Onn 3

ଟାଟା ପାଓ୍ବାର ଦ୍ବାରା ପ୍ରତାରିତ ବିଦ୍ୟୁତ କର୍ମଚାରୀଙ୍କ ଅସହଯୋଗ ଆନ୍ଦୋଳନ

State

ବାରିପଦା: ଟାଟା ପାୱାର ଦ୍ବାରା ପରିଚାଳିତ ଟିପିଏନଓଡିଏଲ ପକ୍ଷରୁ ବିଦ୍ୟୁତ ଗ୍ରାହକଙ୍କ ସେବା ପାଇଁ ଅହରହ କାର୍ଯ୍ୟ କରୁଥିବା ବିଦ୍ୟୁତ କର୍ମଚାରୀ ମାନଙ୍କୁ କମ୍ପାନୀ ଦ୍ଵାରା ଶୋଷଣ କରାଯାଉଛି। ଟାଟା ପାୱାର ପକ୍ଷରୁ କର୍ମଚାରୀ ମାନଙ୍କୁ ପ୍ରତାରଣା କରୁଥିବା ନେଇ ଶୁକ୍ରବାର ଠାରୁ ବିଦ୍ୟୁତ କର୍ମଚାରୀ ମାନେ କାର୍ଯ୍ୟରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଛନ୍ତି। କର୍ମଚାରୀ ମାନଙ୍କ ୧୧ଦଫା ଦାବିକୁ ନେଇ ନେସ୍କୋ ପାଓ୍ବାର ଏମ୍ପ୍ଲୋଇଜ୍ ୟୁନିୟନ ପକ୍ଷରୁ ଜୁନ ୭ରେ ଦାବିପତ୍ର ପ୍ରଦାନ କରିଥିଲେ। ତେବେ ପୂରଣ ନେଇ ବିଭାଗୀୟସ୍ତରରେ କୋଣସି କାର୍ଯ୍ୟପନ୍ଥା ଗ୍ରହଣ କରାନଯିବାରୁ ବାରିପଦା ଡିଭିଜନର ବିଦ୍ୟୁତ କର୍ମଚାରୀ ଅସହଯୋଗ ଆନ୍ଦୋଳନ କରିଛନ୍ତି। ଲାଇନମ୍ୟାନ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଅନ୍ୟାୟପୂର୍ଣ୍ଣ ବଦଳି ଓ ଶ୍ରମ ଆଇନକୁ ଖୋଲାଖୋଲି ଅବହେଳା ନେଇ ନିଆଯାଇଥିବା ପଦକ୍ଷେପକୁ ନେଇ ନେସ୍କୋ ପାୱାର ଏସ୍ଲୋଇଜ ୟୁନିଅନ ଗଭୀର ଉଦବେଗ ପ୍ରକାଶ କରିଛି।

