାଜନୀତି କ୍ଷେତ୍ରରେ ଶ୍ରୀ ପଦ୍ମଲୋଚନ ହାଇବ୍ରୁ, ଶିକ୍ଷା କ୍ଷେତ୍ରରେ ଦଶମ ଶ୍ରେଣୀ ପରୀକ୍ଷାରେ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ତିନି ବର୍ଗର ବିଦ୍ୟାର୍ଥୀ କୁମାରୀ ଜ୍ୟୋତିକା ମହାପାତ୍ର (ସାଧାରଣ), ମିନାକ୍ଷୀ ବେହେରା (ଦିବ୍ୟାଙ୍ଗ), ବୁଦ୍ଧେଶ୍ୱର ମୁର୍ମୁ (ଆଦିବାସୀ) ଙ୍କୁ ଅଜୟ ଦାଶ ମେଧା ବୃତ୍ତି ପାଞ୍ଚ ହଜାର ଟଙ୍କା ଦିଆଯାଇଥିଲା l ସାରସ୍ୱତ କ୍ଷେତ୍ରରେ ଡଃ କବିତା ବାରିକ, ଶ୍ରୀଯୁକ୍ତ ଅଶ୍ବିନୀ କୁମାର ଦାଶ, କଳା କ୍ଷେତ୍ରରେ, ଶ୍ରୀଯୁକ୍ତ ସୌର ବିହାରୀ ଦାସ, କ୍ରୀଡା କ୍ଷେତ୍ରରେ, ଶ୍ରୀ ନନ୍ଦକିଶୋର ପଟନାୟକ(ମର ଣୋତ୍ତର), ଆଇନ ଏବଂ ସମାଜସେବା କ୍ଷେତ୍ରରେ, କୃଷ୍ଣ ଚନ୍ଦ୍ର ଦାସ, ମନୋରଞ୍ଜନ ପଟ୍ଟନାୟକ, ସଂଗଠନ କ୍ଷେତ୍ରରେ, ଯୋଗଗୁରୁ ରାକେଶ ମହାନ୍ତ ପ୍ରମୁଖ, ମହାମହିମ ରାଜ୍ୟପାଳଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମର ସଂଚାଳନା ଓ ମଞ୍ଚପରିଚାଳନା ସମିତିର ସଂଯୋଜକ ସମାଜସେବୀ, ସାହିତ୍ୟିକ ଶ୍ରୀଯୁକ୍ତ ଆଶିଷ କୁମାର ବଶା କରିଥିବାବେଳେ, କୃଷ୍ଣ ଚନ୍ଦ୍ର ଦାସ,ଜୟନ୍ତ ପଣ୍ଡା,ସନତ କୁମାର ଦାଶ, ଅଂଶୁମାନ ଦାସ, ଦେବୀଦତ୍ତ ଦାସ,ମନୋରଞ୍ଜନ ପଟ୍ଟନାୟକ ତଥା ଅଜୟ ଦାଶ ସ୍ମାରକୀ ସମିତିର କର୍ମକର୍ତ୍ତାମାନେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l