Onn 3

ସରକାରୀ ଆର୍ଥିକ ପ୍ରୋତ୍ସାହନରୁ ବଂଚିତ ଭଣ୍ଡାରି କୌଳିକ ବୃତ୍ତିଧାରୀ

State

ଆଗରପଡ଼ା:ଆଧୁନିକ ସମାଜରେ ମଣିଷ ଯେତେ ନୂତନତ୍ୱକୁ ଆପଣେଇଲେ ମଧ୍ୟ, ଏମିତି କିଛି କାର୍ଯ୍ୟ କରିବାକୁ ପଡ଼େ, ଯାହା ପାଇଁ ତାକୁ କୌଳିକ ବୃତ୍ତି ଧାରୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଯେମିତିକି ସମାଜରେ ଘଟୁଥିବା ବାହାଘର, ବ୍ରତଘର ଆଦି ଶୁଭ କାର୍ଯ୍ୟ ବା ଛୁତିକା, ମୁର୍ତ୍ତିକା ଆଦି ଅଶୁଭ କାର୍ଯ୍ୟ ହେଉ, ପ୍ରତି କାର୍ଯ୍ୟରେ ସର୍ବ ପ୍ରଥମେ ଭଣ୍ଡାରି ମାନଙ୍କ ଆବଶ୍ୟକତା ରହିଥାଏ । ସେମାନଙ୍କ ବିନା ଏହି ସବୁ କାର୍ଯ୍ୟ ଅଧୁରା ରହିଯାଇଥାଏ । ମାତ୍ର ସେପରି ସ୍ଥଳେ ଭଣ୍ଡାରିମାନେ ଚିର ଅବହେଳିତ ହୋଇରହିଛନ୍ତି । ଗାଁ ମାନଙ୍କରେ ଘର ଘର ବୁଲି ବା ସେଲୁନ୍ ଖୋଲି କେଶ ବିନ୍ୟାସ କରି ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ବର୍ତ୍ତମାନର ମହଙ୍ଗା ଯୁଗରେ ଏଥିରୁ ରୋଜଗାର କରି ପରିବାର ଚଳାଇବା ଯେ କେତେ କାଠିକର ପାଠ ତାହା କେବଳ ଅନୁଭବି ହିଁ ଜାଣି ପାରେ । ଏଥିରୁ ଆୟ, ବେୟ ତୁଳନାରେ କମ୍ ହେଉଥିବାରୁ ଏହି କୌଳିକ ବୃତ୍ତିରୁ ସେମାନେ କ୍ରମଶଃ ମୁହଁ ଫେରାଇ ନେଉଥିବାର ଜଣାପଡ଼ିଛି । ଯଦି ଏହି ବୃତ୍ତି ପାଇଁ ସରକାରୀ ସ୍ତରରେ ଆର୍ଥିକ ପ୍ରୋତ୍ସାହନ ମିଳି ପାରନ୍ତା ତେବେ ସବୁଦିନ ପାଇଁ କୌଳିକ ବୃତ୍ତି ଉଦଜ୍ଜିବିତ ହୋଇ ରହିପାରନ୍ତା । କାଦବରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଭଗାରାମ ଏପରି ଏକ ଗ୍ରାମ ଯେଉଁ ଗ୍ରାମରେ ପାଖା ପାଖି ୫୦୦ରୁ ୬୦୦ ଲୋକ ବସବାସ କରନ୍ତି ।

ସେମାନଙ୍କ ଭିତରୁ ୧୦/ ୧୨ ଘର ଭଣ୍ଡାରି ସଂପ୍ରଦାୟର, କାଁ ଭାଁ ଗୋଟେ ଦୁଇଟି ଘରକୁ ଛାଡ଼ିଦେଲେ ଅନ୍ୟ ଯେତିକି ଘର ରହିଲେ ସମସ୍ତେ ନିଜ କୌଳିକ ବୃତ୍ତିକୁ ପାଥେୟ କରି ନିଜ ଜୀବନ ଗାଡ଼ିକୁ ଗଡ଼ାଇ ଚାଲିଛନ୍ତି । ଏମାନଙ୍କ ସ୍ଥଳେ ଏପରି ଏକ ନିଆରା ଦୃଷ୍ଟାନ୍ତ ଦେଖିବାକୁ ମିଳେ ଯେ ସବୁ ଭଣ୍ଡାରି ସେମାନଙ୍କ କୌଳିକ ବୃତ୍ତିକୁ ଆଗରପଡ଼ା ବଜାରରେ ବ୍ୟବସାୟିକ ରୂପେ ଚଳାଇ ଆସୁଛନ୍ତି । ଆଗରପଡ଼ାସ୍ଥିତ କୁଆଁସମଢିଆରେ କୌଳିକ ବୃତ୍ତିକୁ ନେଇ ଆତ୍ମନିର୍ଭରଶୀଳ ହୋଇ ଅନ୍ୟମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିପାରିଛି “ବାବା ଆଖଣ୍ଡଳମଣୀ ସେଲୁନ୍‌” । ଭଗାରାମ ଗ୍ରାମର ନାରାୟଣ ବାରିକ ଓ କନକଲତା ବାରିକଙ୍କ େଔରଷରୁ ଅରୁଣ ବାରିକ ଓ ନିରଞ୍ଜନ ବାରିକ(ବୁଲୁ)ଙ୍କ ଜନ୍ମ । ଏହି ଦୁଇ ଭାଇ ପିଲାଟି ଦିନରୁ ତାଙ୍କ କୌଳିକ ବୃତ୍ତିକୁ ନିଜ ଜୀବିକା ରୂପେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ସେମାନେ ତାଙ୍କ ସଂପର୍କିୟଙ୍କୁ ନେଇ ୧୫ ରୁ ୨୦ବର୍ଷ ହେବ ଉକ୍ତ ସେଲୁନ୍‌ଟିକୁ ଚଳାଇ ଆସୁଛନ୍ତି । ପ୍ରତିଦିନ ସକାଳ ୬ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଆଗରପଡ଼ା ଓ ତା ଆଖପାଖ ଅଞ୍ଚଳର ଜନମାନସର ସେବା କରିଆସୁଛନ୍ତି ।

