Re

ପ୍ରବାସୀ ଭାରତୀୟ ଦିବସ ସମାରୋହ: ବିଶ୍ୱ ଦେଖିବ ଓଡ଼ିଶା ଐତିହ୍ୟ

State

ଭୁବନେଶ୍ଵର: ଆରମ୍ଭ ହୋଇଛି ତିନି ଦିନିଆ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ ସମାରୋହ’। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମେ ଯୁବ ପ୍ରବାସୀ ଭାରତୀୟ ଦିବସ ଉଦଘାଟିତ ହୋଇଛି । କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ‘ବିକଶିତ ଭାରତ ଗଠନରେ ପ୍ରବାସୀ ଭାରତୀୟଙ୍କ ଯୋଗଦାନ’ ବିଷୟ ବସ୍ତୁକୁ ନେଇ ଆରମ୍ଭ ହୋଇଛି ପ୍ରଥମ ଦିନ ।

ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଦୃଷ୍ଟି କୋଣରୁ ଓଡିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହୋଇଛି । ଯୁବ ଦିବସ ପରେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ସମ୍ଭାବନା ନେଇ ପ୍ରବସୀ ମାନଙ୍କ ସହିତ ଆଲୋଚନା ହେବ । ଯେଉଁଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିବା ସହ ସମ୍ବୋଧିତ କରିବେ ।ପ୍ରବାସୀ ଭାରତୀୟଙ୍କୁ ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲାଇବା ପାଇଁ ତିନି ଦିନ ଧରି ଚାଲିବାକୁ ଥିବା ପ୍ରବାସୀ ଭାରତୀୟ ଏକ୍ସପ୍ରେସକୁ ଶୁଭାରମ୍ଭ କରାଯିବ। ସେହିପରି ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଯାପନ ଦିବସରେ ପ୍ରବାସୀଙ୍କୁ ସମ୍ବୋଧିତ କରିବେ ।

ଏହି କାର୍ଯ୍ୟକ୍ରମରେ ୭୦ ରାଷ୍ଟ୍ରରୁ ପ୍ରବାସୀ ଯୋଗଦେବେ । ଅତିଥିମାନଙ୍କୁ ଭବ୍ୟ ସ୍ବାଗତ ଓ ଅତିଥି ସତ୍କାର ପାଇଁ ରାଜଧାନୀ ସଜେଇ ହୋଇଛି । ଭୁବନେଶ୍ବରରେ ଫ୍ଲାଏ ଓଭର, ବ୍ରିଜଠୁ ଆରମ୍ଭ କରି ପାଚେରୀ, କାନ୍ଥ ପର୍ଯ୍ୟନ୍ତ ସଜେଇ ହୋଇଛି । ସେମାନଙ୍କ ପାଇଁ ଭୁବନେଶ୍ବର, କଟକ ସମେତ ପୁରୀରେ ରହିବା ବ୍ୟବସ୍ଥା କରାଯାଇଛି । ଅତିଥିଙ୍କୁ ଓଡ଼ିଶା କଳା, ସଂସ୍କୃତି, ପର୍ଯ୍ୟଟନ ସ୍ଥଳ ବୁଲାଇବା ପାଇଁ ସ୍ବତନ୍ତ୍ର ଡବଲ ଡେକର ବସର ବ୍ୟବସ୍ଥା କରାଯାଇଛି ।

ପ୍ରବାସୀ ଭାରତୀୟ ଦିବସ ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ। ଭାରତର ବିକାଶରେ ପ୍ରବାସୀ ଭାରତୀୟ ସମୁଦାୟର ଅବଦାନକୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ୨୦୦୩ ମସିହାଠାରୁ ଏପର୍ଯ୍ୟନ୍ତ ଏହି ଦିବସ ଆୟୋଜନ ହୋଇ ଆସୁଛି । ବିଶ୍ବର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ନିଜ ଜନ୍ମ ମାଟି ସହ ଯୋଡ଼ିବା ଓ ଏହାର ଗୌରବମୟ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ସହ ଅଧିକ ପରିଚିତ କରି ଯୋଡ଼ିବା ଲାଗି ଏହି ଦିବସ ଆୟୋଜନ କରାଯାଇ ଆସୁଛି।