Onn 3

ମୟୂରଭଞ୍ଜରେ ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ବୈଠକ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗର ମିଳିତ ଉଦ୍ୟମରେ ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ ସେଣ୍ଟର ଠାରେ ଜିଲ୍ଲା ସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସମ୍ଭନ୍ଧୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୟୂରଭଞ୍ଜ ଜିଲ୍ଲାପାଳ ବିନିତ୍ ଭରଦ୍ୱାଜ ଏହି ସଚେତନତା ବୈଠକର ଶୁଭାରମ୍ଭ କରିଥିଲେ। ପ୍ରଭାଗୀୟ ଶ୍ରମ ଆୟୁକ୍ତ, ମୋନାଲିସା ନାୟକ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ ।ସ୍ୱାଗତ ଭାଷଣ ରେ ଶ୍ରୀମତୀ ନାୟକ ଲେବର ଆକ୍ଟ ସମ୍ଭନ୍ଧ ରେ ବିସ୍ତୃତ ଭାବେ ଅବଗତ କରାଇବା ସହ ଅତୀତ ରେ ଜିଲ୍ଲାରେ ଉଦ୍ଧରିତ ଅନେକ ଶିଶୁ ଶ୍ରମିକ ବର୍ତମାନ ଉଚ୍ଚ ଶିକ୍ଷିତ ଓ ଉତ୍ତମ କର୍ମ ନିଯୁକ୍ତ ବୋଲି ସୂଚାଇ ଥିଲେ |ଏହି ଶିଶୁ ଶ୍ରମିକ ନିରାକରଣ ଅଭିଯାନ ରେ ପ୍ରଶାସନ ତରଫରୁ ବିଭିନ୍ନ ସମୟ ରେ ଢ଼ାବା, ହୋଟେଲ ଓ ଅନ୍ୟାନ୍ୟ ଅନୁଷ୍ଠାନ ରେ ଚଢ଼ାଉ କରାଯାଇ କମଳମତି ଶିଶୁ ଶ୍ରମିକ ଙ୍କୁ ଉଦ୍ଧାର କରି ସେମାନଙ୍କୁ ଉପଯୁକ୍ତ ସ୍ଥାନ ରେ ଥଇଥାନ ବ୍ୟବସ୍ତା କରାଯାଉଛି | ଏହି ପ୍ରକ୍ରିୟା ନିରନ୍ତର ଚାଲୁ ରହିବ ଏବଂ ଏହି ସାମାଜିକ ବ୍ୟାଧିର ମୁଳୋତ୍ପାଟନ କରାଯିବ ବୋଲି ଶ୍ରୀମତୀ ନାୟକ କହିଥିଲେ |

ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ କହିଥିଲେ ଯେ ଜିଲ୍ଲାକୁ ଶିଶୁ ଶ୍ରମିକ ନିଯୁକ୍ତିରୁ ମୁକ୍ତ କରାଇବା ପାଇଁ ଅନେକ ଜିଲ୍ଲା ସ୍ତରୀୟ କମିଟି ରହିଛି ଯାହା ଦ୍ଵାରା ଅନେକ ଅନାଥ ଶିଶୁ ମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଉଚ୍ଚ ଶିକ୍ଷାର ବ୍ୟବସ୍ଥା ମଧ୍ୟ କରାଯାଉଛି । ଏଥି ନିମନ୍ତେ ଶ୍ରୀ ଭରଦ୍ୱାଜ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ସଚେତନତା କୁ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ | ଏହି ପରିପ୍ରେକ୍ଷୀରେ ସେ ତାଙ୍କ ବକ୍ତବ୍ୟ ରେ ସଚେତନତା ସୃଷ୍ଟି କରିବା ରେ ଗଣମାଧ୍ୟମ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିଥିଲେ |ଗ୍ରାମ୍ୟ ସ୍ତରରୁ ସହର ପର୍ଯ୍ୟନ୍ତ ଜିଲ୍ଲା ବ୍ୟାପି ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଗଣମାଧ୍ୟମ ର ସହଯୋଗ କାମନା କରିଥିଲେ | ସଚେତନତା ମାଧ୍ୟମ ରେ ଆମେ ଚେଷ୍ଟା କରିବା ଯେ ଜିଲ୍ଲା ରେ ୧୪ ବର୍ଷରୁ କମ୍ ବୟସର ଶିଶୁ ଯେମିତି କୌଣସି କାର୍ଯ୍ୟ କ୍ଷେତ୍ର ରେ ନିଯୁକ୍ତି ହେବେ ନାହିଁ ଏବଂ 14 ରୁ 18 ବର୍ଷ କିଶୋର ମାନେ ଯେମିତି କୌଣସି ବିପଦ ସଂକୁଳ କାଯ୍ୟ ରେ ନିଯୁକ୍ତ ହେବେ ନାହିଁ | ଯଦି ଏହାର ଉଲଂଘନ ହେବାର ଦୃଷ୍ଟି ଗୋଚର ହୁଏ ତେବେ ନିଯୁକ୍ତି ଦାତା ଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ମୟୂରଭଞ୍ଜ ଯାହା ଦିନେ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ପରିଚିତ ଥିଲା, ପୁଣିଥରେ ଏହି ପରିଚୟ ସୃଷ୍ଟି କରି ମଡେଲ ଜିଲ୍ଲା ଭାବେ ପରିଗଣିତ ହେବ | ଏହି ପରିପ୍ରେକ୍ଷୀରେ ସମସ୍ତ ଦୋକାନ ଏବଂ ସ୍ଥାନୀୟ ଆଉଟଲେଟ ମାନଙ୍କରେ “We Don’t Employ Child Labour” ( ଆମେ ଶିଶୁ ଶ୍ରମିକ ନିଯୁକ୍ତ କରୁନାହୁଁ) ର ବୋର୍ଡ ଲଗାଇବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି |

ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ଵାଳ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାସ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଜଗଦୀଶ ଚନ୍ଦ୍ର ଘଡ଼ାଇ, ଜିଲ୍ଲା ଶିକ୍ଷା ଅଧିକାରୀ, ନବକିଶୋର ଗିରି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ମିସେସ ଶିବାନୀ, ଡି ଏସ୍ ପି, ଏଚ ଆର ପି ସି, ସବିତା ମାଝୀ ପ୍ରମୁଖ ଶିଶୁ ଶ୍ରମିକ ନରାକରଣ ପାଇଁ ଉଦିଷ୍ଟ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିବା ସହ ଶିଶୁ ଶ୍ରମିକ ନିରୋଧ ଆଇନ ର ଉଲଘଂନ କଲେ କେଉଁ ସବୁ ଦଣ୍ଡ ବିଧାନ ର ବ୍ୟବସ୍ଥା ଅଛି ସେ ବିଷୟ ରେ ଅବଗତ କରାଇଥିଲେ ଏବଂ ସମସ୍ତଙ୍କ ସହଯୋଗ ରେ ଆମେ ଆମ ଜିଲ୍ଲା କୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା କରିପାରିବା ବୋଲି ମତ ରଖିଥିଲେ | ଆଜିର ଅନୁଷ୍ଠିତ ବୈଠକ ରେ ADMO ଜ୍ଞାନେନ୍ଦ୍ର କୁମାର ମହାନ୍ତି,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ଉଦଳା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅବିନାଶ ପାଣି ପ୍ରମୁଖଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ବେଛାସେବୀ ଅନୁଷ୍ଠାନ ର ସଦସ୍ୟ ଓ ବଣିକ ସଙ୍ଘ ର କର୍ମ କର୍ତ୍ତା ମାନେ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ |