Onn 3

ରାଷ୍ଟ୍ରୀୟ ପୁରୁଷ ଆୟୋଗ ଗଠନ ଦାବି ଯାଚିକାକୁ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

National & International

ନୂଆଦିଲ୍ଲୀ: ପୁରୁଷମାନଙ୍କ ପାଇଁ ଜାତୀୟ ଆୟୋଗ ଗଠନ ସମ୍ପର୍କରେ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ସୋମବାର ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏହି ଆବେଦନରେ ଘରୋଇ ହିଂସାରେ ପୀଡିତ ପୁରୁଷଙ୍କ ଆତ୍ମହତ୍ୟା ସହ ଜଡିତ ମାମଲାଗୁଡ଼ିକର ସମାଧାନ ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ଏବଂ ଆୟୋଗ ଗଠନ କରିବାକୁ କୋର୍ଟଙ୍କ ନିକଟରେ ଦାବି କରାଯାଇଥିଲା। ତେବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଦୀପଙ୍କର ଦତ୍ତ ଏହି ମାମଲାର ଶୁଣାଣି କରିବାକୁ ମନା କରି ଦେଇଛନ୍ତି। କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି, “ତୁମେ କେବଳ ଏକପାଖିଆ ଚିତ୍ର ଉପସ୍ଥାପନ କରିବାକୁ ଚାହୁଁଛ। ବିବାହ ପରେ ଜୀବନ ହରାଇଥିବା ଯୁବତୀଙ୍କ ତଥ୍ୟ ଆପଣ ଦେଇପାରିବେ କି? କେହି ଆତ୍ମହତ୍ୟା କରିବାକୁ ଚାହାଁନ୍ତି ନାହିଁ।
ବାସ୍ତବରେ ଓକିଲ ମହେଶ କୁମାର ତିୱାରୀଙ୍କ ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଥିଲା। ଏହି ପିଟିସନରେ ଦେଶରେ ପୁରୁଷଙ୍କ ଆତ୍ମହତ୍ୟା ସମ୍ପର୍କରେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ତଥ୍ୟ ଦର୍ଶାଯାଇଥିଲା । ଏନସିଆରବି ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଦେଶରେ ୧ ଲକ୍ଷ ୬୪ ହଜାର ୦୩୩ ଜଣ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୮୧ ହଜାର ୦୬୩ ଜଣ ପୁରୁଷ ଏବଂ ୨୮ ହଜାର ୬୮୦ ଜଣ ମହିଳା ବୋଲି ଆବେଦନପତ୍ରରେ ଦର୍ଶାଯାଇଥିଲା। ଆବେଦନ ଅନୁଯାୟୀ, ୨୦୨୧ ମସିହାରେ ୩୩.୨ ପ୍ରତିଶତ ପୁରୁଷ ପାରିବାରିକ ସମସ୍ୟା ହେତୁ ଆତ୍ମହତ୍ୟା କରିଥିଲେ। ମହିଳାମାନଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୪.୮ ପ୍ରତିଶତ ଥିଲା | ଘରୋଇ ହିଂସାର ଶିକାର ହୋଇଥିବା ପୁରୁଷଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶାବଳୀ ଜାରି ଯାଚିକା ଯାଚିକାରେ କୁହାଯାଇଥିଲା |