Pra

ଜନତା ମଇଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ମହାକୁମ୍ଭ, ଯୁବ ସମାବେଶରୁ ଆରମ୍ଭ ହେଲା ସମ୍ମିଳନୀ

State

ଭୁବନେଶ୍ବର : ଭୁବନେଶ୍ବର ଜନତା ମଇଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ମହାକୁମ୍ଭ । ଯୁବ ସମାବେଶରୁ ଆରମ୍ଭ ହେଲା ୩ ଦିନିଆ ସମ୍ମିଳନୀ । ଏଥିରେ ଦେଖିବାକୁ ମିଳିଛି ଓଡିଶାର କଳା, ଐତିହ୍ୟ ଏବଂ ସଂସ୍କୃତି । ଓଡ଼ିଆ ବ୍ୟାଞ୍ଜନର ମହକ ମହକିଛି ଜନତା ମଇଦାନ । ପ୍ରବାସୀ ଭାରତୀୟଙ୍କୁ ପରସା ଯାଉଛି ଓଡ଼ିଆ ବ୍ୟଞ୍ଜନ। ଦେଶ ବିଦେଶ ଅତିଥିଙ୍କୁ ବ୍ରେକଫାଷ୍ଟ, ଲଞ୍ଚରେ ପରସା ଗଲା ଓଡ଼ିଆ ବ୍ୟଞ୍ଜନ । ପ୍ରାୟ ୭୫୦୦ ଗେଷ୍ଟଙ୍କ ପାଇଁ ବିଭିନ୍ନ କିସମର ଓଡ଼ିଆ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଏଥିରେ ନିରାମିଷ ଓ ଆମିଷ ଓଡ଼ିଆ ଖାଦ୍ୟ ରହିଛି ।

ଆମିଷରେ ଦେଶୀ କୁକୁଡ଼ା ଝୋଳ, ମାଛ ବେସର, ମାଟି ହାଣ୍ଡି ମଟନ୍ ସେହିଭଳି ନିରାମିଷରେ ଡାଲମା, କାନିକା , ଜହ୍ନି ଆଳୁ ପୋସ୍ତ, କଖାରୁ ଫୁଲ ଆଇଟମ, କଦଳୀ ମଞ୍ଜା ରାଇ, ଆଳୁ ପୋଟଳ ରସା ଆଦି ରହିଛି। କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିଲେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରେଟା। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଆରମ୍ଭ କରିଥିଲେ କାର୍ଯ୍ୟକ୍ରମ। ଭାରତରେ ପ୍ରତି ୨୦ ରୁ ୧୩ ଜଣ ହେଉଛନ୍ତି ଯୁବକ। ଏହା ଭାରତର ଶକ୍ତି। ବିକଶିତ ଭାରତ ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ସହ ଯୁବକଙ୍କୁ ସୁଯୋଗ ମିଳିବା ଆବଶ୍ୟକ। ୩୫ ମିଲିୟନ ପ୍ରବାସୀ ବିଦେଶରେ ରହୁଛନ୍ତି।”

ଦେଶ ବିକାଶରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ,ସବକା ପ୍ରୟାସ ଜରୁରୀ”। ଦେଶ ବିକାଶରେ ସମସ୍ତେ ଯୋଗଦାନ କରନ୍ତୁ ବୋଲି ସେ କହିଛନ୍ତି। ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଅଭିଭାଷଣରେ କହିଛନ୍ତି ବିକଶିତ ଭାରତ ଗଠନରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ।

ପ୍ରଯୁକ୍ତିବିଦ୍ୟା ସହ ପରମ୍ପରା ହେଉଛି ଆମ ବିକାଶର ମନ୍ତ୍ର। ଆଉ ଏହି ଲକ୍ଷ୍ୟ ହାସଲ କରିବାରେ ଯୁବ ପିଢ଼ି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି। ଓଡ଼ିଶାର ଆଶାବାଦୀ ଓ ଉର୍ଜାବାନ ଯୁବ ପିଢି ବିଷୟରେ କହିବା ସହ ଓଡ଼ିଶାର ଉତ୍ସବ, ଧାର୍ମିକ ଓ ଐତିହ୍ୟ ସ୍ଥଳ ଉପରେ କହିଛନ୍ତି ବୈଦେଶିକ ମନ୍ତ୍ରୀ। ଟେକ୍ନୋଲୋଜି ଓ ପରମ୍ପରାକୁ ଗୁରୁତ୍ବ ଦେଉଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଯୁବବର୍ଗ କାମରେ ଲଗାନ୍ତୁ ।

ଓଡ଼ିଶାର ବିକାଶ ଆମର ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର। ନିରନ୍ତର ଓଡ଼ିଶାର ବିକାଶ ଆମର ପ୍ରାଥମିକତା ବୋଲି କହିଛନ୍ତି ମୋହନ ମାଝି। ଅପରାହ୍ଣରେ ଅନରାଭେଲିଂ ଇଣ୍ଡିଆଜ ବେଷ୍ଟ କେପ୍ ଟ ସିକ୍ରେଟ ଓ ବିକଶିତ ଓଡିଶା: ଦି ରୋଡ ଆହେଡ ଶୀର୍ଷକରେ ସେସନ ଅନୁଷ୍ଠିତ ହେବ। ଆଜି ସଂଧ୍ୟାରେ କାର୍ଯ୍ଯକ୍ରମରେ ଯୋଗ ଦେବାକୁ ଭୁବନେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୯ ତାରିଖରେ ସମାରୋହକୁ ସେ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ।