Onn 3

ଓଡିଆ ନବଜାଗରଣର ପୁରୋଧା ଥିଲେ କର୍ମବୀର ଗୌରୀଶଙ୍କର ରାୟ : ଜନ୍ମପୀଠରେ୧୮୫ତମ ଜୟନ୍ତୀ

State

ନିଶ୍ଚିନ୍ତକୋଇଲି (୧୩.୭) : ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧି କରାଇବାରେ କର୍ମବୀର ଗୌରୀଶଙ୍କରଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ଓଡିଆମାନଙ୍କର ସମସ୍ୟା ଓ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସେ ଜଣେ ନିରପେକ୍ଷ ସାମ୍ବାଦିକ ଭାବେ କାର୍ଯ୍ୟ କରି ପ୍ରଥମ ଓଡିଆ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ପ୍ରକାଶନ କରିଥିଲେ । ସେ ଏକାଧାରରେ ଓଡିଆ ସମ୍ବାଦପତ୍ରର ଜନକ, ନିଷ୍ଠାପର ସମାଜ ସଂସ୍କାରକ, ଦକ୍ଷ ସଂଗଠକ, ଶିକ୍ଷା ଓ ସଂସ୍କୃତିପ୍ରେମୀ ସର୍ବପରୀ ଜାତିୟତାବାଦୀ ନେତା ଭାବେ କାର୍ଯ୍ୟ କରି ଓଡିଆ ନବଜାଗରଣର ପୁରୋଧା ସାଜି ଜନସମାଜ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିବା ପାଇଁ କର୍ମବୀର ଗୌରୀଶଙ୍କର ରାୟଙ୍କ ୧୮୫ତମ ଜୟନ୍ତୀରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।

ଅସୁରେଶ୍ୱର ପଂଚାୟତ କାର୍ଯ୍ୟାଳୟରେ ସରପଂଚ ଗୌତମୀ ଦାସଙ୍କ ପୌରୋହିତ୍ୟରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ, ସମ୍ମାନୀତ ଅତିଥି ଭାବେ ସମିତିସଭ୍ୟା ହିମାଦ୍ରୀ ମିଶ୍ର, ନାରୀନେତ୍ରୀ ଲକ୍ଷ୍ମୀପ୍ରିୟା ପରିଡା, ଶିଶିର କୁମାର ମିଶ୍ର, ଯୁବସମାଜସେବୀ ଅନନ୍ତ ଦାସ, ପୂର୍ବତନ ସରପଂଚ ରାଜୀବ ଲୋଚନ ବେହେରା, ସୁଧାଂଶୁ ଶେଖର ଦାସ, ପୁନ୍ନାନନ୍ଦ ବେହେରା, ବସନ୍ତ କୁମାର ସାହୁ, ନିତ୍ୟାନନ୍ଦ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ, ମନୋଜ ବେହେରା, ଜାହୀର ମହମ୍ମଦ, ମଦନ ସାହୁ, ଅଜୟ ଦାସ,ସରୋଜ କୁମାର ସିଂ ପ୍ରମୁଖ ଯୋଗଦେଇ ଗୌରୀଶଙ୍କରଙ୍କର କୃତୀ ସଂକ୍ରାନ୍ତରେ ଆଲୋଚନା କରିଥିଲେ ।

ଏହି ଅବସରରେ ପଂଚାୟତ କାର୍ଯ୍ୟାଳୟ ଓ ଗୌରୀଶଙ୍କର ପାର୍କ ପରିସରରେ ଥିବା ଉଭୟ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦିଆଯାଇଥିଲା । ଏହାଛଡା କର୍ମବୀରଙ୍କ ଜନ୍ମସ୍ଥାନ ଦୀକ୍ଷିତପଡାଠାରେ ସେ ନିଜେ ପ୍ରତିଷ୍ଠା କରିଥିବା ଗୌରୀଶଙ୍କର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ସୁଧାଂଶୁ ମାଳିନୀ ଓଝାଙ୍କ ପୌରୋହିତ୍ୟରେ ମଧ୍ୟ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି । ଏଥିରେ ଶିକ୍ଷୟିତ୍ରୀ ଯୁଗଜ୍ୟୋତି ଖଟୁଆ, ଦମୟନ୍ତୀ ସ୍ୱାଇଁ, ଶିକ୍ଷକ ଦଇତାରୀ ଶବର, ଅଙ୍ଗନୱାଡି କର୍ମୀ ରୀନା ଚାନ୍ଦ ଏବଂ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରି ତାଙ୍କର ଗୁଣଗାନ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।