ଜନସାଧାରଣଙ୍କ ଠାରୁ ଶୁଣିବାକୁ ମିଳେ ଯେ, ସେମାନେ ସହରରେ ଯେଉଁ ସୁବିଧା ପାଇପାରନ୍ତି ନାହିଁ ସେଇ ସୁବିଧା ଏଇ ଠାରେ ଅଳ୍ପ ମୂଲ୍ୟରେ ପାଇ ପାରନ୍ତି । ଏବଂ ଆଧୁନିକ ଢାଞ୍ଚାରେ ସହର ମାନଙ୍କରେ ଭଢିଉଠିଥିବା ବ୍ୟୁଟିପାର୍ଲରରେ କଟାଯାଉଥିବା ସ୍ଟେପ୍ କଟ୍ , ଲେଦର କଟ୍ ଇତ୍ୟାଦି ସୁବିଧା ମଧ୍ୟ ଏଠାରେ ପାଇପାରିଥାନ୍ତି । ବାହାଘର ଋତୁରେ ବର ପାତ୍ରକୁ ବହୁ ସୁନ୍ଦର ଓ ଅଳ୍ପ ମୂଲ୍ୟରେ ସଜେଇ ପାରିଥାନ୍ତି ଏବଂ ଅନ୍ୟକାର୍ଯ୍ୟ ଯଥା ହେୟାର କଲର, ଫେସ୍ ୱାସ୍‌, ସ୍ଟେପ୍ ଇନ୍ ଆଦି କରିଥାନ୍ତି । ଏହି ସବୁ ସୁବିଧା ଦେଇ ପାରୁଥିଲେ ମଧ୍ୟ ଅର୍ଥର ପ୍ରତିବଂଧକ ପାଇଁ ନିଜ କୌଳିକ ବୃତ୍ତିକୁ ଆଗେଇ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ସେମାନଙ୍କ କହିବା ଅନୁସାରେ ଯଦି ତାଙ୍କୁ ସରକାରୀ ପ୍ରୋତ୍ସାହନ ମିଳି ପାରନ୍ତା ତେବେ ସେମାନେ ସହର ଢାଞ୍ଚାରେ ମଧ୍ୟ ନିଜ କୌଳିକ ବ୍ୟବସାୟକୁ ଆଗେଇ ପାରନ୍ତେ । ତତ୍‌ସହିତ ଏହି ସବୁ ଅଞ୍ଚଳରେ ନିଜ ବ୍ୟବସାୟକୁ ସହର ଢାଞ୍ଚାରେ ଗଢି ତୋଳିବା ସହ ଉକ୍ତ ଅଞ୍ଚଳର ଓ ଆଖ ପାଖ ଅଞ୍ଚଳବାସୀ ଙ୍କୁ ଉତ୍ତମ ସେବା ଯୋଗାଇ ପାରନ୍ତେ । ଏହାରେ ପ୍ରଶ୍ନ ଉଠେ ଯେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବୁଡ଼ି ଯାଉଥିବା ବହୁ କୌଳିକ ବୃତ୍ତିକୁ ଉଦଜ୍ଜିବିତ ରଖିବା ପାଇଁ ଚେଷ୍ଟିତ ହେଉଥିବା ବେଳେ ଭଣ୍ଡାରି ସଂପ୍ରଦାୟଙ୍କୁ ନିଜର କୌଳିକ ବୃତ୍ତିକୁ ଉଦଜ୍ଜିବିତ ରଖିବା ପାଇଁ କାହିଁକି କୌଣସି ପଦକ୍ଷେପ ନେଉ ନାହାନ୍ତି । ତେଣୁ ସରକାରୀ ସ୍ତରରେ ଏହି ବୃତ୍ତିକୁ ପାଥେୟ କରି ଜୀବିକା ନିର୍ବାହ କରୁଥିବା ସଂପ୍ରଦାୟକୁ ଶିଘ୍ର ପ୍ରେ୍‌ାତ୍ସାହନ ଦେବା ପାଇଁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।

Photo of saloon2