Onn 3

ବିଦ୍ୟାଳୟର ସ୍ୱାସ୍ଥ୍ୟ ରକ୍ଷା ସଂକ୍ରାନ୍ତ ଶିକ୍ଷକ ପ୍ରଶିକ୍ଷଣ

State

ନିଶ୍ଚିନ୍ତକୋଇଲି (୧୩/୭) : ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆୟୁଷ୍ମାନ ଭାରତ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଦ୍ୟାଳୟରେ ଛାତ୍ର ଛାତ୍ରୀମାନଙ୍କର ଉତ୍ତମ ସ୍ୱାସ୍ଥ୍ୟରକ୍ଷା ପାଇଁ ଯତ୍ନବାନ ହେବା ସଂକ୍ରାନ୍ତ ଏକ ଶିକ୍ଷକ ପ୍ରଣିକ୍ଷଣ ଶିବିର ଅନୁଷ୍ଠିତ ହେଉଛି । ଏହି ଶିବିରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅମିତ କୁମାର ଜେନା ଉଦ୍‌ଘାଟନ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟକ୍ରମ ପରିଚାଳକ ସୌମ୍ୟ ରଂଜନ ପାତ୍ରଙ୍କ ସଂଯୋଜନାରେ ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ଗୋଷ୍ଠୀ ସ୍ୱାସ୍ଥ୍ୟଶିକ୍ଷା ସଂପ୍ରସାରଣ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଯୋଗଦେଇଥିଲେ ।

ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ପର୍ଯ୍ୟାୟରେ ଗୋଟିଏ ବିଦ୍ୟାଳୟର ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ତାଲିମ ଗ୍ରହଣ କରିବେ । ଗୋଟିଏ ପର୍ଯ୍ୟାୟ ଶିବିରରେ ୩୫ ଜଣ ଶିକ୍ଷକଙ୍କୁ ନେଇ ୫ ଦିନ ଧରି ଅନୁଷ୍ଠିତ ହେବ । ଏହି ଶିବିରରେ ପ୍ରଶିକ୍ଷକ ଭାବେ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର, ଡାକ୍ତର ଜାପାନୀ ମହାପାତ୍ର, ସିଆରସିସି ପ୍ରଭାତ କୁମାର ବେହେରା, ଶିକ୍ଷକ ଶୁଭଶ୍ରୀ ନାୟକ ଓ ଦେବଦୁଲ୍ଲର୍ଭ ରାଉତରାୟ ଯୋଗଦେଇ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କର ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସୁବିଧା କରିବା ସହିତ ସଂକ୍ରାମକ ଓ ଅଣସଂକ୍ରାମକ ରୋଗ ବିଷୟରେ ଛାତ୍ର ଛାତ୍ରୀମାନଙ୍କୁ ଅବଗତ କରାଇବା, ପୋଷଣ ଓ ଶାରିରୀକ ଅଭିବୃଦ୍ଧି , ଯୌନ ଓ ପ୍ରଜନନ , ସୁସ୍ଥ ମାନସିକତା , ଲିଙ୍ଗଗତ ସମାନତା ଓ ପରିଷ୍କାର ପରିଚ୍ଛନ୍ନତା ସଂକ୍ରାନ୍ତରେ ତାଲିମ ପ୍ରଦାନ କରୁଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରୁଛନ୍ତି ।