Onn 3

ବାହାଦଲପୁର ଓ ନଳିତାଗଡ଼ିଆ ବାସୀଙ୍କୁ କନ୍ଦାଏ ବର୍ଷା

State

ଆଗରପଡ଼ା:ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଗାଁର ବିକାଶ କରିବାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତି ଓ ଦୂରଦୃଷ୍ଟିର ଅଭାବ ଯୋଗୁ ସ୍ୱାଧିନତାର ବହୁ ବର୍ଷ ପରେବି ଜିଲ୍ଲାର ଅନେକ ଗାଁରେ ବିକାଶତ ଦୂରର କଥା ମୌଳିକ ସୁବିଧା ମଧ୍ୟ ଅପହଞ୍ଚ ରହିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତ ୧ନଂ ୱାର୍ଡ଼ର ଦୁଇ ଗାଁ ବାହାଦଲପୁର ଓ ନଳିତାଗଡ଼ିଆ ଠାରେ । ବର୍ଷାଦିନ ଆସିଲେ ଏହି ଦୁଇ ଗାଁ ବାସୀଙ୍କୁ ଦୁଖଃ ମାଡ଼ି ଆସିଥାଏ । ଲୋକେ ବାହାରକୁ ବାହାରି ପାରି ନଥାନ୍ତି । କହିବାକୁ ଗଲେ ବର୍ଷା କନ୍ଦାଏ ଏହି ଦୁଇ ଗାଁ ବାସୀଙ୍କୁ । ଖବର ନେବାରୁ ଜଣାପଡ଼ିଛି : ଗମନାଗମନ, ଶିକ୍ଷା, ପାନୀୟ ଜଳ ଓ ସ୍ୱାସ୍ଥ୍ୟ ଭଳି ସବୁ ବ୍ୟବସ୍ଥା ଏଠାକାର ଲୋକଙ୍କ ପାଇଁ ସାତ ସପନ ପାଲଟିଛି । ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆସି ନାନା ପ୍ରତିଶୃତିମାନ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦେଇଥାନ୍ତି ଓ ନିର୍ବାଚନ ପରେ ସବୁ ପାସୋରି ଯାଇଥାଆନ୍ତି ବୋଲି ଏହି ଦୁଇ ଗାଁର ଅଧିବାସୀ ମାନେ ଲୁହଭିଜା ନୟନରେ ଆମ ପ୍ରତିନିଧିଙ୍କୁ କହିଛନ୍ତି । ଏକ ଛୋଟିଆ ଗାଁ ବାହାଦଲପୁର ଯାହାର ଲୋକସଂଖ୍ୟା ୧୧୦ ତନ୍ନମଧ୍ୟରୁ ଭୋଟର ସଂଖ୍ୟା ୬୧ । ଚାରିପଟେ ଚାଷଜମି ମଧ୍ୟରେ ରହିଯାଇଛି ଏହି ଛୋଟିଆ ଗାଁ । ମାତ୍ର ଏହି ଗାଁକୁ ଭଲ ରାସ୍ତାଟିଏ ନାହିଁ ।