ଆମେ ଏହି ବିଷୟକୁ ଜନସାଧାରଣଙ୍କ ଦୃଷ୍ଟିକୁ ଆଣିବା ଏବଂ କର୍ମଚାରୀ ମାନେ ସମ୍ମୁଖୀନ ହେଉଥିବା ଅନ୍ୟାୟର ସମାଧାନ କରିବାକୁ ବାଧ୍ୟ ହୋଇ ଆଜିଠାରୁ ବାରିପଦା ସର୍କଲ ଅଧୀନରେ ଥିବା ବାରିପଦା, ଉଦଳା ଓ ରାଇରଙ୍ଗପୁର ଡିଭିଜନରେ ଉକ୍ତ ଆନ୍ଦୋଳନ ହୋଇଛି। ବାରିପଦାର ବାଘରାରୋଡ ସ୍ଥିତ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ସଂଖ୍ୟକ କର୍ମଚାରୀ ଯୋଗ ଦେଇ ଉକ୍ତ ଅସହଯୋଗ ଆନ୍ଦୋଳନ କରିଛନ୍ତି। ଦାବି ଅନୁଯାୟୀ, ମିଟର ରିଡର୍ ମାନଙ୍କୁ ରାଜ୍ୟ ସରକାର ଶ୍ରମ ବିଭାଗ ନିର୍ଦ୍ଦେଶ ଅନୁଯାୟୀ କୁଶଳୀ ବର୍ଗରେ ପରିଣତ କରିବା, ଶ୍ରମ ନିୟମ ଅନୁସାରେ ୮ ଘଣ୍ଟା କାର୍ଯ୍ୟ କରିବା ସହ କାର୍ଯ୍ୟ ନିର୍ଘଣ୍ଟ ପ୍ରଦାନ, ତୁରନ୍ତ ଲାଇନମ୍ଯାନ ମାନଙ୍କ ପ୍ରକୃତ କାମ ଛଡା ଅନ୍ୟ କାର୍ଯ ପାଇଁ ବିଭାଗୀୟ ମୋବାଇଲ ବ୍ଯବହାର ପାଇଁ ଚାପ ପ୍ରୟୋଗକୁ ବନ୍ଦ କରିବା, ପ୍ରୋମସନ ପାଇଁ ଥିବା ସର୍ତ୍ତ ପୂରଣ ଅନୁମତି ପ୍ରଦାନ କରିବାର ବିଭାଗୀୟ ନିର୍ଦ୍ଦେଶକୁ ଆଉ କିଛି ଦିନ ଘୁଞ୍ଚାଇବା, ମନମୁଖି ସାମୁହିକ ବଦଳି ପ୍ରୟାସକୁ ତୁରନ୍ତ ବନ୍ଦ କରିବା, ୮ ଘଣ୍ଟା ପରେ କର୍ମଚାରୀଙ୍କୁ କାର୍ଯ୍ଯରେ ନିୟୋଜନ ବନ୍ଦ କରିବା, ଯଦି ନିୟୋଜନ କରୁଛନ୍ତି ସରକାରୀ ନିୟମ ଅନୁଯାୟୀ ଅଧିକ ପ୍ରାପ୍ୟ ପ୍ରଦାନ କରିବା, ପ୍ରଚଳିତ ଚାକିରୀ ସର୍ତ୍ତାବଳୀ ଅନୁଯାୟୀ ଲାଇନ୍ କ୍ଲିଅରେନ୍ସ ପରମିଟ୍ (ସର୍ଟଡାଉନ୍) ଲାଇନମ୍ଯାନ୍ ମାନଙ୍କ ଦ୍ବାରା କରାନଯାଇ ନିୟମରେ ଥିବା ବ୍ଯବସ୍ଥା ଅନୁସାରେ କରିବା, ଯେଉଁ ଏଜେନ୍ସି ମାନେ ଦରମା, ଇପିଏଫ୍, ଇଏସଆଇ, ବିଧିସମ୍ମତ ଆବଶ୍ଯକତା ଚୁକ୍ତିରେ ଖିଲାଫ କରୁଛନ୍ତି ତାଙ୍କୁ ତୁରନ୍ତ କଳା ତାଲିକା ଭୁକ୍ତ କରିବା, ସମସ୍ତ ଅଣ ସଙ୍ଗଠିତ କର୍ମଚାରୀ ଯେଉଁ ମାନେ ସଙ୍ଗଠିତ ବର୍ଗର କାର୍ଯ୍ୟ ସମ୍ପାଦନ କରୁଛନ୍ତି ତାଙ୍କ ପାଇଁ ଦରମା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଭତ୍ତା ପ୍ରଦାନରେ ଏକକ ଦିନ ଧାର୍ଯ୍ୟ କରିବା, ପ୍ରଜେକ୍ଟ ସିଭିଲ, ଏନଇଜି ମାଧ୍ୟମରେ ନୂତନ କାର୍ଯ୍ୟ ଗୁଡିକରେ ନିମ୍ନ ମାନର ବୈଦ୍ଯୁତିକ ସରଞ୍ଜାମ ବ୍ଯବହାର ଉପରେ କଟକଣା ଜାରି କରିବା, କର୍ମଚାରୀ ମାନଙ୍କ ବାକିଥିବା ସମସ୍ତ ପ୍ରାପ୍ୟ ବେତନ ତୁରନ୍ତ ପ୍ରଦାନ କରିବା ଆଦି ଦାବି ଉପସ୍ଥାପନ କରିଛନ୍ତି।

