Onn 3

ନିଅଣ୍ଟିଆ ବର୍ଷା ସାଙ୍ଗକୁ କେନାଲରେ ନାହିଁ ପାଣି : ତଳିଘେରା ଫାଟିଲାଣି, ଚାଷ କାର୍ଯ୍ୟରେ ବିଳମ୍ବ

State

ନିଶ୍ଚିନ୍ତକୋଇଲି (୧୩.୭)  : ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଚଳିତ ବର୍ଷ ଖରିଫ ଧାନ ଚାଷ କାର୍ଯ୍ୟ ଆରମ୍ଭ ହେବାକୁ ବହୁ ବିଳମ୍ବ ହେଲାଣି । ଆଷାଢ ଯାଇ ଶ୍ରାବଣରେ ମଧ୍ୟ ନିରାଶ କରିଛି ବର୍ଷା । ମୌସୁମୀ ଜନିତ ନିଅଣ୍ଟିଆ ବର୍ଷା ସାଙ୍ଗକୁ କେନାଲରେ ପାଣି ଛଡା ଯାଉନଥିବାରୁ ତଳିଘେରା ଫାଟି ଆଁ କରିଥିଲା ବେଳେ ଚାଷୀଙ୍କ ମନରେ ନୈରାଶ ଭାବ ଦେଖାଦେଇଛି । ଚାଷ କାର୍ଯ୍ୟ ଆରମ୍ଭ ପାଇଁ ବେଳ ଗଡିଯାଉଥିବାରୁ ଚାଷୀକୂଳ ହତାଶ ହୋଇପଡିଲେଣି । କିଛି ଦିନ ହେବ ଚାଷ କାର୍ଯ୍ୟ ପାଇଁ ପକାଇଥିବା ତଳିକୁ ବଞ୍ଚାଇବା ନିମନ୍ତେ ବୋରିଂ ଓ ନଳକୂପରୁ ପାଣି ଆଣି କ୍ଷେତରେ ବାରମ୍ବାର ମଡାଇ ଚାଷୀ ବିରକ୍ତି ହୋଇପଡିଲେଣି । ଚଳିତ ବର୍ଷ ଏହି ବ୍ଲକ ଅଂଚଳରେ ୧୪ ହଜାର ୮୦୦ ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ଅଦ୍ୟାବଧି ରୁଆପୋତା କାର୍ଯ୍ୟ ଆରମ୍ଭ ହୋଇନାହିଁ । ବିଶେଷ କରି ରଜ ପରେ ପରେ ଖାଲୁଆ କ୍ଷେତଗୁଡିକରେ ଧାନ ରୁଆ କାର୍ଯ୍ୟ ଆରମ୍ଭ କରାଯାଇଥାଏ ।

ସଠିକ୍ ପରିମାଣରେ ବର୍ଷା ନହେବାରୁ ଅଦ୍ୟାବଧି ତଳି ପ୍ରସ୍ତୁତ ହୋଇ ରହିଥିଲେ ମଧ୍ୟ ରୁଆପୋତା କାର୍ଯ୍ୟ ହୋଇ ପାରୁନାହିଁ । ମୁଖ୍ୟ କେନାଲରେ ଗତ ୧୦ ତାରିଖ ଠାରୁ ପାଣି ଛଡା ଯାଇଥିଲା ବେଳେ କୌଣସି ଶାଖା କେନାଲରେ ଏପର୍ଯ୍ୟନ୍ତ ପାଣି ଛଡା ନଯିବାରୁ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପାଣି ପଞ୍ଚାୟତ ଦ୍ୱାରା କେନାଲ ସଫେଇ କାର୍ଯ୍ୟ କରାଯାଉଥିବାରୁ ଏହା ଅତ୍ୟନ୍ତ ଧୀମା ଗତିରେ କାର୍ଯ୍ୟ ହେଉଛି । ଏହାଛଡା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କଟିକଟା-ଖନ୍ଦଳ ରାସ୍ତାର ୮ ନଂ ମୁଖ୍ୟ କେନାଲ ଉପରେ ବାଲିଆଚକା ବଜାର ନିକଟରେ ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଠିକାଦାର ମାଟି ପକାଇ କେନାଲ ଅବରୋଧ କରିଦେଇଥିବାରୁ ପାଣି ଆସିବା ପାଇଁ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଚଳିତ ବର୍ଷ ଚାଷ କାର୍ଯ୍ୟ ଆରମ୍ଭ ହେବା ପାଇଁ ବହୁ ବିଳମ୍ବ ହୋଇଥିବାରୁ ଅମଳ ମଧ୍ୟ କମିବାର ଯଥେଷ୍ଟ ସମ୍ଭାବନା ରହିଛି ।

ରାଜ୍ୟ ସରକାର ଚାଷୀ ଓ ଚାଷର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲା ବେଳେ ଜଳସେଚନ ଉପରେ ଗୁରୁତ୍ୱ ଦେଉନଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି । ଯଦିଓ ନିଅଣ୍ଟିଆ ବର୍ଷା ହେଲା ତାହାହେଲେ କ’ଣ ପାଇଁ କେନାଲରେ ପାଣି ଛଡା ଯାଉନାହିଁ ସେ ନେଇ ସରକାର ନୀରବଦ୍ରଷ୍ଟା ସାଜିଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତୁରନ୍ତ କେନ୍ଦ୍ରାପଡା ମୁଖ୍ୟ କେନାଲର ଶାଖା କେନାଲ ଗୁଡିକରେ ପାଣି ଛାଡିବା ପାଇଁ ଚାଷୀ ମହଲରେ ଜଳସେଚନର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ହୋଇଛି । ଉକ୍ତ ଘଟଣା ସଂପର୍କରେ କେନ୍ଦୁପାଟଣା ଜଳସଂପଦ ବିଭାଗର ନିର୍ବାହୀ ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ମଲ୍ଲିକଙ୍କୁ ପଚାରିବାରୁ କେନାଲ ସଫେଇ ଓ ଅଦିନିଆ ପୋଲ ନିର୍ମାଣ ଯୋଗୁ କେନାଲରେ ପାଣି ଛଡା ଯାଇନାହିଁ । ଆସନ୍ତା ୧୫ ତାରିଖରେ ଶାଖା କେନାଲ ଗୁଡିକରେ ପର୍ଯ୍ୟାୟକ୍ରମେ ପାଣି ଛଡାଯିବ ବୋଲି ପ୍ରକାଶ କରିଛନ୍ତି ।