Zz

ସମବାୟ ବ୍ୟାଙ୍କରେ ଲାଗୁ ହେବ ଓଟିଏସ୍ ବ୍ୟବସ୍ଥା

State

ଭୁବନେଶ୍ୱର : ୱାନ୍ ଟାଇମ୍ ସେଟଲମେଣ୍ଟ (ଓଟିଏସ୍) ବା ଏକକାଳୀନ ପଇଠ ପ୍ରାବଧାନ ସମବାୟ ବ୍ୟାଙ୍କମାନଙ୍କରେ ଲାଗୁ ହେବ। ଏହି ବ୍ୟବସ୍ଥା ଲାଗୁ କରିବାକୁ ସମବାୟ ବିଭାଗ ବିଧିବଦ୍ଧ ଅନୁମୋଦନ ପ୍ରଦାନ କରିଛି। ଏହା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସହରାଞ୍ଚଳ ସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସମିତିରେ କାର୍ଯ୍ୟକାରୀ ହେବ। ଫଳରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷି ସମବାୟ ସମିତିର ମୋଟ ଅନାଦେୟ ଋଣ (ଏନପିଏ) ବୋଝ ହ୍ରାସ ପାଇବ। ଏହାଦ୍ୱାରା ସେମାନଙ୍କ ସମ୍ପତ୍ତିର ଗୁଣବତ୍ତା ବୃଦ୍ଧି ପାଇବ। ସମବାୟ ବ୍ୟାଙ୍କଗୁଡ଼ିକର ଦୀର୍ଘ ଦିନର ଦାବିକୁ ଏହି ପଦକ୍ଷେପ ଦ୍ୱାରା ସମାଧାନ କରାଯାଇଛି।
ଏହି ମଡେଲ ଯୋଜନା ଦ୍ଵାରା ବ୍ୟାଙ୍କଗୁଡ଼ିକ ସେମାନଙ୍କର ଆର୍ଥିକ ଆବଶ୍ୟକତା ଅନୁଯାୟୀ ପରିଚାଳନା କମିଟିର ଅନୁମୋଦନ କ୍ରମେ ବଦଳାଇ କାର୍ଯ୍ୟକାରୀ କରିପାରିବେ। ଦୀର୍ଘ ଦିନ ଧରି ଓଟିଏସ ଯୋଜନା ଉପଲବ୍ଧ ନଥିବାରୁ ସମବାୟ ବ୍ୟାଙ୍କଗୁଡ଼ିକର ବ୍ୟାଡ୍ ଲୋନ୍, ମୋଟ ଅନାଦେୟ ସମ୍ପତ୍ତି/ଋଣ ବହୁତ ବଢିଯାଇଥିଲା। ଏହି ପଦକ୍ଷେପ ଦ୍ଵାରା ସମସ୍ୟାରେ ସମାଧାନ ଆସିବ। ସମବାୟ ବ୍ୟାଙ୍କଗୁଡ଼ିକ ସେମାନଙ୍କ ବାଲାନ୍ସ ସିଟ୍ କ୍ଲିନ କରିବା ସହ ସମ୍ପତ୍ତି ଗୁଣବତ୍ତାରେ ଉନ୍ନତି ଆଣିପାରିବେ ବୋଲି ସୂଚନା ମିଳିଛି।