ଟାଟା ପାଓ୍ବାର ବିଦ୍ୟୁତ ବିତରଣର ଦାୟିତ୍ୱ ଭାର ନେବା ପର ଠାରୁ ବିଶେଷକରି ତୃଣମୂଳ ସ୍ତରରେ କାର୍ଯ୍ଯରତ ସ୍ଥାୟୀ ଓ ଅସ୍ଥାୟୀ ଲାଇନମ୍ଯାନ୍ ବର୍ତ୍ତମାନ କମ୍ପାନୀ ଦ୍ବାରା ନିସ୍ପେଷିତ ଏବଂ ପ୍ରତାରିତ ହେଉଛନ୍ତି। ତେଣୁକରି ନ୍ୟାୟପୂର୍ଣ୍ଣ ଶ୍ରମ ପ୍ରଥାକୁ ବଜାୟ ରଖିବା ଏବଂ କର୍ମଚାରୀମାନଙ୍କୁ ସମ୍ମାନ ଏବଂ ନିରପେକ୍ଷତା ସହିତ ବ୍ୟବହାର କରିବା ଆବଶ୍ୟକତା ରହିଛି ବୋଲି ସଂଘର ଡେପୁଟି ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା କହିଛନ୍ତି। ଦାବିକୁ କର୍ତ୍ତୃପକ୍ଷ ତୁରନ୍ତ ପୂରଣ ନକରିଲେ ଲଢ଼େଇ ଜାରି ରହିବ ବୋଲି ମଧ୍ୟ କହିଛନ୍ତି। ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଗୁଳଗୁଳି ଏବଂ କାଳବୈଶାଖୀ ସମୟରେ ସଂଘର ସଦସ୍ୟ ଅସହଯୋଗ ଯୋଗୁଁ ଜିଲ୍ଲାର ବିଦ୍ୟୁତ ସେବା ପ୍ରଭାବିତ ହେବ। ଅନ୍ୟପଟେ ଟାଟାପାଓ୍ବାର ନର୍ଦନ ବିତରଣ ସଂସ୍ଥାର ୯୦ପ୍ରତିଶତ କର୍ମଚାରୀ ଏହି ସଂଘର ସଦସ୍ୟ ଅଟନ୍ତି। ଏଥିରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାର ନିହାତି ଆବଶ୍ୟକ ଅଟେ। ଏହି ପ୍ରତିବାଦ ସଭାରେ ସଙ୍ଘ ର ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ଶ୍ରୀଯୁକ୍ତ ସାନନ୍ଦ ମାରାଣ୍ଡି, ଜିଲ୍ଲା ସଭାପତି ଶ୍ରୀ ଶୁବ୍ରମନ୍ୟମ ମହାନ୍ତି, ବାରିପଦା ମ୍ୟୁନିସିପାଲଟି ର ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି,ଉପ-ସାଧାରଣ ସମ୍ପାଦକ ଜ୍ୟୋତି କୃଷ୍ଣ ବେହେରା‌, ଦେବାଶିଷ ବେହେରା, ଜ୍ଞାନ ରଞ୍ଜନ ପରିଡ଼ା, ପାର୍ଥସାରଥୀ ଦାସ, ବୁଦ୍ଦେଶ୍ଵର ମାରାଣ୍ଡି, ସିଦ୍ଧେଶ୍ଵର ମହାପାତ୍ର, କୃଷ୍ଣ ପଦ ମହାନ୍ତ,ସୁମନ ସଞ୍ଜିତ ମହାନ୍ତ, ସଞ୍ଜୟ ଘୋଷ, ଦିନେଶ ଗୁପ୍ତା, ନବୀନ ଦତ୍ତ,ଚନ୍ଦନ ଜେନା, ପ୍ରଦୀପ ନାଥ, ପ୍ରମୋଦ ପାତ୍ର ଇତ୍ୟାଦି ବହୁ ସଂଖ୍ୟାରେ କର୍ମଚାରୀ ପ୍ରତିବାଦ କରିଥିଲେ