Onn 3

ବାଲେଶ୍ବର ଏସପି ଓ ଜିଲ୍ଲାପାଳଙ୍କୁ ସମନ କଲା ଏନଏଚଆରସି

State

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ଡିଆରଡିଓର ନିଷିଦ୍ଧାଞ୍ଚଳରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିସନ୍ (ଏନଏଚଆରସି) ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କୁ ସମନ୍ ଜାରି କରିଛନ୍ତି। ଘଟଣା ସମ୍ପର୍କରେ ଆବଶ୍ୟକ ରିପୋର୍ଟ ଦେବାରେ ବିଫଳ ହୋଇଥିବାରୁ ଏହି ଦୁଇ ଅଧିକାରୀଙ୍କୁ ସମନ୍ କରାଯାଇଛି।

୨୦୨୨ ମସିହା ସେପ୍ଟେମ୍ବର ୨୮ ତାରିଖରେ ନିଷେଦ୍ଧାଞ୍ଚଳରୁ ଫୁଟିଥିବା ଏକ ତୋପ ଖଣ୍ଡର ସ୍ଲିନଟିର ମାଡ଼ରେ କମଳ ଲୋଚନ ମାଝୀ ନାମକ ଜଣେ ୩୫ ବର୍ଷୀୟ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଅଭିଯୋଗ ହୋଇଛି।

ପୂର୍ବରୁ ଏନଏଚଆରସି ଗତବର୍ଷ ନଭେମ୍ବର ୧୦ରେ ନୋଟିସ୍ ଜାରି କରି ଚାରି ସପ୍ତାହ ମଧ୍ୟରେ ସମ୍ପୃକ୍ତ କର୍ତ୍ତୃପକ୍ଷ ତଥା ପ୍ରତିରକ୍ଷା ମନ୍ତ୍ରଣାଳୟର କେନ୍ଦ୍ର ସଚିବଙ୍କଠାରୁ ଜବାବ ମାଗିଥିଲେ।

ଏହାର ରିପୋର୍ଟରେ କହୁଯାଇଛି ଯେ, ପାରମ୍ପରିକ ଅସ୍ତ୍ରଶସ୍ତ୍ର ପାଇଁ ପରୀକ୍ଷଣ ରେଞ୍ଜ ୧୨୫ ବର୍ଷରୁ ଅଧିକ ସମୟ ଧରି ରହିଛି ଏବଂ ଏହା ‘ପ୍ରଥମେ ସୁରକ୍ଷା ଏବଂ ସର୍ବଦା’ର ମୌଳିକ ନୀତି ଉପରେ କାମ କରୁଛି। ସୁରକ୍ଷିତ ପରୀକ୍ଷଣ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ଆଭ୍ୟନ୍ତରୀଣ ଏସଓପି ସମେତ ଅନେକ ପଦକ୍ଷେପ ଏବଂ ବ୍ୟବସ୍ଥା ରହିଛି ବୋଲି ଦାବି ହୋଇଛି ।

ଏଥିରେ କୁହାଯାଇଛି ଯେ, ବାରମ୍ବାର ଚେତାବନୀ ସତ୍ତ୍ୱେ ଅନେକ ସ୍ଥାନୀୟ ଗ୍ରାମବାସୀ ସମୁଦ୍ର ପାଖରେ ରହିବାକୁ ପସନ୍ଦ କରନ୍ତି । ନିର୍ଦ୍ଦେଶ ଓ ପରବର୍ତ୍ତୀ ରିମାଇଣ୍ଡର ସତ୍ତ୍ୱେ ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କ ଆବଶ୍ୟକ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି କମିସନ କହିଛନ୍ତି। ତେବେ ଅଗଷ୍ଟ ୭ କିମ୍ବା ଏହା ପୂର୍ବରୁ ଆବଶ୍ୟକ ରିପୋର୍ଟ ମିଳିଲେ ଦୁଇ କର୍ତ୍ତୃପକ୍ଷଙ୍କ ବ୍ୟକ୍ତିଗତ ଉପସ୍ଥିତି ରହିବ।

ଏହି ମାମଲାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ସହିତ ଆସନ୍ତା ଅଗଷ୍ଟ ୧୪ ତାରିଖ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀରେ ହାଜର ହେବାକୁ ଏନ୍ଏଚଆରସି ଜିଲ୍ଲାପାଳ ଓ ଏସପିଙ୍କୁ କହିଛନ୍ତି।