ଆଡ଼ିଆ ଠାରୁ ଜିରିଣାକୁ ଲମ୍ବିଥିବା ମାଟି ରାସ୍ତାରେ ଯିବାପରେ ଚାଷଜମି ହିଡ଼ ରେ ପ୍ରାୟ ୨ଶହ ମିଟର ଗଲାପରେ ଏହି ଗାଁ ପଡ଼େ । ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ବର୍ଷାଦିନରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ । ଚାଷଜମି ମଧ୍ୟରେ ୨/୩ ଫୁଟର ଲମ୍ବ ଥିବା ଏହି ମାଟି ରାସ୍ତାଟି ଖାଲ ଢିପରେ ପରିପୂର୍ଣ୍ଣ । ଧାନ ଫସଲ ସମୟରେ ସାପ ତଥା ଅନ୍ୟାନ୍ୟ କୀଟପତଙ୍ଗ ଏଠାରେ ଯାତାୟାତ ସଦାସର୍ବଦା କରିଥାନ୍ତି । ସଂଧ୍ୟାପରେ ଯିବା ଅର୍ଥ ବିପଦକୁ ଡ଼ାକି ଆଣିବା, କିନ୍ତୁ ଏହା ଉପରେ ଗାଁ ଲୋକମାନେ ଯାଆଆସ କରିଥାନ୍ତି । ବଜାରକୁ ନ ଗଲେ ରୋଷେଇ ବନ୍ଦ, ପୁଣି କଲେଜକୁ ନ ଗଲେ ପାଠ ପଢା ବନ୍ଦ, ତେଣୁ ସମସ୍ତଙ୍କୁ ସବୁବେଳେ ଏହି ରାସ୍ତା ଦେଇ ଯିବା ଆସିବା କରିବାକୁ ହୋଇଥାଏ । ଗାଁ ମଝିରେ ପଞ୍ଚାୟତ ପୋଖରୀଟି ଥିବାରୁ ଗାଁ ମଧ୍ୟରେ ରାସ୍ତା ଆଦୈା ନାହିଁ ବୋଲି କହିଲେ ଚଳେ । ପୋଖରୀ ହୁଡ଼ାରେ ଗାଁ ମଧ୍ୟରେ ଯାଆଆସ କରିବାକୁ ହୋଇଥାଏ । ଆଡ଼ିଆରୁ ଏହି ଗାଁକୁ ଲମ୍ବିଥିବା ରାସ୍ତାଟି ଆସି ଜନୈକ ଗ୍ରାମବାସୀଙ୍କ ନିଜସ୍ୱ ଜାଗାକୁ ସଂଯୋଗ କରିଛି । ସମସ୍ତ ଗ୍ରାମବାସୀ ଏହି ବ୍ୟକ୍ତିଗତ ଜାଗା ଦେଇ ନିଜନିଜ ଘରକୁ ଆସିଥାନ୍ତି । ଅନୁରୂପଭାବେ ନଳିତାଗଡ଼ିଆ ଗ୍ରାମର ଲୋକସଂଖ୍ୟା ପାଖାପାଖି ୬୦, ତନ୍ନମଧ୍ୟରୁ ୪୦ଜଣ ଭୋଟର । ଏହି ଗାଁର ଅବସ୍ଥା ତଦ୍ରୁପ,କାଦୁଅ ପଚପଚ ରାସ୍ତାଟି ଖାଲଖମାରେ ଭର୍ତ୍ତି ।

ଏହି ଗାଁ ଓ ବାହାଦଲପୁର ଗାଁ ରୁ ଛାତ୍ରଛାତ୍ରୀ ଓ କୁନିକୁନି ପିଲାମାନେ ଅଙ୍ଗନବାଡ଼ି,ସ୍କୁଲ ତଥା କଲେଜକୁଏହି ରାସ୍ତାଦେଇ ପ୍ରତିଦିନ ଅଧ୍ୟୟନ ପାଇଁ ଆସିଥାନ୍ତି । ବର୍ଷା ଋତୁ ରେ ଏହି ଦୁଇ ଗାଁ ବାହ୍ୟ ଜଗତରୁ ବିଛିନ୍ନ ପ୍ରାୟ ହୋଇଯାଇଥାଏ । ରାସ୍ତା ଅବସ୍ଥା ଯୋଗୁଁ ପିଲାମାନେ ଠିକ୍ ଭାବେ ଶିକ୍ଷାଲାଭ କରିପାରିନଥାନ୍ତି । ଏହି ୨ଟି ଗାଁର ରୋଗୀମାନଙ୍କୁ ଖଟିଆରେ ବୋହା ହୋଇ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥାଏ । ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ, ଏହି ଗାଁର ପ୍ରାୟ ୫କି.ମି. ଦୂରରେ ରହିଥାନ୍ତି କାରଣ ଏହି ସଂକୀର୍ଣ୍ଣ ରାସ୍ତାରେ ଚାରିଚକିଆ ଗାଡ଼ି ଆସିବା ସମ୍ଭବପର ହୁଏ ନାହିଁ । ଏହି ପରି ଅସମ୍ଭବ ପରିସ୍ଥିତମାନ ଏହି ଗାଁ ଲୋକେ ସମ୍ମୁଖୀନ ହେଉଛନ୍ତି । ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ନେତାମାନେ ଆସି ନାନା ପ୍ରତିଶୃତିମାନ ଗମନାଗମନ ସମସ୍ୟାର ସମାଧାନ ପାଇଁ ଦେଇଥିଲେ ସୁଦ୍ଧା ତାହା ଆଜିଯାଏ କେବଳ ପ୍ରତିଶୃତିରେ ହିଁ ରହିଯାଇଛି ବୋଲି ଗ୍ରାମବାସୀମାନେ କହିଛନ୍ତି । ଏହି ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦୃଢ ଦାବି କରିଛନ୍ତି ।